ଅଣଛାତ୍ରଙ୍କ ଆତଙ୍କରାଜ୍, ଛାତ୍ରୀଙ୍କୁ ଚାପୁଡ଼ା

ବାଣୀବିହାର କ୍ୟାମ୍ପସ୍ ଅଶାନ୍ତ
ଭୁବନେଶ୍ୱର, (ବୁ୍ୟରୋ): ପୁଣି ଥରେ ଅଶାନ୍ତ ହୋଇଉଠିଛି ବାଣୀବିହାର । କ୍ୟାମ୍ପସ୍ରେ ଆତଙ୍କରାଜ୍ ଖେଲାଇଛନ୍ତି ଅଣଛାତ୍ର । ଛାତ୍ରୀଙ୍କୁ ଚାପୁଡ଼ା ମାରିବା ସହ ଆଶାୟୀ ସଭାପତି ପ୍ରାର୍ଥୀଙ୍କୁ ଆକ୍ରମଣ କରିଛନ୍ତି । କିଛି ଅଣଛାତ୍ରଙ୍କ ଆକ୍ରମଣରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପଟେ ଜଣେ ଅଣଛାତ୍ର କ୍ୟାମ୍ପସ୍ରେ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ଦେଖାଇବା ସହ ଚାପୁଡ଼ା ମରିଥିବା ଅଭିଯୋଗ ହୋଇଛି । ଫଳରେ ଗତ କିଛିଦିନ ହେଲା ଶାନ୍ତ ରହିଥିବା ଉକ୍ରଳ ବିଶ୍ୱବିଦ୍ୟାଳୟ ବୁଧବାର ଅଶାନ୍ତ ହୋଇଉଠିଥିଲା । ଏନେଇ ସହିଦ୍ ନଗର ଥାନାରେ ଦୁଇଟି ଅଭିଯୋଗ ହୋଇଛି । ବୁଧବାର ଅପରାହ୍ନରେ କ୍ୟାମ୍ପସ୍ରେ ଲିଜାରାଣୀ ନାୟକ ନାମକ ଜଣେ ଛାତ୍ରୀ ତାଙ୍କର ଅନ୍ୟ ସାଥୀମାନଙ୍କ ସହ ବୁଲୁଥିବା ବେଳେ ଜଣେ ଅଣଛାତ୍ର ତାଙ୍କୁ କମେଣ୍ଟ ମାରିଥିଲେ । ସେ ଓ ତାଙ୍କ ସାଙ୍ଗମାନେ ଏହାର ବିରୋଧ କରିବାରୁ ଅଣଛାତ୍ର ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଳଜ କରିଥିଲେ ଓ ତାଙ୍କୁ ଏକ ଶକ୍ତ ଚାପୁଡ଼ା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ସହିଦ୍ ନଗର ଥାନାରେ ଜଷର ଅଶଛାତ୍ରଙ୍କ ନାମରେ ଏତଲା ଦେଇଛନ୍ତି । ଅନ୍ୟପଟେ ସନ୍ଧ୍ୟାରେ ବିସିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର କ୍ୟାମ୍ପସ୍ର ୨ ଓ ୪ ନମ୍ବର ଲେଡିଜ୍ ହଷ୍ଟେଲ ଆଗରେ କ୍ୟାମ୍ପେନିଂ କରୁଥିବା ବେଳେ ତାଙ୍କୁ କିଛି ଛାତ୍ର ଓ ଅଣଛାତ୍ର ନିର୍ବାଚନରୁ ଓହରିଯିବାକୁ କହିଥିଲେ । ନହେଲେ ମାରିବାକୁ ଧମକ ଦେବା ସହ ମାଡ଼ କରିଥିଲେ ଓ ଖଣ୍ଡା, ଭୁଜାଲି ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିବା ସୌମ୍ୟ ଅଭିଯୋଗ କରିଛନ୍ତି । ଏଥିରେ ସୌମ୍ୟଙ୍କ ତଳିପେଟରେ ଆଘାତ ଲାଗିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏ ଘଟଣାରେ ସୌମ୍ୟ ସହିଦ ନଗର ଥାନାରେ ୫ଜଣଙ୍କ ନାମରେ ଏତଲା ଦାୟର ଦେଇଛନ୍ତି । ତେବେ ଏହି ଘଟଣା ପରେ କ୍ୟାମ୍ପସ୍ରେ ଚାପା ଉତ୍ତେଜନା ଲାଗିରହିଛି । ଅନ୍ୟପଟେ କ୍ୟାମ୍ପସ୍ରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ପରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାରମ୍ବାର ଅଣଛାତ୍ରଙ୍କ ପ୍ରବେଶ କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି କରୁଥିବା ବେଳେ ପୁଲିସ୍ ଓ କର୍ତ୍ତୃପକ୍ଷ ଚୁପ୍ ବସିଛନ୍ତି । କ୍ୟାମ୍ପସ୍ର ପ୍ରବେଶ ପଥରେ ପ୍ରବେଶ ପତ୍ର ବିନା ପ୍ରବେଶ ନିଶିଦ୍ଧ ଥିବା ବେଳେ ମନଇଚ୍ଛା ଯେ କେହି ପଶିପାରୁଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।