ବିଧାନସଭାରେ ୪ ବିଲ୍ ପାରିତ

Assembly-today

ଭୁବନେଶ୍ୱର (ବୁ୍ୟରୋ): ବୁଧବାର ବିଧାନସଭାରେ ପାରିତ ହୋଇଯାଇଛି ଚାରୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ । ଏହି ବିଲ୍ଗୁଡିକ ମଧ୍ୟରେ୍ ରହିଛି ଓଡିଶା ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ବିଲ୍ -୨୦୧୭, ଓଡିଶା ବିକ୍ରୟ କର (ବକେୟା କର ସମାଧାନ ସଂଶୋଧନ) ବିଲ୍ -୨୦୧୭ , ଓଡିଶା ମୋଟରଯାନ କର ଧାର୍ଯ୍ୟକରଣ ସଂଶୋଧନ ବିଲ୍ -୨୦୧୭ ଏବଂ ଓଡିଶା କୃଷିଜାତ ଦ୍ରବ୍ୟ ବଜାର ସଂଶୋଧନ ବିଲ୍ -୨୦୧୭ । ଗତକାଲି ଆଗତ ହୋଇଥିବା ଓଡିଶା ବସ୍ତିବାସିନ୍ଦା ବିଲ୍ର ଆଲୋଚନା ଅସମାପ୍ତ ରହିଥିବା ବେଳେ ଅପରାହ୍ନ ଅଧିବେଶନରେ ପୁଣି ଏହି ବିଲ୍କୁ ନେଇ ଗୃହରେ ସରଗରମ ହୋଇଥିଲା । ଶେଷରେ ବାଚନିକ ଭୋଟ୍ରେ ଏହି ବିଲ୍ଗୁଡ଼ିକ ପାରିତ ହୋଇଛି । ସେହିପରି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଆଗତ କରିଥିବା ମୋଟରଯାନ କର ଧାର୍ଯ୍ୟକରଣ ସଂଶୋଧନ ବିଲ୍ ଆଲୋଚନାରେ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଆଣିଥିବା ୪ ଟି ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ତେବେ ଅଧିକ ଆଲୋଚନା ପାଇଁ ଯାଞ୍ଚ କମିଟିକୁ ଓଡିଶା ବସ୍ତି ବାସିନ୍ଦାଙ୍କ ଭୂମି ଅଧିକାର ବିଲ୍ ପଠାଇବା ଲାଗି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଣିଥିବା ସଂଶୋଧନ ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ନିରଂଜନ ପୂଜାରୀ ଗ୍ରହଣ କରିନଥିଲେ । ଫଳରେ ତାଙ୍କ ସଂଶୋଧନ ପ୍ରସ୍ତାବ ବାଚନିକ ଭୋଟ୍ରେ କାଟ୍ ଖାଇ ଯାଇଥିଲା । ନଗର ଉନ୍ନୟନ ମନ୍ତ୍ରୀ ବସ୍ତି ବାସିନ୍ଦାଙ୍କ ପାଇଁ ଉର୍ଦ୍ଦିଷ୍ଟ ବିଲ୍ର ଆଲୋଚନାର ଉତ୍ତର ଦେଇ କହିଥିଲେ ଯେ ବିଗତ କିଛି ଦଶନ୍ଧି ଧରି ରାଜ୍ୟର ପ୍ରାୟ ସମସ୍ତ ଗ୍ରାମାଞ୍ଚଳରୁ ଲୋକମାନେ ସହରାଭିମୁଖୀ ହେବାରେ ଲାଗିଛନ୍ତି । ସହରାଞ୍ଚଳରେ ସୁଲଭ ମୂଲ୍ୟରେ ଜମି ଉପଲବ୍ଧ ହେଉ ନଥିବାରୁ ସମ୍ପୃକ୍ତ ଲୋକମାନେ ସହରରେ ଥିବା ବିଭିନ୍ନ ସରକାରୀ ଜମିକୁ ଜବରଦଖଲ କରି ରହୁଛନ୍ତି ଏବଂ ପରେ ତାହା ବସ୍ତିରେ ପରିଣତ ହେଉଛି । ୨ଠ୧୧ ଜନଗଣନା ଅନୁସାରେ ୨୩.୧% ସହରବାସୀ ଅର୍ଥାତ୍ ପ୍ରତି ୫ଟି ପରିବାର ମଧ୍ୟରୁ ଗୋଟିଏ ପରିବାର ବସ୍ତି ଅଂଚଳରେ ବାସ କରୁଛନ୍ତି । ଭୂମିରେ କୌଣସି ଅଧିକାର ନଥାଇ ବସ୍ତି ଗୁଡିକରେ ଅନୌପଚାରିକ ବସତି ହେତୁ ସେଠାକାର ବାସିନ୍ଦା ମାନେ ସର୍ବଦା ନିଜକୁ ଅସୁରକ୍ଷିତ ମଣୁଛନ୍ତ । ଏପରିକି ସେମାନଙ୍କ ମନରେ ସବୁ ବେଳେ ବସ୍ତି ଉଚ୍ଛେଦର ଭୟ ରହୁଛି । ତେଣୁ ସହରାଞ୍ଚଳରେ ବାସ କରୁଥିବା ଗରିବ ଲୋକ ମାନଙ୍କର ସାମଗ୍ରିକ ବିକାଶ ଏବଂ ସେମାନଙ୍କୁ ମୌଳିକ ସହରୀ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଚିହ୍ନଟ ହୋଇଥିବା ବସ୍ତି ବାସିନ୍ଦା ମାନଙ୍କୁ ଭୂମି ଅଧିକାର ଅର୍ପଣ କରିବା ଏବଂ ପୌର ପରିଷଦ ଅଂଚଳ ଓ ଅଧିସୂଚିତ କ୍ଷେତ୍ର ଅଂଚଳରେ ଥିବା ବସ୍ତି ଗୁଡିକର ପୁର୍ନବିକାଶ, ଥଇଥାନ ଏବଂ ଉତଥାନ ନିମନ୍ତେ ପୃଥକ ଆଇନ୍ ପ୍ରଣୟନ କରିବା ପାଇଁ ସରକାର ଉପଲବ୍ଧି କରିବା ପରେ ଏହି ବିଲ୍ ଆଣିଛନ୍ତି । ଏହି ବିଲ୍ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେଲେ ଚିହ୍ନଟ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଦିଆଯିବ । ସେମାନେ ଏହାକୁ ଅନ୍ୟ କାହାକୁ ବିକ୍ରି କରିପାରିବେ ନାହିଁ ମାତ୍ର ଘର ତିଆରି ପାଇଁ ଋଣ ଆଣିପାରିବେ । ବଂଶାନୁକ୍ରମିକ ଭାବେ ଏହାକୁ ବ୍ୟବହାର କରିପାରିବେ ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ । ମ୍ୟୁନିସପାଲଟି ଅଂଚଳରେ ୪୫ ବର୍ଗ ମିଟର ଏବଂ ଏନଏସି ରେ ୬୫ ବର୍ଗ ମିଟର ଜମି ଦିଆଯିବ । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ନାମରେ ଜମି ପଟ୍ଟା ରହିବ ବୋଲି ବିଭାଗୀୟ ମନ୍ତ୍ରୀ ଗୃହରେ କହିଛନ୍ତି । ସେହିପରି ଓଡିଶା ବିକ୍ରୟ କର (ବେକୟା କର ସମାଧାନ) ସଂଶୋଧନ ବିଧେୟକ ୨୦୧୭କୁ ଅଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଗତ କରି କହିଥିଲେ ଯେ, ନିରସିତ ହୋଇଥିବା ଓଡିଶା ବିକ୍ରୟ କର ଅଧିନିୟମ ୧୯୪୭ ଓ ଓଡିଶା ଅତିରିକ୍ତ ବିକ୍ରୟ କର ଅଧିନିୟମ ୧୯୭୫ ଅନୁଯାୟୀ କେତେକ ବେକୟା କର, ଶାସ୍ତି ଧନ ଓ ସୁଧକୁ ଛାଡ କରିବା ପାଇଁ ସରକାରଙ୍କୁ କ୍ଷମତା ଦେବା ଉଦେ୍ଦଶ୍ୟରେ ଓଡିଶା ବିକ୍ରୟ କରି (ବକେୟା ଓ ସଂଶୋଧନ) ଅଧିନିୟମ ୨୦୧୧ ପ୍ରଣୟନ କରାଯାଇଛି । ତାହା ୨୦୧୨ ମସିହା ମେ’ ୧ ଠାରୁ ବଳବତ୍ତର ରହିଛି । ଏଥିରେ କର, ଶାସ୍ତି ଧନ ଓ ସୁଧର ଏକକାଳୀନ ସମାଧାନ ପାଇଁ ଏକ ପରିକଳ୍ପନା ରହିଛି । ଅଧିନିୟମଟି କାର୍ଯ୍ୟକାରୀ କରିବା ସମୟରେ ସେଥିରେ କେତେକ ଅସଂଗତି ଦେଖାଦେଇଛି । ସେହି ଦୃଷ୍ଟିରୁ ଏହି ସଂଶୋଧନ ବିଲ୍ଟି ଉଦ୍ଦିଷ୍ଟ । ଓଡ଼ିଶା ବିକ୍ରି କର (ବକେୟା କର ସମାଧାନ) ସଂଶୋଧନ ବିଧେୟକ ୨୦୧୭ଟି ଏକ ଅର୍ଥ ବିଧେୟକ ହୋଇଥିବାରୁ ଭାରତ ସମ୍ବିଧାନର ଅନୁଚ୍ଛେଦ ୨୦୭ ଅନୁସାରେ ଏହି ବିଧେୟକଟି ଆଗତ କରିବା ପାଇଁ ଓଡ଼ିଶାର ରାଜ୍ୟପାଳ ସୁପାରିସ କରିଛନ୍ତି । ବୁଧବାର ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଗୃହରେ ଆଗତ କରିବା ପରେ ବାଚନିକ ଭୋଟ୍ରେ ଏହି ବିଲ୍ଟି ପାରିତ ହୋଇଛି । ସେହିଭଳି ଓଡ଼ିଶା ମୋଟରଯାନ କର ସଂଶୋଧନ ବିଧେୟକକୁ ମଧ୍ୟ ଗୃହ ପାରିତ କରିଛି । ଏହି ନୂଆ ନିୟମ ଅନୁଯାୟୀ ଏଣିକି ୧୫ ବର୍ଷରୁ ଊଦ୍ଧ୍ୱର୍ ମୋଟରଯାନଗୁଡ଼ିକ ଉପରେ ଗ୍ରୀନ୍ ଟ୍ୟାକ୍ସ ଆଦାୟ କରାଯିବ । ଏହି ବିଲ୍କୁ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଗୃହରେ ଆଗତ କରାଇଥିଲେ । ସେହିପରି ଓଡ଼ିଶା କୃଷିଜାତ ଦ୍ରବ୍ୟ ବଜାର (ସଂଶୋଧନ) ବିଧେୟକ ୨୦୧୭କୁ ମଧ୍ୟ ବିଧାନସଭା ପାରିତ କରିଛି । ଏହି ବିଲ୍କୁ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ଆଗତ କରି କହିଥିଲେ ଯେ ଜାତୀୟ କୃଷି ବଜାରରେ ସାମିଲ୍ ହେବାପାଇଁ ଏବଂ ଭାରତ ସରକାରଙ୍କ କୃଷି ପଦ୍ଧତି ଭିତ୍ତିଭୂମି ପାଣ୍ଠିରୁ ସୁବିଧା ପାଇଁ ତଥା ମୂଲ୍ୟ ନିରୂପଣ ସକାଶେ କେନ୍ଦ୍ରୀୟ ସ୍ତରରେ ଏକ ସାଧାରଣ ଇ-ବଜାର ଜରିଆରେ ଆମ ରାଜ୍ୟର କୃଷିଭିତ୍ତିକ ବଜାରଗୁଡ଼ିକ ଦେଶର ଅନ୍ୟ ବଜାରଗୁଡ଼ିକ ସହିତ ସଂଯୋଗ କରିବା ପାଇଁ ଓଡ଼ିଶା କୃଷିଜାତ ଦ୍ରବ୍ୟ ବଜାର ଅଧିନିୟମ ୧୯୫୬ରେ ଯଥୋଚିତ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି । ଏହି ସଂଶୋଧନ ଦ୍ୱାରା ରାଜ୍ୟ କେନ୍ଦ୍ରୀୟ ଯୋଜନାର ଲାଭ ଉଠାଇ ପାରିବ ଏବଂ ରାଜ୍ୟର କୃଷକମାନେ ସାରା ଦେଶର କ୍ରେତାମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ସେମାନଙ୍କର ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି । ଶେଷରେ ବାଚନିକ ଭୋଟ୍ରେ ବାଚସ୍ପତି ଗୃହରେ ଏହି ବିଲ୍କୁ ପାରିତ କରାଇଥିଲେ ।