ଚାଷୀ ପ୍ରସଙ୍ଗରେ ଗୃହ ସରଗରମ

narasingh

ଭୁବନେଶ୍ୱର, (ବୁ୍ୟରୋ): ଚାଷୀଙ୍କ ସମସ୍ୟା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନହେବା ପ୍ରସଙ୍ଗରେ ମଙ୍ଗଳବାର ବିଧାନସଭାରେ ସରଗରମ୍ ଆଲୋଚନା ହୋଇଛି । ଗୃହ କମିଟିକୁ ସାକ୍ଷାତ ପାଇଁ ପ୍ରଧାନମନ୍ତ୍ରୀ ସମୟ ନଦେବା ଘଟଣାକୁ କଂଗ୍ରେସ ଓ ବିଜେଡି ବିଧାୟକମାନେ ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀଙ୍କ ନାମରେ ନିନ୍ଦା ପ୍ରସ୍ତାବ ଆଣିବାକୁ ମଧ୍ୟ ମତ ରଖିଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସମୟ ମଗାଯାଇଥିଲା କି ବୋଲି ପ୍ରଶ୍ନ କରି ବିଜେପି ବିଧାୟକମାନେ ଅଡୁଆରେ ପଡ଼ିଛନ୍ତି । ଆଜି ବିଧାନସଭାରେ “ଚାଷୀ ଆଖିରେ ଲୁହ । ସମାଧାନ ପରିବର୍ତ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୋଷ ଲଦାଲଦି’ ଶୀର୍ଷକ ମୁଲତବୀ ପ୍ରସ୍ତାବରେ ଆଲୋଚନା କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ୨୦୧୪ ନିର୍ବାଚନରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚଠାରୁ ଦେଢ଼ଗୁଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାହା କଲେନାହିଁ । ରାଜ୍ୟ ସରକାର ମାତ୍ର ୨୫% ସହାୟକ ମୂଲ୍ୟ ବୃଦ୍ଧି କରିବାରେ ନିଜର ସନ୍ତୋଷ ବ୍ୟକ୍ତ କଲେ । ସର୍ବସମ୍ମତ ପ୍ରସ୍ତାବ ପାରିତ ପାଇଁ ବିରୋଧୀ ଦଳ ଏଥିରେ ରାଜି ହେଲା । ଦେଢ଼ଗୁଣ ବୃଦ୍ଧି ହୋଇଥିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୩୫୧୬ ଟଙ୍କା ହୋଇଥାନ୍ତା । ହେଲେ ଗୃହ କ୍ୱିଣ୍ଟାଲ୍ ପିଛା ୨୯୩୦ ଟଙ୍କାରେ ସହମତି ପ୍ରଦାନ କଲା । ଏଥିପାଇଁ ଗୃହ କମିଟି ଗଠନ କରାଗଲା । ପ୍ରଧାନମନ୍ତ୍ରୀଙ୍କୁ ସମୟ ମଗାଗଲା । ହେଲେ ସମୟ ମିଳିଲା ନାହିଁ । ଏତିକିରେ ସରକାର ବସିଗଲେ । ପୁନର୍ବାର ସମୟ ମାଗିବା ଲାଗି ପଦକ୍ଷେପ ନିଆଗଲା ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୮୦ଟଙ୍କା ବୃଦ୍ଧି ହେଲା । ଚାଷୀ ଆଖିର ଲୁହ ସରକାରଙ୍କୁ ଦିଶୁନାହିଁ । କୃଷିମନ୍ତ୍ରୀ ଖାଲି ହସୁଛନ୍ତି । କେବଳ ଗୋଟିଏ ଉତ୍ତର ରଖୁଛନ୍ତି ଚାଷୀଙ୍କ ପାଇଁ ଏ ସରକାର କୃଷି ବଜେଟ୍, କୃଷି କ୍ୟାବିନେଟ୍ ଓ ସ୍ୱତନ୍ତ୍ର ନୀତି ଆଣିଛନ୍ତି । ଚାଷୀ ଧାନର ଅଭାବୀ ବିକି୍ରର ସମ୍ମୁଖୀନ ହେଉଛି । ଗୃହକୁ ବିଭ୍ରାନ୍ତ କରାନଯାଉ । ଚାଷୀ ଆତ୍ମହତ୍ୟାକୁ ସରକାର ସ୍ୱୀକାର କରୁନାହାନ୍ତି । ପ୍ରଚାରସର୍ବସ୍ୱ ହୁଅନ୍ତୁ ନାହିଁ । ଚାଷୀଙ୍କ ପାଇଁ କାର୍ଯ୍ୟ କରିବା ଉଚିତ୍ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଲେ ଯେ, ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସମୟ ଦେବା ବିଧାନସଭା ଓ ରାଜ୍ୟବାସୀଙ୍କ ପ୍ରତି ଅପମାନ । ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଅଣାଯାଉ । ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କୁ ଗୃହ କମିଟି କେବେ ଓ କେଉଁ ତାରିଖରେ ସମୟ ମାଗିଥିଲା, ତାହା ଗୃହରେ ମନ୍ତ୍ରୀ ପ୍ରକାଶ କରନ୍ତୁ । ସମୟ ନମାଗି ଅଯଥା ଦୋଷାରୋପ କରନ୍ତୁ ନାହିଁ । କେନ୍ଦ୍ରକୁ ଦୋଷ ଦେବା ଏ ସରକାରର ଏକ ଅଭ୍ୟାସ ହୋଇଛି । ଏବେବି ଚାଷୀ ଅଭାବୀ ବିକି୍ରର ଶିକାର ହେଉଛନ୍ତି । ବିଜେପି ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କ ପାଇଁ କିଛି କରୁନଥିବା କହିଛନ୍ତି । ଚାଷୀ ଆତ୍ମହତ୍ୟା ମାମଲାରେ ଗୃହ କମିଟି ତଦନ୍ତ କରିବାକୁ ଯିବ ବୋଲି କହିଥିଲେ । ମାତ୍ର ତାହା ହେଲାନାହିଁ । କଂଗ୍ରେସ ବିଧାୟକ ନବକିଶୋର ଦାସ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଧ୍ୟାନ ଆକର୍ଷଣକାରୀ ନୋଟିସ୍ରେ ଆଲୋଚନା କରି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା କହିଲେ, ଚାଷୀଙ୍କ ପାଇଁ ସମସ୍ତଙ୍କର ଉତ୍ତର ଦାୟିତ୍ୱ ରହିଛି । ୭୧ବର୍ଷର ସ୍ୱାଧୀନତା ପରେ ଏବେ ଆମକୁ ସମୀକ୍ଷା କରିବାର ସମୟ ଆସିଛି । ପ୍ରଧାନମନ୍ତ୍ରୀଙ୍କୁ ଗୃହ କମିଟି ଚିଠି ଦେଇଥିଲା ଓ ଏହାର ଉତ୍ତର ମଧ୍ୟ ଆସିଛି । ଯାହା ବୋଧହୁଏ କେ.ଭି. ସିଂହଦେଓ ଜାଣିନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସାକ୍ଷାତ କରିବା ପାଇଁ ସିଧାସଳଖ ମନା କରିଛନ୍ତି । ନବୀନ ପଟ୍ଟନାୟକଙ୍କର ୧୭ବର୍ଷ ଶାସନକାଳରେ ଚାଷୀ ସମସ୍ୟାର ସମାଧାନ ପାଇଁ ବହୁ ପଦକ୍ଷେପ ନିଆଯାଇଛି । ତେବେ ଆହୁରି କିଛି କରାଯିିବାର ବାକି ରହିଛି । ପୂର୍ବରୁ ଏଫ୍ସିଆଇ ଧାନ କିଣୁଥିଲାବେଳେ ଚାଷୀମାନେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଥିଲେ, ଧାନ କ୍ରୟର ବିକେନ୍ଦ୍ରୀକରଣ ପରେ ଏବେ ସେ ସମସ୍ୟା ନାହିଁ । ୫୪ଲକ୍ଷ ଟନ୍ ଧାନ କିଣା ହୋଇଛି । ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୮ହଜାର କୋଟି ଟଙ୍କା ଅନ୍ଲାଇନ୍ରେ ଦିଆଯାଇଛି । ଓଡ଼ିଶାରେ ପ୍ରଚଳିତ ହେଉଥିବା ଧାନ କ୍ରୟ ବ୍ୟବସ୍ଥାକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି । ଅନ୍ୟ ରାଜ୍ୟ ଏହାକୁ ଅନୁକରଣ କରିବା ଉଚିତ୍ ବୋଲି ସେ କହିଛନ୍ତି । କୃଷି କ୍ୟାବିନେଟ୍ ଓ ସ୍ୱତନ୍ତ୍ର କୃଷିନୀତି ନବୀନ ପଟ୍ଟନାୟକ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଚାଷୀ ସମସ୍ୟାର ସମାଧାନ ପାଇଁ ମାନସିକ ସ୍ତରରେ ଏକ ସହମତି ପାଇବା ଆବଶ୍ୟକ । ଏଥିରେ କୌଣସି ସନେ୍ଦହ ରହିବା ଉଚିତ୍ ନୁହେଁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ବିଧାୟକ ମହେଶ ସାହୁ ମଧ୍ୟ ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ସମୟ ନଦେବା ନିନ୍ଦନୀୟ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଯାହା କହିଥିଲେ, ତାହା ପାଳନ କରିନାହାନ୍ତି । ଦେଢ଼ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଯଦି ତାଙ୍କ ଗଣିତରେ ୮୦ଟଙ୍କା ହୁଏ, ଏଥିରେ କାହାକୁ କିଛି କହିବାର ନାହିଁ । ଖାଲି ବାହାବାହା ନେବା ପାଇଁ ଭାଷଣ ଦେଲେ କିଛି ହେବନାହିଁ । ଚାଷୀଙ୍କ ସମସ୍ୟା ସମାଧାନ କରାଯାଉ । ବିଧାୟିକା ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଆଲୋଚନାର ଉତ୍ତର ରଖି କୃଷିମନ୍ତ୍ରୀ ଦାମୋଦର ରାଉତ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କୁ ୨୦୧୭ ଏପି୍ରଲ୍ ୧୭ରେ ସମୟ ମଗାଯାଇଥିଲା । ସେ କ’ଣ ଜବାବ୍ ଦେଇଛନ୍ତି, ତାହା ବିଧାୟକ ବୁଝିପାରିବେ । ରାଜ୍ୟ ସରକାର ଚାଷୀର ଉନ୍ନତି ପାଇଁ ଅନେକ କିଛି ପଦକ୍ଷେପ ନେଇଛନ୍ତି । ୨୦୧୩-୧୪ ଆର୍ଥିକବର୍ଷରେ ୭୧୬୨ କୋଟି ଟଙ୍କା କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବ୍ୟୟ ପାଇଁ ଅଟକଳ କରାଯାଇଥିବାବେଳେ ୨୦୧୭-୧୮ରେ ଏହା ୧୪୯୩୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଚାଷୀ କେବେ ଆତ୍ମହତ୍ୟା କରେନାହିଁ । ଉପକୂଳ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ଘଟଣା କାଁଭାଁ ହେଉଥିଲାବେଳେ ଅନ୍ୟ ଅଞ୍ଚଳରେ କାହିଁକି ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ଜମି ସିଲିଂର ମଧ୍ୟ ଅନୁସନ୍ଧାନ ହେବା ଉଚିତ୍ । ଚାଷୀକୁ କିଭଳି ତା’ର ପ୍ରାପ୍ୟ ମିଳିବ, ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍ । ସମସ୍ତଙ୍କର ନୈତିକ ଦାୟିତ୍ୱ ରହିଛି । ଖାଲି ଭାଷଣ ମାରିଦେଲେ ହେବନାହିଁ । ଚାଷୀଙ୍କ କଲ୍ୟାଣ ଲାଗି ଯେଉଁଯେଉଁ ପଦକ୍ଷେପ ନିଆଯାଇଛି, ତାହା ବିସ୍ତୃତ ଭାବେ ଗୃହରେ ଉପସ୍ଥାପନ କରାଯାଇଛି ବୋଲି ସେ କହିଥିଲେ ।