ଶିଳ୍ପ ଜଳ କର ୧୦% ବୃଦ୍ଧି

28

ଏକ କୁ୍ୟସେକ୍ରୁ ଅଧିକ ପାଣି ପାଇଁ ଅଫେରନ୍ତି ଜମା ଅଢ଼େଇ କୋଟି
ଭୁବନେଶ୍ୱର, ୪ା୫ (ବୁ୍ୟରୋ): ଶିଳ୍ପସଂସ୍ଥାଗୁଡ଼ିକ ନିଜସ୍ୱ ବ୍ୟବହାର ପାଇଁ ନେଉଥିବା ଜଳ ଉପରେ ୧୦% ଶୁଳ୍କ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷରୁ ଏହା ଲାଗୁ ହେବ । ବର୍ଦ୍ଧିତ ଶୁଳ୍କରୁ ସରକାର ପ୍ରାୟ ୪୦ କୋଟିଟଙ୍କା ଅଧିକ ରାଜସ୍ୱ ପାଇବେ । ଏହାଛଡ଼ା ଯେଉଁ ସଂସ୍ଥାମାନେ ଏକ କୁ୍ୟସେକ୍ରୁ ଅଧିକ ଜଳ ନେଉଛନ୍ତି ସେମାନେ ଅଢେଇକୋଟି ଟଙ୍କା ଜମା କରିବେ । ଏବାବଦରେ ସରକାର ପ୍ରାୟ ୧୫୦୦ରୁ ୨୦୦୦ କୋଟିଟଙ୍କା ରାଜସ୍ୱ ସଂଗ୍ରହ କରିବେ ବୋଲି ଜଣାପଡ଼ିଛି ।  ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୧୦ରେ ଶିଳ୍ପ ଜଳକର ବୃଦ୍ଧି କରାଯାଇଥିଲା । ପୁଣି ୫ବର୍ଷ ପରେ ଏହାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଜଳସଂପଦ ନୀତିରେ ସଂଶୋଧନ କରାଯାଉଛି ଓ କ୍ୟାବିନେଟ୍ର ମଧ୍ୟ ଅନୁମୋଦନ ନିଆଯାଇଛି । ଶିଳ୍ପସଂସ୍ଥା ଗୁଡ଼ିକରୁ ଜଳକର ବାବଦରେ ସରକାର ବାର୍ଷିକ ୩୩୬ କୋଟି ଟଙ୍କା ରାଜସ୍ୱ ପାଇଥାନ୍ତି । ସେହିଭଳି ଯେଉଁ ଶିଳ୍ପସଂସ୍ଥାମାନେ ଏକ କୁ୍ୟସେକ୍ରୁ ଅଧିକ ଜଳ ବ୍ୟବହାର ପାଇଁ ନେଉଛନ୍ତି ସେମାନେ ଅଢେଇକୋଟି ଟଙ୍କା ଜମା କରିବେ । ଏହି ଅର୍ଥରେ ବନ୍ଧବାଡ଼ର ଉନ୍ନତିକରଣ କରାଯିବା ସହ ଜଳଉତ୍ସ ସୃଷ୍ଟି କରାଯିବ । ଜଳସେଚନ ପାଇଁ ମଧ୍ୟ ଏହି ଅର୍ଥ ବିନିଯୋଗ କରାଯିବ । ସୂଚନାଯୋଗ୍ୟ, ମହାନଦୀ କୋଲ୍ ଫିଲ୍ଡ ବର୍ଷକୁ ୯୫ କୁ୍ୟସେକ୍ ଜଳନେଉଥିବା ବେଳେ ବହୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟ ପାଖାପାଖି ୧୦୦ କୁ୍ୟସେକ୍ ଜଳ ନେଉଛନ୍ତି । ଅନେକ ଘରୋଇ ସଂସ୍ଥା ମଧ୍ୟ ଏକରୁ ଅଧିକ କୁ୍ୟସେକ୍ ଜଳ ନେଉଛନ୍ତି । ପୂର୍ବରୁ ୫କୁ୍ୟସେକ୍ରୁ ଅଧିକ ଜଳ ନେଉଥିବା ସଂସ୍ଥା ଅଢେଇକୋଟି ଟଙ୍କା ଦେବା ପାଇଁ ବ୍ୟବସ୍ଥା ଥିଲା । ଏବେ ଏହି ନୀତିର ପରିବର୍ତ୍ତନ କରାଯାଇଛି । ୨୦୧୪-୧୫ ଆର୍ଥିକବର୍ଷରେ ଶିଳ୍ପ ଜଳକର ବାବଦରେ ୫୫୬ କୋଟି୨୦ ଲକ୍ଷ ଟଙ୍କା ଆଦାୟ ହୋଇଛି । ସେଥିମଧ୍ୟରୁ ୨୨୨ କୋଟି ଟଙ୍କା ହେଉଛି ବିଭିନ୍ନ ଶିଳ୍ପସଂସ୍ଥା ଉପରେ ଥିବା ବକେୟା । ସୂଚନାଯୋଗ୍ୟ ଶିଳ୍ପସଂସ୍ଥା ଗୁଡ଼ିକ ଉପରେ ମୋଟ ୧୨୫୨ କୋଟିଟଙ୍କା ଜଳକର ବକେୟା ରହିଛି । ସେଥିମଧ୍ୟରୁ ୮୦୦ କୋଟିଟଙ୍କା ଜଳକର ବାବଦରେ ବିଭିନ୍ନ ଶିଳ୍ପସଂସ୍ଥା ହାଇକୋର୍ଟରେ ମାମଲା କରିଛନ୍ତି । ଅବଶିଷ୍ଟ ୪୫୨ କୋଟିଟଙ୍କା ଦେୟ ଉପରେ କୌଣସି ମାମଲା ନାହିଁ । ଏହି ରାଶିକୁ ଆଦାୟ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସେହିଭଳି ଅଦାଲତରେ ମାମଲା କରିଥିବା ସଂସ୍ଥାଗୁଡ଼ିକ ସହ ଆପୋଷ ବୁଝାମଣା ପାଇଁ ପଦକ୍ଷେପ ନିଆଯାଉଛି । ଏଥିପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ସହ ଆଲୋଚନା କରାଯାଉଛି । ଏହାପରେ ଘରୋଇ ଶିଳ୍ପସଂସ୍ଥା ସହ ଆଲୋଚନା କରାଯିବ । ବକେୟା ରାଶି କିଭଳି ଅସୁଲ ହୋଇ ପାରିବ ସେଥିପାଇଁ ଜଳସଂପଦ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି ।
ଜଳସଂପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଜେନା କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ ପତ୍ର ଲେଖି ବିଭିନ୍ନ ଶିଲ୍ପସଂସ୍ଥା ନେଉଥିବା ଜଳର ପରିମାଣ ସଠିକ୍ ଭାବେ ଆକଳନ କରିବା ସହ ଭୂତଳ ଜଳ କେଉଁମାନେ ବ୍ୟବହାର କରୁଛନ୍ତି, ଏଥିପାଇଁ ଆବଶ୍ୟକ ଅନୁମତି ଅଛି କି ନାହିଁ ତାହା ତଦାରଖ କରି ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି, ଏଣିକି ପ୍ରତିମାସରେ ଶିଳ୍ପସଂସ୍ଥା ଗୁଡ଼ିକୁ ସେମାନଙ୍କ ପାଇଁ ଆବଣ୍ଟନ ହୋଇଥିବା ଜଳର ପରିମାଣ ଅନୁଯାୟୀ ବିଲ୍ ଦିଆଯିବ । ପ୍ରତି ତିନିମାସରେ ସେମାନେ କେତେ ପରିମାଣର ଜଳ ବ୍ୟବହାର ପାଇଁ ନେଇଛନ୍ତି ତାହାକୁ ଅନୁଧ୍ୟାନ କରାଯାଇ ଚୂଡ଼ାନ୍ତ ବିଲ୍ ପ୍ରଦାନ କରାଯିବ । ଶିଳ୍ପସଂସ୍ଥାଗୁଡ଼ିକୁ ପ୍ରତିମାସରେ ଜଳକର ପଇଠ ପାଇଁ କୁହାଯିବ । ଖିଲାପି ସଂସ୍ଥା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।




Powered by odothemes.com