chief-secretary

୮୬୪ କୋଟିକୁ ମଞ୍ଜୁରୀ

49

ନବରଙ୍ଗପୁରରେ ହେବ ମକା ପ୍ରକ୍ରିୟାକରଣ ଶିଳ୍ପ
ଭୁବନେଶ୍ୱର,୧୪ା୯(ବୁ୍ୟରୋ): ସିଙ୍ଗଲ୍ୱିଣ୍ଡୋ ମଞ୍ଜୁରୀ କର୍ତ୍ତୃପକ୍ଷ ଆଜି ୮୬୪ କୋଟି ଟଙ୍କା ବ୍ୟୟରେ ୩ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପରେ ୨୧୩୫ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଜୟନଗରମ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ୫୦ ହଜାର ଟନ୍ ଉତ୍ପାଦନ କ୍ଷମତା ଥିବା ମକା ପ୍ରକ୍ରିୟାକରଣ ଶିଳ୍ପକୁ ଅନୁମୋଦନ ମିଳିଛି । ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ ୫୯ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେବ । ଏହି ପ୍ରକଳ୍ପରେ ୪୦୦ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପଟି ନବରଙ୍ଗପୁର ଜିଲ୍ଲାର ମକା ଚାଷୀଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ବେଶ୍ ସହାୟକ ହେବ । ସେହିଭଳି କେଡାର ଇନ୍ଭେଷ୍ଟିମେଣ୍ଟ ଓ ଟ୍ରେଡିଂର ୧୦ ହଜାର ଟନ୍ ବାର୍ଷିକ କ୍ଷମତା ବିଶିଷ୍ଟ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଡେରାସ୍ର ସି’ଫୁଡ୍ ପାର୍କରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବ । ଏଥିରେ ୫୫ କୋଟି ଟଙ୍କା ବିନିଯୋଗ ହେବ । ପ୍ରାୟ ୧୦୩୫ ଜଣ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି ୱେଷ୍ଟକୋଷ୍ଟ ପେପର ମିଲ୍ର ମଲ୍ଟି ଲେୟାର୍ ଡବଲ୍ କୋଟେଡ୍ ପେପର ବୋର୍ଡ ଉତ୍ପାଦନ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି । ବାର୍ଷିକ ୧ ଲକ୍ଷ ୩୨ ହଜାର ଟନ୍ ପେପର ବୋର୍ଡ ଉତ୍ପାଦନ ହେବ ଓ ୧୨ ମେଗାୱାଟ୍ର ନିଜସ୍ୱ ବିଦୁ୍ୟତ୍ ପ୍ଲାଣ୍ଟ ସୋନପୁରରେ ପ୍ରତିଷ୍ଠା ହେବ । ପ୍ରାୟ ୭୫୦ କୋଟି ଟଙ୍କା ଏହି ପ୍ରକଳ୍ପରେ ୭୦୦ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବୈଠକ ସମ୍ପର୍କରେ ସୂଚନା ଦେଇ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା କହିଥିଲେ ଯେ ସରକାର ଏବେ ରାଜ୍ୟରେ ଇଜି ଡୁଇଁ ବିଜିନେସ୍କୁ ଯଥାସମ୍ଭବ ତ୍ୱରାନ୍ୱିତ କରିବା ଲାଗି ଉଦ୍ୟମ କରୁଛନ୍ତି । ୧୫ରୁ ୩୦ ଦିନ ମଧ୍ୟରେ ସମସ୍ତ ପ୍ରକଳ୍ପ ଯେଭଳି ଅନୁମୋଦନ ହେବ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି । ରାଜ୍ୟକୁ ଶିଳ୍ପ ଉପଯୋଗୀ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ସିଙ୍ଗଲ୍ ୱିଣ୍ଡୋରେ ୫୦ଟି ପ୍ରକଳ୍ପ ଅନୁମୋଦନ ହୋଇଛି ଓ ଆଜି ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି । ଭୁବନେଶ୍ୱର, ବେଙ୍ଗାଲୁରୁ ଓ ମୁମ୍ବାଇରେ ହୋଇଥିବା ଇନ୍ଭେଷ୍ଟର ମିଟ୍ରେ ଆସିଥିବା ପ୍ରସ୍ତାବଗୁଡିକ ସମ୍ପର୍କରେ ସମୀକ୍ଷା କରାଯାଉଛି ।

ସେଆର କରନ୍ତୁ:



Powered by odothemes.com