ନେରାଡି ବ୍ୟାରେଜକୁ ଟ୍ରିବୁ୍ୟନାଲ୍ର ଅନୁମତି

ବଂଶଧାରା ଜଳ ବିବାଦ ପ୍ରସଙ୍ଗ
ନୂଆଦିଲ୍ଲୀ,୧୩ ।୯: ଓଡିଶା ଓ ଆନ୍ଧ୍ର ମଧ୍ୟରେ ବଂଶଧାରା ନଦୀ ଜଳ ବିବାଦ ସମାଧାନ ନେଇ ଗଠନ ହୋଇଥିବା ଟ୍ରିବୁ୍ୟନାଲ୍ ଆଜି ତାଙ୍କ ରାୟ ପ୍ରକାଶ କରିଛନ୍ତି । ରାୟ ଅନୁଯାୟୀ ବଂଶଧାରା ନଦୀ ଉପରେ ଆନ୍ଧ୍ର ସରକାର ନିର୍ମାଣ କରୁଥିବା ନେରାଡି ଓ କାଟ୍ରାଗଡା ବ୍ୟାରେଜ୍ କାର୍ଯ୍ୟ ଜାରି ରଖିବେ । ଆନ୍ଧ୍ର ସରକାର ବଂଶଧାରା ନଦୀରେ ଆଡିବନ୍ଧ ନିର୍ମାଣ କରିବେ । ଜୁନ୍ ପହିଲାରୁ ନଭେମ୍ବର ୩୦ ମଧ୍ୟରେ ଆନ୍ଧ୍ର ୮ ଟିଏମ୍ସି ଜଳ ଏହି ଆଡିବନ୍ଧରୁ ନେଇପାରିବ । ବନ୍ୟାଜଳ ନିଷ୍କାସନ ପାଇଁ ଥିବା ଗେଟ୍ଗୁଡିକ ଡିସେମ୍ବର ପହିଲାରୁ ପରବର୍ଷ ମେ’ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ଟ୍ରିବୁ୍ୟନାଲ୍ ରାୟ ଓଡିଶା ସପକ୍ଷରେ ଯାଇନାହିଁ ବୋଲି ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି । ବଂଶଧାରା ନଦୀର ଜଳ ବିବାଦ ସମାଧାନ କରିବା ପାଇଁ ରାଜ୍ୟ ସରକାର ଟ୍ରିବୁ୍ୟନାଲ୍ ଗଠନ ଲାଗି କେନ୍ଦ୍ର ନିକଟରେ ଆବେଦନ କରିଥିଲେ । ୨୦୧୧ ମସିହାରେ ଟ୍ରିବୁ୍ୟନାଲ୍ ଗଠନ ହୋଇଥିଲା । ତେବେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ୧୯୬୨ ସେପ୍ଟେମ୍ବର ୩୦ରେ ଜଳ ବଣ୍ଟନ ନେଇ ହୋଇଥିବା ଚୁକ୍ତି ଅନୁଯାୟୀ ବଂଶଧାରାର ଗୋଟା ବ୍ୟାରେଜ୍ରୁ ୧୧୫ ଟିଏମ୍ସି ଜଳକୁ ସମାନଭାବେ ଦୁଇ ରାଜ୍ୟ ୫୦:୫୦ରେ ବାଣ୍ଟି ନେବା ପାଇଁ ପ୍ରସ୍ତାବ ଥିଲା । ମାତ୍ର ଟ୍ରିବୁ୍ୟନାଲ୍ ଆଜି ୮ ଟିଏମ୍ସି କେବଳ ଆନ୍ଧ୍ର ପ୍ରଦେଶ ନେବ ବୋଲି କହିଛନ୍ତି । ସେହିଭଳି କୋର୍ଟର ରାୟକୁ ଅନୁପାଳନ କରିବା ଲାଗି ଏକ ୪ ଜଣିଆ କମିଟି ଗଠନ କରାଯିବ । କାଟ୍ରାଗଡାରେ ଥିବା ଆଡିବନ୍ଧ ନେରାଡି ବ୍ୟାରେଜ୍ କାର୍ଯ୍ୟକ୍ଷମ ହେଲାପରେ ସମ୍ପୂର୍ଣ୍ଣ ବନ୍ଦ ରହିବ । ନେରାଡି ପ୍ରକଳ୍ପ ପାଇଁ କେନ୍ଦ୍ର ଜଳ ଆୟୋଗ, ଜଳ ସମ୍ପଦ ମନ୍ତ୍ରାଳୟ, ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ, ଆଦିବାସୀ ମନ୍ତ୍ରାଳୟର ମଞ୍ଜୁରୀ ଅଣାଯିବ । ଓଡିଶା ସରକାର ୧୦୬ ଏକର ଜମି ଅଧିଗ୍ରହଣ କରିବେ । ନେରାଡି ବ୍ୟାରେଜ୍ ପାଇଁ ଏହି ଜମି ଆବଶ୍ୟକ ପଡୁଥିବାରୁ ତାହା ସେ ଅଧିଗ୍ରହଣ କରି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବାର ବର୍ଷକ ମଧ୍ୟରେ ଆନ୍ଧ୍ର ସରକାରଙ୍କୁ ହସ୍ତାନ୍ତର କରିବେ । ଆନ୍ଧ୍ର ସରକାର ଏଥିପାଇଁ ଜମି ମୂଲ୍ୟ ସହ ବାସଚୁ୍ୟତଙ୍କ କ୍ଷତିପୂରଣ ଓ ଅନ୍ୟାନ୍ୟ ପ୍ରଦାନ କରିବେ । ଏହାଛଡା ନେରାଡି ବ୍ୟାରେଜ୍ର ଡିପିଆର୍ ମଧ୍ୟ ଓଡିଶାକୁ ପ୍ରଦାନ କରାଯିବ । ରାୟର ଅନୁପାଳନ ପାଇଁ ଯେଉଁ ତଦାରଖ କମିଟି ରହିବ ସେଥିରେ କେନ୍ଦ୍ର ଜଳ ଆୟୋଗର ମୁଖ୍ୟ ଯନ୍ତ୍ରୀ ଅଧ୍ୟକ୍ଷ ରହିବେ । ଆନ୍ଧ୍ର ଓ ଓଡିଶାର ଜଣେ ଲେଖାଏଁ ସଭ୍ୟ ରହିବେ । ସେହିଭଳି କେନ୍ଦ୍ର ଜଳ ଆୟୋଗର ନିଦେ୍ର୍ଦଶକ କିମ୍ବା ଅଧିକ୍ଷଣ ଯନ୍ତ୍ରୀ ଏହାର ସଦସ୍ୟ ସଚିବ ରହିବେ । ଏହି କମିଟି ସମସ୍ତ ଜିନିଷକୁ ତଦାରଖ କରିବ ଓ ବନ୍ୟା ଜଳ ନିଷ୍କାସନକୁ ମଧ୍ୟ ନିୟନ୍ତ୍ରଣ କରିବ । ସେହିଭଳି ନଦୀ ଉପରମୁଣ୍ଡରେ ଜଳ ପ୍ରବାହର ରେକର୍ଡ ରଖିବା ସହ କେନାଲ ଦ୍ୱାରା କେତେ ବନ୍ୟାଜଳ ନିଷ୍କାସନ ହେବ ତାହା ମଧ୍ୟ ରେକର୍ଡଭୁକ୍ତ ହେବ । ତଳମୁଣ୍ଡକୁ ସମାନ ଅନୁପାତରେ ୪ ହଜାର ଘନଫୁଟରୁ ଅଧିକ ଜଳ ଛଡାଯିବ । ନେରାଡି ବ୍ୟାରେଜ୍ର ବ୍ୟାକ୍ ୱାଟର ଲାଗି ଓଡିଶାରେ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, କମିଟି ଗସ୍ତ କରି ଏହାର ଅନୁଧ୍ୟାନ କରିବ ଓ ତଦନୁଯାୟୀ କ୍ଷତିପୂରଣ ଦେବା ଲାଗି ସୁପାରିସ କରିବ । କମିଟି ଆନ୍ଧ୍ର ପ୍ରଦେଶରେ କେଉଁଠି ଅଫିସ୍ ହେବ ତାହା ସ୍ଥିର କରିବ । ରାୟ ସମ୍ପର୍କରେ ଜଳ ସମ୍ପଦ ସଚିବ ଶ୍ରୀ ଜେନା କହିଛନ୍ତି ଯେ ବାସ୍ତବରେ ୪୦ ଟିଏମ୍ସି ଜଳ ପ୍ରବାର ଆବଶ୍ୟକତା ରହିଥିବାବେଳେ ଟ୍ରିବୁ୍ୟନାଲ୍ ମାତ୍ର ୮ ଟିଏମ୍ସି ପାଇଁ ଅନୁମତି ଦେଇଛନ୍ତି । ଏହାଦ୍ୱାରା ୧୦୬ ଏକର ଚାଷଜମି ଜଳମଗ୍ନ ହେବ । ବଂଶଧାରା ଏଗ୍ରିମେଣ୍ଟର ଉଲ୍ଲଂଘନ ହୋଇଛି । ରାଜ୍ୟ ସରକାର ରାୟକୁ ତର୍ଜମା କରୁଛନ୍ତି ବୋଲି ସେ କହିଛନ୍ତି ।