ବଢ଼ିବ ମନ୍ତ୍ରୀ, ବିଧାୟକଙ୍କ ଦରମା

କ୍ୟାବିନେଟ୍ ନିଷ୍ପତ୍ତି
ଭୁବନେଶ୍ୱର, ୧୩ା୯(ବୁ୍ୟରୋ): ମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ଦରମା ବୃଦ୍ଧି ପାଇଛି । କ୍ୟାବିନେଟ୍ ଆଜି ଏହାକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ, ବିଧାୟକମାନେ ସେମାନଙ୍କ ଦରମା ବୃଦ୍ଧି ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳମତ ନିର୍ବିଶେଷରେ ସାକ୍ଷାତ କରିଥିଲେ । ଏହାଛଡା ବିଧାନସଭାରେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ଲାଗି ବହୁଦିନରୁ ଦାବି ହୋଇଆସୁଥିଲା । କ୍ୟାବିନେଟ୍ ସବ୍କମିଟିର ସୁପାରିସ ଅନୁଯାୟୀ ଏହି ଦରମା ବୃଦ୍ଧି ହୋଇଥିବା ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଦରମା ଓ ଭତ୍ତାକୁ ମିଶାଇ ମୁଖ୍ୟମନ୍ତ୍ରୀ ୫୯ ହଜାର ଟଙ୍କା ପାଉଥିଲାବେଳେ ଏବେ ଏହା ୯୮ ହଜାର ଟଙ୍କା ହେବ । ସେହିଭଳି ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ୫୮,୫୦୦ ଟଙ୍କା ଥିବାବେଳେ ଏବେ ଏହା ୯୭,୫୦୦, କ୍ୟାବିନେଟ୍ ମନ୍ତ୍ରୀଙ୍କର ୫୮ ହଜାରରୁ ୯୭ ହଜାର ଟଙ୍କା, ରାଷ୍ଟ୍ରମନ୍ତ୍ରୀଙ୍କର ୫୭ ହଜାର ଟଙ୍କାରୁ ୯୫ ହଜାର ଟଙ୍କା, ଉପମନ୍ତ୍ରୀଙ୍କର ୫୬ ହଜାରରୁ ୯୩ ହଜାର, ବାଚସ୍ପତିଙ୍କର ୫୮,୫୦୦ ଟଙ୍କାରୁ ୯୭,୫୦୦ ଟଙ୍କା, ଉପବାଚସ୍ପତିଙ୍କର ୫୭ ହଜାର ଟଙ୍କାରୁ ୯୫ ହଜାର ଟଙ୍କା, ବିରୋଧୀ ଦଳ ନେତାଙ୍କର ୫୮ ହଜାର ଟଙ୍କାରୁ ୯୭ ହଜାର ଟଙ୍କା, ସରକାରୀ ମୁଖ୍ୟ ସଚେତକଙ୍କର ୫୮ ହଜାର ଟଙ୍କାରୁ ୯୭ ହଜାର ଟଙ୍କା, ଉପମୁଖ୍ୟ ସଚେତକଙ୍କର ୫୬ ହଜାରରୁ ୯୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ବିଧାୟକମାନଙ୍କର ଦରମା ଓ ଭତ୍ତା ମିଶାଇ ପାଖାପାଖି ୧ ଲକ୍ଷ ଟଙ୍କା କରାଯାଇଛି । ପୂର୍ବରୁ ସେମାନେ ୬୦ ହଜାର ଟଙ୍କା ପାଉଥିଲେ । କ୍ୟାବିନେଟ୍ ସୁପାରିସ ଅନୁଯାୟୀ ବିଧାୟକଙ୍କ ଦରମା ୧୬ ହଜାରରୁ ୩୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଭତ୍ତାକୁ ୭ ହଜାରରୁ ୧୫ ହଜାର ଟଙ୍କା, ମେଡିକାଲ ଭତ୍ତା ୫ ହଜାର, ନିର୍ବାଚନମଣ୍ଡଳୀ ଓ ସଚିବାଳୟ ଭତ୍ତା ୧୩ ହଜାରରୁ ୨୦ ହଜାର ଟଙ୍କା, ସ୍ଥାୟୀ ଗସ୍ତ ଖର୍ଚ୍ଚ ୮ ହଜାରରୁ ୧୦ ହଜାର ଟଙ୍କା, ବହି, ସମ୍ବାଦପତ୍ର ପାଇଁ ୨ ହଜାରରୁ ୫ ହଜାର ଟଙ୍କା ଓ ଟେଲିଫୋନ୍ ଭତ୍ତା ୮ ହଜାର ଟଙ୍କା ମାସିକ ରଖାଯାଇଛି । ସେହିଭଳି ରାଜ୍ୟ ଭିତରେ ଦୈନିକ ଭତ୍ତା ୧୫୦୦ ଟଙ୍କା ଓ ରାଜ୍ୟ ବାହାରେ ଦୈନିକ ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ରାଜ୍ୟଭିତରେ ଦିନକୁ ୧୫ କି.ମି. ଓ ବାହାର ରାଜ୍ୟରେ ୨୦ କି.ମି. ପର୍ଯ୍ୟନ୍ତ ଗସ୍ତଖର୍ଚ୍ଚ ଦିଆଯିବ । ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ୮% ବାର୍ଷିକ ସୁଧ ହାରରେ ଅଗ୍ରୀମ ନେଇପାରିବେ । ପୂର୍ବରୁ ୩ ଲକ୍ଷ ଟଙ୍କା ନେଉଥିଲେ । ସେହିଭଳି ସ୍ୱାସ୍ଥ୍ୟ ବୀମାକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସରକାରୀ କ୍ୱାର୍ଟର ଭୁବନେଶ୍ୱରରେ ନମିଳିବା ପର୍ଯ୍ୟନ୍ତ ଦିନକୁ ୧ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ । ସେହିଭଳି ୧ ବର୍ଷ କାର୍ଯ୍ୟକାଳ ଥିବା ପୂର୍ବତନ ବିଧାୟକମାନଙ୍କର ମାସିକ ପେନ୍ସନ୍ ୧୫ ହଜାର ଟଙ୍କା ଥିଲା, ତାହା ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଛଡା ୨ ହଜାର ଟଙ୍କା ଲେଖାଏଁ ପ୍ରତିବର୍ଷ ବୃଦ୍ଧି କରାଯିବ । ଏହା ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହେବ ଓ ୭୦ ହଜାର ଟଙ୍କାରୁ ଅଧିକ ହେବନାହିଁ । ସେହିଭଳି ପୂର୍ବତନ ବିଧାୟକଙ୍କ କ୍ଷେତ୍ରରେ ୧ ଲକ୍ଷରୁ ବୃଦ୍ଧି କରାଯାଇ ଅଢେଇ ଲକ୍ଷ ଟଙ୍କା କରାଯାଇଛି ।