୨୦୧୮ ସୁଦ୍ଧା ସବୁ ପଞ୍ଚାୟତକୁ ପାଇପ୍ ଜଳ

cm

ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଚିବାଳୟରେ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମର ସମୀକ୍ଷା କରି ୨୦୧୮ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତ ମୁଖ୍ୟାଳୟକୁ ପାଇପ ଦ୍ୱାରା ପାନୀୟଜଳ ଯୋଗାଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟର ୬୮୦୧ ପଞ୍ଚାୟତ ମଧ୍ୟରୁ ୫୫୮୬ ପଞ୍ଚାୟତ ମୁଖ୍ୟାଳୟକୁ ପାଇପ ପାନୀୟ ଜଳଯୋଗାଣ ସୁବିଧା କରାଯାଇଛି । ବାକି ୧୨୨୫ ପଞ୍ଚାୟତକୁ ଡିସେମ୍ବର ୨୦୧୮ ସୁଦ୍ଧା ପାଇପ ଜଳଯୋଗାଣ ବ୍ୟବସ୍ଥା କରାଯିବ । ବୈଠକର ସୂଚନା ଅନୁଯାୟୀ ରାଜ୍ୟରେ ଆଂଶିକ ପାନୀୟ ଜଳ ସୁବିଧା ଥିବା ୪୮୭୬୬ ଗାଁ ମଧ୍ୟରୁ ୨୬୧୮୫ ଗାଁକୁ ପାନୀୟ ଜଳ ସମ୍ପୂର୍ଣ୍ଣ ସୁବିଧା ଦିଆଯାଇଛି । ସବୁ ଆଂଶିକ ପାନୀୟ ଜଳ ସୁବିଧା ଥିବା ଗାଁକୁ ୨୦୧୮ ସୁଦ୍ଧା ପାନୀୟ ଜଳର ସୁବିଧା ଯୋଗାଇ ଦିଆଯିବ । ୮୪୩ ପିଭିଟିଜି ଗାଁକୁ ପାନୀୟ ଜଳର ସୁବିଧା କରାଯାଇଛି । ସେହିପରି ରାଜ୍ୟର ଖଣି ଅଞ୍ଚଳ ବିକାଶ ନିଗମର କାର୍ଯ୍ୟକ୍ରମ ମଧ୍ୟ ସମୀକ୍ଷା କରାଯାଇଥିଲା । ୮ଟି ଖଣିଜ ପଦାର୍ଥ ଥିବା ଜିଲ୍ଲା ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ ଓ ମୟୂରଭଞ୍ଜରେ ଏହି ନିଗମ ଦ୍ୱାରା ଗୃହନିର୍ମାଣ, ପାନୀୟ ଜଳ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଏହି ଜିଲ୍ଲାଗୁଡ଼ିକରେ ୨୯୮୨୯ ପକ୍କାଘର ନିର୍ମାଣ ଲକ୍ଷ୍ୟ ରଖାଯାଇଛି ଏବଂ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମସ୍ତ ଗୃହନିର୍ମାଣ ସମ୍ପୂର୍ଣ୍ଣ କରାଯିବ । ଏହି ଜିଲ୍ଲାଗୁଡ଼ିକରେ ୬୯୧ ଗାଁରେ ୧୯୬ ପାନୀୟ ଜଳ ପ୍ରକଳ୍ପ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ବୈଠକରେ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ପଞ୍ଚାୟତିରାଜ ବିଭାଗ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।