ଏସପିଙ୍କୁ ଭେଟିଲା ମାନବାଧିକାର ଟିମ୍

panikoili,-sp-nku-vetila-barsara-bapa-maa-o-manabadhikar-karmi-(2)

ବର୍ଷା ହତ୍ୟାକାଣ୍ଡ ଘଟଣା
ପାଣିକୋଇଲି (ଆପ୍ର): ବହୁଚର୍ଚ୍ଚିତ ସୁକିନ୍ଦା ଥାନା ଦାମୋଦରପୁର ଗ୍ରାମର ରମେଶ ପାତ୍ରଙ୍କ ବଡ଼ଝିଅ ପ୍ରଭାତି ପାତ୍ର ଓରଫ ବର୍ଷା (୧୯)ର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ଗିରଫ ଦାବିରେ ସୁକିନ୍ଦା ପୁଲିସର ଶିଥିଳତା ଯୋଗୁଁ ବୁଧବାର ବର୍ଷାର ବାପାମା’ଙ୍କ ସହିତ ଜିଲ୍ଲା ମାନବାଧିକାର କର୍ମୀଙ୍କର ଏକ ଟିମ ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟକାର୍ଯ୍ୟାଳୟରେ ସାକ୍ଷାତ କରିଛି । ସୂଚନା ମୁତାବକ, ଶିବ ସୋରେନ୍ ବର୍ଷା ପ୍ରତିଦିନ କଲେଜ ଯାଉଥିବା ବସକୁ ବୁଝାଶୁଝା କରୁଥିବା ବେଳେ ୨ବର୍ଷ ହେବ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଗତ ୨୪ତାରିଖ ଗୁରୁବାର ସକାଳ ୭ଟାରେ ବର୍ଷାର ମୃତଦେହ ବୋତଲଣ୍ଡା ନାଳ ନିକଟରୁ ମିଳିଥିଲା । ବର୍ଷାର ବାମ ଆଖି ପତାରେ ଗଭୀର କ୍ଷତ ଚିହ୍ନ ମଧ୍ୟ ରହିଥିଲା । ତେଣୁ ଶିବ ସୋରେନ୍ ହିଁ ବର୍ଷାର ହତ୍ୟା କରିଥିବା ନେଇ ବର୍ଷାର ବାପା ରମେଶ ପାତ୍ର, ମା’ ଅଖଜୀ ପାତ୍ର ପୁଲିସ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ଏ ସଂକ୍ରାନ୍ତରେ ସୁକିନ୍ଦା ପୁଲିସ କେଶ ନମ୍ବର ୬୮/୨୦୧୭ ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରି ଚୁପ ହୋଇ ବସିଯାଇଛି । ଶିବ ସୋରେନ୍ ଶାସକ ଦଳର ଆଗଧାଡ଼ିର କର୍ମୀ ହୋଇଥିବାରୁ ରାଜନୈତିକ ଚାପରେ ପୁଲିସ ତାକୁ ଗିରଫ କରୁନାହିଁ ବୋଲି ବର୍ଷାର ବାପାମା’ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ବୁଧବାର ବାପା ଶ୍ରୀ ରମେଶ ପାତ୍ର, ମା’ ଅଖଜୀ ପାତ୍ରଙ୍କ ସମେତ ଜିଲ୍ଲା ମାନବାଧିକାର କର୍ମୀ ଗୟାଧର ମଳ୍ଲିକ, ଅକ୍ଷୟ କୁମାର ଜେନା ଓ ବିଶ୍ୱନାଥ ପାତ୍ର ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୁକ୍ତ ଶିବକୁ ଗିରଫ କରିବା ନେଇ ଦାବି ଜଣାଇଛନ୍ତି । ଏନେଇ ଏସ୍ପି ଶ୍ରୀ ମୀନା ତଦନ୍ତ ପକ୍ରିୟା ଚାଲୁ ରହିଛି ଓ ଆସାମୀକୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି ।