ଆସିବ ନୂଆ ଗାଇଡ୍ଲାଇନ୍

school-children

ସ୍କୁଲ୍ ପିଲାଙ୍କ ସୁରକ୍ଷା ଚିନ୍ତା
ନୂଆଦିଲ୍ଲୀ, ୧୨ା୯: ଗୁରୁଗ୍ରାମରେ ୭ ବର୍ଷର ଛାତ୍ରକୁ ହତ୍ୟା କରାଯିବା ଘଟଣା ପରେ କେନ୍ଦ୍ର ସରକାର ଏବେ ଚେତିଛନ୍ତି । ସ୍କୁଲ୍ଗୁଡିକୁ ଯାଉଥିବା ପିଲାମାନଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କୁ ଯେକୌଣସି ପ୍ରକାର ନିର୍ଯାତନାରୁ ସୁରକ୍ଷା ଦେବା ଲାଗି ଏକ ନୂଆ ଗାଇଡ୍ଲାଇନ୍ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଶିଶୁ ଅଧିକାର ପରିଷଦ ଓ ସିବିଏସ୍ଇ ସମେତ ଶିକ୍ଷା ସଂସ୍ଥାଗୁଡିକ ସହ ଏକ ମିଳିତ ବୈଠକ କରାଯାଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ଓ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ଉଚ୍ଚସ୍ତରୀୟ ବୈଠକ ନେଇଛନ୍ତି । ବୈଠକରେ ଶ୍ରୀମତୀ ଗାନ୍ଧି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଶ୍ରୀ ଜାଭେଦକରଙ୍କୁ ଅନୁରୋଧ କରିଛନ୍ତି ଯେ ସହଯୋଗୀ କର୍ମଚାରୀଭାବେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରିବା ପ୍ରସ୍ତାବକୁ ବିଚାର କରାଯାଉ । ବସ୍ ଡ୍ରାଇଭର ଓ କଣ୍ଡକ୍ଟରମାନଙ୍କ ଲାଗି କଠୋର ନିୟମ କରାଯିବା ସହ ସହଯୋଗୀ ଷ୍ଟାଫ୍ମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ନିୟମ ରହୁ । ସ୍କୁଲ୍ଗୁଡିକରେ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ଶୋଷଣର ଫିଲ୍ମକୁ ଯାଞ୍ଚ କରାଯାଇ ପ୍ରଦର୍ଶିତ କରାଯିବା ସହ ଯୌନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ଦେବା ଆଇନ (ପୋସ୍କୋ) ଓ ଇ-ବକ୍ସ, ଶିଶୁ ହେଲ୍ପ ଲାଇନ୍ – ୧୦୯୮ ସମ୍ପର୍କରେ ଏନ୍ସିଆର୍ଟି ତାଙ୍କ ପୁସ୍ତକରେ ସ୍ଥାନୀତ କରିବା ଉଚିତ୍ । ଶିଶୁମାନଙ୍କୁ ସ୍କୁଲ୍ରେ ସୁରକ୍ଷା ଦେବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ସମ୍ପର୍କରେ ଚିଠି ଲେଖିବା ଲାଗି ଶ୍ରୀ ଜାଭେଦ୍କର ପ୍ରସ୍ତାବ ଦେଇଛନ୍ତି । ଶ୍ରୀମତୀ ଗାନ୍ଧି କହିଛନ୍ତି ଯେ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ବୈଠକର ମୁଖ୍ୟ ଆଭିମୁଖ୍ୟ ହେଉଛି ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବା । ଏହି ଗାଇଡ୍ଲାଇନ୍ରେ ଥିବା ପ୍ରୋଟୋକଲ୍କୁ ସମସ୍ତ ସ୍କୁଲ୍ ପାଳନ କରିବେ ଓ ଶିଶୁମାନଙ୍କୁ ଶାରିରୀକ ଓ ମାନସିକ ଯନ୍ତ୍ରଣାରୁ ସୁରକ୍ଷା ଦେବେ । ଏହାଛଡା ଅଭିଭାକ, ଶିକ୍ଷକମାନେ ପିଲାମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବେ ଓ ସେମାନଙ୍କ ଚାଲିଚଳଣୀ ଉପରେ ସର୍ବଦା ନଜର ରଖିବେ । ଯଦି କୌଣସି ସନେ୍ଦହ ଆସିଲା ତେବେ ଶିଶୁ ସୁରକ୍ଷା ହେଲ୍ପଲାଇନ୍ ଓ ପୋସ୍କୋ ଇ-ବକ୍ସକୁ ତୁରନ୍ତ ଜଣାଇବେ । ମହିଳା ଓ ଶିଶୁ ବିକାଶ ପକ୍ଷରୁ ଶିଶୁଙ୍କ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଉଭୟ ଇଲେକ୍ଟ୍ରୋନିକ୍ସ ଓ ସୋସିଆଲ୍ ମିଡିଆରେ ଆରମ୍ଭ କରାଯାଇଛି । ଏହି ବୈଠକରେ ଶିଶୁ ସୁରକ୍ଷା ଅଧିକାର କମିଶନର ଅଧିକାରୀ, ସିବିଏସ୍ଇ ଅଧିକାରୀ, ଏନ୍ସିଆର୍ଟିର ଅଧିକାରୀ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଗୁରୁଗ୍ରାମ ରାୟନ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ରେ ଜଣେ ୭ ବର୍ଷର ବାଳକର ହତ୍ୟା ଓ ଦିଲ୍ଲୀ ସ୍କୁଲ୍ରେ ଜଣେ ପିଅନ ୫ ବର୍ଷର ଝିଅକୁ ଧର୍ଷଣ କରିବା ଅଭିଯୋଗ ଆସିଥିଲା । ଏହି ଘଟଣା ପରେ ଶିଶୁମାନଙ୍କ ସୁରକ୍ଷା ନେଇ ଗଭୀର ଚିନ୍ତାପ୍ରକଟ କରାଯାଇଛି ।