ବଜ୍ରପାତରେ ୭ ମୃତ

lighting

ହାଟଡିହି/କେନ୍ଦ୍ରାପଡ଼ା/ପିପଲି, ୧୨ା୯(ଆପ୍ର): ମଙ୍ଗଳବାର ଅପରାହ୍ଣରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି । ପୁରୀ ଜିଲ୍ଲାର ପିପିଲି, କେନ୍ଦୁଝର ଜିଲ୍ଲାର ହାଟଡିହି, ଭଦ୍ରକର ବନ୍ତ, କେନ୍ଦ୍ରାପଡ଼ା ଓ ନୂଆପଡ଼ା ଜିଲ୍ଲାରେ ବଜ୍ରପାତ ଘଟି ଦମ୍ପତି ଓ ନଣନ୍ଦ ଭାଉଜଙ୍କ ସମେତ ୭ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୫ରୁ ଅଧିକ ଆହତ ହୋଇଛନ୍ତି । ପିପିଲି ନିକଟ ଖେଲାର ପଞ୍ଚାୟତ ବଡ଼ବରହମପୁର ଗ୍ରାମର ପ୍ରମିଳା ପରିଡ଼ା (୬୫) ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ତାଙ୍କୁ ମଙ୍ଗଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ଉତ୍ତରା ଶାସନରୁ ବଜ୍ରପାତ ଘଟି ଜଣେ ବାଳକର ମୃତୁ୍ୟ ଘଟିଥିଲା । ହାଟଡିହି ବ୍ଲକ୍ ଶଙ୍କରପାଲିଆ ଗ୍ରାମରେ ଜଣକର ମୃତୁ୍ୟ ଘଟିଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି । ଗ୍ରାମର ପାଇକରାୟ ହୋ ଓରଫ୍ ବ୍ରଜ (୪୨) ଘର ଭିତରେ ବସିଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଥିରେ ତାଙ୍କର ମୃତୁ୍ୟ ଘଟିଥିବା ବେଳେ ତାଙ୍କ ପତ୍ନୀ ଆହତ ହୋଇଥିଲେ । ନୂଆପଡ଼ା ଜିଲ୍ଲାର କୋମନା ଥାନା ଭାରୁଆମୁଣ୍ଡା ଗ୍ରାମରେ ବିଲରୁ କାମ ସାରି ଫେରୁଥିବା ବେଳେ ନଣନ୍ଦ ଭାଉଜ ବଜ୍ରପାତର ଶିକାର ହୋଇଥିଲେ । ପ୍ରବଳ ବର୍ଷା ହେବାରୁ ଭାଉଜ ଲକ୍ଷ୍ମୀ ମାଝୀ (୩୫) ଓ ନଣନ୍ଦ ଭାଗ୍ୟବନ୍ତୀ (୧୮) ଏକ ଗଛମୂଳେ ଆଶ୍ରୟ ନେଇଥିଲେ । ଗଛ ଉପରେ ଘଡ଼ଘଡ଼ି ପଡ଼ି ଉଭୟଙ୍କ ମୃତୁ୍ୟ ଘଟିଥିଲା । ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ପ୍ରାଣ ହରାଇଛି । ଏଥିସହିତ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଓଡ଼ାଙ୍ଗ ପଞ୍ଚାୟତ ବରପଦୀ ଗ୍ରାମର ନୃସିଂହ ବେହେରା (୪୫) ବିଲରୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇ ମୃତୁ୍ୟବରଣ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଘଣ୍ଟା ଧରି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେତୁ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇପଡ଼ିଥିଲା । ଗରଦପୁର ବ୍ଲକ୍ ଅଞ୍ଚଳରେ ଦୁଇ ଯାଆ କଳ୍ପନା ସ୍ୱାଇଁ ଓ ମମତା ସ୍ୱାଇଁ ବଜ୍ରପାତର ଶିକାର ହୋଇଥିଲେ । ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡସାନପୁଟ ପଞ୍ଚାୟତର ଛୋଟୋଯୋଡି ଗ୍ରାମରେ ଜଣେ ଯୁବକ ଘଡଘଡି ପଡି ଆହତ ହୋଇଛନ୍ତି । ରୋହିତ ପାଲଟାସିଂହ ନାମକ ଏହି ଯୁବକ ଘରେ ବସିଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ ।