ବିଧାନସଭାରେ ତାତି

Screen-shot-2017-09-11-at-11.09.36-AM-768x565

ଭୁବନେଶ୍ୱର,୧୧ା୯(ବୁ୍ୟରୋ): ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ ଆଜି ବିଧାନସଭା ହୁଲସ୍ତୁଲ ହୋଇଛି । ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ପ୍ରଥମେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ କଂଗ୍ରେସ ଓ ବିଜେପି ଅଡିବସିଥିଲେ । ଫଳରେ ପ୍ରଥମାର୍ଦ୍ଧ ଅଧିବେଶନ ମାତ୍ର ୬ ମିନିଟ୍ ଚାଲିବା ସମ୍ଭବପର ହୋଇଥିଲା । ଅପରାହ୍ଣ ଅଧିବେଶନରେ ଅନୁରୂପ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ । କାର୍ଯ୍ୟପରାମର୍ଶଦାତା କମିଟି ଏ ପ୍ରସଙ୍ଗରେ କେବେ ଆଲୋଚନା ହେବ ଓ କେତେ ସମୟ ଆଲୋଚନା ହେବ ସମୟ ଧାର୍ଯ୍ୟ କରିବା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବା ପରେ ଗୃହ ସ୍ୱାଭାବିକ ହୋଇଥିଲା । ପ୍ରଥମାର୍ଦ୍ଧ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସମ୍ପର୍କରେ ବିବୃତି ରଖି କହିଥିଲେ ଯେ ଗତକାଲି ନିର୍ମାଣାଧୀନ ଓଭରବ୍ରିଜ୍ ଭାଙ୍ଗିପଡିବା ଏକ ଦୁଃଖଦ ଘଟଣା । ବ୍ରିଜ୍ଟିର ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଦିବା ୧୨.୪୫ମିନିଟ୍ରେ ତାହା ଭାଙ୍ଗି ପଡିଥିଲା । ଫଳରେ ଗୋଟିଏ ମୂଲ୍ୟବାନ ଜୀବନ ଯିବା ସହ ୧୧ଜଣ ଆହତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ, ଭୁବନେଶ୍ୱର ମହାନଗର ନିଗମ, ଅଗ୍ନିଶମ ବାହିନୀ, ପୁଲିସ୍, ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ବରିଷ୍ଠ ଅଫିସରଙ୍କ ସମେତ ସ୍ୱତନ୍ତ୍ର ରିଲିଫ୍ କମିଶନର, ପୂର୍ତ୍ତ ସଚିବ, ପୁଲିସ କମିଶନର, ଓ ଡିସିପି ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ଆହତମାନଙ୍କୁ ତୁରନ୍ତ କ୍ୟାପିଟାଲ ଓ ଏମ୍୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଭାଙ୍ଗି ପଡିଥିବା କଂକ୍ରିଟଗୁଡ଼ିକୁ ସନ୍ଧ୍ୟା ସୁଦ୍ଧା କଢ଼ାଯାଇଛି । ତେବେ ତାହା ତଳେ କୌଣସି ମୃତାହତ ହୋଇନାହାଁନ୍ତି । କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସକୁ ସେ ନିଜେ ପରିଦର୍ଶନ କରିବାକୁ ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି । ଏହି ଦୁଃଖଦାୟକ ଘଟଣାରେ ମୃତୁ୍ୟବରଣ କରିଥିବା ସତ୍ୟବ୍ରତ ପଟ୍ଟନାୟକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସରକାର ଆହତମାନଙ୍କର ଚିକିତ୍ସା ଖର୍ଚ୍ଚ ବହନ କରିବେ । ଘଟଣା ସଂପର୍କରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ବ୍ରିଜର ନିର୍ମାଣ ଦାୟିତ୍ୱ ନେଇଥବା ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ୍ର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ସହକାରୀ ଯନ୍ତ୍ରୀ କିଶୋର ରାଉତଙ୍କ ନାମରେ ମାମଲା ରୁଜୁ ହୋଇଛି । ଉଭୟଙ୍କୁ ନିଲମ୍ବନ କରାଯାଇଥିବାବେଳେ ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ମୁଖ୍ୟଯନ୍ତ୍ରୀଙ୍କ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ୭ଦିନ ମଧ୍ୟରେ ଘଟଣା ସଂପର୍କରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଶ୍ରୀ ପଟ୍ଟନାୟକ କହିବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ କହିବାକୁ ଚାହିଁଥିଲେ । ମାତ୍ର ବାଚସ୍ପତି ପ୍ରଦୀପ୍ ଅମାତ୍ ତାଙ୍କୁ ସୁଯୋଗ ନଦେଇ ପ୍ରଶ୍ନୋତ୍ତର କାଳ ଆରମ୍ଭ କରିଥିଲେ । ଏହାର ପ୍ରତିବାଦରେ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ୧୦.୩୬ ମିନିଟ୍ରୁ ୧୧.୩୬ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା । ୧୧.୩୬ମିନିଟ୍ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଭ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।
ଅପରାହ୍ଣ ଅଧିବେଶନ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା । ଏଥିପାଇଁ ପ୍ରଶ୍ନକାଳ ବାତିଲ କରି ଏହା ଉପରେ ଆଲୋଚନା କରିବାକୁ ବିରୋଧୀ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ସୁଯୋଗ ଦେଲେ ଓ ମୋତେ କହିବାକୁ ଅନୁମତି ଦେଲେନାହିଁ । ଗୃହ ସୁପରିଚାଳନା କରିବା ଶାସକ ଦଳ ଓ ବାଚସ୍ପତିଙ୍କ ଦାୟିତ୍ୱ । ହେଲେ ସେମାନେ ଏଥିରେ ବିଫଳ ହୋଇଛନ୍ତି । ଗୃହକୁ ମୁଲତବୀ କରି ତୁରନ୍ତ ସର୍ବଦଳୀୟ ବୈଠକ ଡକାଯାଉ । ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଗୃହକୁ ଅଯଥାରେ ବନ୍ଦ ନକରାଯାଉ । ସର୍ବଦଳୀୟ ବୈଠକରେ ନିଷ୍କର୍ସ ବାହାରୁ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାକୁ ୩ଟା ୭ ମିନିଟ୍ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା । ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅନୁରୂପ ପରିସ୍ଥିତି ଦେଖାଦେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ଓ ୩୦ ମିନିଟ୍ ପାଇଁ ଗୃହକୁ ମୁଲତବୀ କରିଥିଲେ । ଏହାପରେ ଆଉ ୩୦ ମିନିଟ୍ ପାଇଁ ଗୃହ ମୁଲତବୀ ହୋଇଥିଲା । ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ସଂଜୟ ଦାସବର୍ମା, ମହେଶ ସାହୁ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ସିପିଆଇ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଯୋଗଦେଇଥିଲେ । ଅପରାହ୍ଣ ୫ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବାଚସ୍ପତି କହିଥିଲେ ଯେ ଓଭର ବ୍ରିଜ୍ ଭୁଶୁଡିବା ଘଟଣାରେ ଆଲୋଚନା ଲାଗି ନିଷ୍ପତ୍ତି ହୋଇଛି । ତେବେ ସମୟ ଦିନ ଧାର୍ଯ୍ୟ କରିବା ଲାଗି କାର୍ଯ୍ୟପରାମର୍ଶଦାତା କମିଟିକୁ ଦାୟିତ୍ୱ ଦିଆଯାଇଛି ।