ଛାତ୍ର କଂଗ୍ରେସ କବ୍ଜାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

congress

ନୂଆଦିଲ୍ଲୀ, ୧୩ା୯: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତ କଂଗ୍ରେସର ଛାତ୍ର ସଂଗଠନ ନ୍ୟାସ୍ନାଲ୍ ଷ୍ଟୁଟେଣ୍ଟ ୟୁନିୟନ୍ ଅଫ୍ ଇଣ୍ଡିଆ (ଏନ୍ଏସ୍ୟୁଆଇ)ର ପ୍ରାର୍ଥୀ ସଭାପତି ଓ ଉପସଭାପତିଭାବେ ବିଜୟୀ ହୋଇଥିବାବେଳେ ବିଜେପିର ଛାତ୍ର ସାମୁଖ୍ୟଭାବେ କୁହାଯାଉଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦବୀରେ ବିଜୟୀ ହୋଇଛନ୍ତି । ଏନ୍ଏସ୍ୟୁଆଇର ରକି ତୁସିଦ୍ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନୂଆ ସଭାପତି ହୋଇଛନ୍ତି । ସେ ଏବିଭିପିର ରଜତ ଚୌଧୁରୀ ଓ ଅଖିଳ ଭାରତ ଛାତ୍ର ସଂଗଠନର ପାରୁଲ ଚୌହାନଙ୍କୁ ପରାଜିତ କରିଛନ୍ତି । ୨୦୧୬ ତୁଳନାରେ ଏବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଭୋଟ୍ ହାର ୧୦% ବଢିଛି । ଚଳିତ ବର୍ଷ ୪୩% ଭୋଟର ଭୋଟ୍ ଦେଇଛନ୍ତି । ୨୦୧୪ ଓ ୨୦୧୫ରେ ଏବିଭିପି ପ୍ରାର୍ଥୀମାନେ ସମସ୍ତ ୪ଟି ପଦବୀରେ ବିଜୟୀ ହୋଇଥିଲାବେଳେ ୨୦୧୬ରେ ୩ଟି ପଦବୀରେ ବିଜୟୀ ହୋଇଥିଲେ । ଏନ୍ଏସ୍ୟୁଆଇ ୨୦୦୭ରେ ୪ଟି ପଦବୀ ହରାଇଥିଲା । ତେବେ ୨୦୧୨ରେ ୨ଟି ପଦବୀରେ ଜିିତିଥିବାବେଳେ ୨୦୧୬ରେ କେବଳ ଯୁଗ୍ମ ସମ୍ପାଦକ ପଦବୀ ଜିତିଥିଲା । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଛାତ୍ର ସଂସଦର ନିର୍ବାଚନ ଫଳାଫଳକୁ ଘୋଷଣା କରିବାକୁ ଅନୁମତି ଦେଇଥିଲେ । ସେପ୍ଟେମ୍ବର ୮ ତାରିଖରେ ଏକ ଅନ୍ତରୀଣ ଆଦେଶରେ ଫଳାଫଳ ଘୋଷଣାକୁ ସ୍ଥଗିତ ରଖିଥିଲେ ।