ନୂଆ ଖଣି ନୀତି ପାଇଁ କେନ୍ଦ୍ରୀୟ କମିଟି

ଭୁବନେଶ୍ୱର, ୧୦ା୯ (ତଥ୍ୟ): କେନ୍ଦ୍ର ସରକାର ନୂତନ ଖଣି ନୀତି ପାଇଁ ଢାଞ୍ଚା ପ୍ରସ୍ତୁତ କରୁଥିବା ବେଳେ ଓଡ଼ିଶା ସମେତ ବହୁ ରାଜ୍ୟ ଏହାକୁ ଲୋକାଭିମୁଖୀ କରିବାକୁ କହିଛନ୍ତି । ଏଥିସହିତ ଖଣି ନିଲାମରେ ଯେଭଳି ଅଧିକ ସଂଖ୍ୟାରେ ସଂସ୍ଥା ଭାଗ ନେଇପାରିବେ ସେଥିପାଇଁ ବର୍ତ୍ତମାନର ନିଲାମ ପଦ୍ଧତିକୁ ସରଳୀକରଣ କରିବା ଲାଗି କୁହାଯାଇଛି । ଖଣି ମନ୍ତ୍ରାଳୟର ଯୁଗ୍ମ ସଚିବ କେ. ରାଜେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜାତୀୟ ଖଣି ନୀତି ୨୦୦୮କୁ ସମୀକ୍ଷା କରି ଏହା କିଭଳି ଅଧିକ ଗ୍ରହଣୀୟ ହୋଇପାରିବ ସେଥିପାଇଁ ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥା ସହ ଆଲୋଚନା କରୁଛନ୍ତି । ସଂଖ୍ୟାଧିକ ରାଜ୍ୟ ସରକାର ଖଣି ନିଲାମ ପ୍ରକ୍ରିୟାରେ ସରଳୀକରଣ ସପକ୍ଷରେ ମତ ଦେଉଛନ୍ତି । ସେମାନଙ୍କ ମତରେ ବର୍ତ୍ତମାନର ନିଲାମ ବ୍ୟବସ୍ଥାରେ ସଂଖ୍ୟାଧିକ ସଂସ୍ଥା ଅଂଶଗ୍ରହଣ କରିପାରୁନାହାନ୍ତି । ଏଥିସହିତ ପ୍ରସ୍ତାବିତ ନୀତି ଉଭୟ କ୍ଷୁଦ୍ର ଏବଂ ମଧ୍ୟମ ଖଣି ସଂସ୍ଥାଗୁଡ଼ିକୁ ଦୃଷ୍ଟିରେ ରଖି କରାଯିବା ଲାଗି କୁହାଯାଇଛି । ଅଧିକ ପରିମାଣରରେ ଅର୍ଥ ଆବଶ୍ୟକ ପଡ଼ୁଥିବାରୁ ଏହିସବୁ ସଂସ୍ଥାମାନେ ଖଣି ନିଲାମରେ ଭାଗ ନେଇପାରୁନାହାନ୍ତି । କେନ୍ଦ୍ର ସରକାର ନୂତନ ଖଣି ନୀତି କାର୍ଯ୍ୟକାରୀ କରିବାକୁ ଯାଉଥିବା ବେଳେ ଖଣି କ୍ଷେତ୍ରରେ ନିୟନ୍ତ୍ରଣ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ ସହାୟତାରେ ଅଧିକ ସରଳୀକରଣ କରିବା ଲାଗି ସଂଖ୍ୟାଧିକ ରାଜ୍ୟ ମତ ଦେଇଛନ୍ତି । ଓଡ଼ିଶା, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ରାଜସ୍ଥାନ ରାଓ କମିଟି ଦ୍ୱାରା କରାଯାଉଥିବା ସମୀକ୍ଷାରେ ଅଧିକ ଭାବେ ଅଂଶଗ୍ରହଣ କରୁଛନ୍ତି । ଓଡ଼ିଶାର ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ଏନ୍‌.ଭି ଧଳ କହିଛନ୍ତି ଯେ କେନ୍ଦ୍ର ସରକାର ନୂଆ ଖଣି ନୀତି ପ୍ରସ୍ତୁତି ସମୟରେ ଖଣି ଇଲାକାରେ ପ୍ରଭାବିତ ଲୋକଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଖଣି ମନ୍ତ୍ରାଳୟରେ କାର୍ଯ୍ୟ କରିଥିବା ଶ୍ରୀ ଧଳ କହିଛନ୍ତି ଯେ କେନ୍ଦ୍ର ସରକାର ବିନା ବିଳମ୍ବରେ ନିୟମିତ ବ୍ୟବଧାନରେ ଖଣିଜ ରୟାଲ୍‌ଟିର ସଂଶୋଧନ କରିବା ଆବଶ୍ୟକ । ଏଠାରେ ଉଲ୍ଲେଖ କରାଯାଏ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ରୟାଲ୍‌ଟି ଘୋଷଣାରେ ବିଳମ୍ବ ଯୋଗୁ ଓଡ଼ିଶା ଭଳି ଖଣିଭିତ୍ତିକ ରାଜ୍ୟ ଗୁରୁତର କ୍ଷତି ସହୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କେନ୍ଦ୍ର ସରକାର କୋଇଲା ରୟାଲ୍‌ଟିକୁ ତୁରନ୍ତ ସଂଶୋଧନ ସହିତ କୋଇଲା ମହଜୁଦ ଥିବା ରାଜ୍ୟଗୁଡ଼ିକୁ କ୍ଲିନ୍‌ ଏନ୍‌ଭାର୍ଣ୍ଣମେଣ୍ଟ ସେସ୍‌ରୁ ୬୦ ପ୍ରତିଶତ ଅଂଶଧନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ କୋଇଲା ପାଇଁ ୧୪ ପ୍ରତିଶତ ରୟାଲ୍‌ଟି ଧାର୍ଯ୍ୟ ହୋଇଥିବା ବେଳେ ଦୀର୍ଘ ୫ ବର୍ଷ ହେଲା ଏହା ସଂଶୋଧିତ ହୋଇନାହିଁ । ଏହାର ସଂଶୋଧନ ଲାଗି କୋଇଲା ମନ୍ତ୍ରାଳୟ ପକ୍ଷରୁ ୨୦୧୪ ମସିହାରୁ ଏକ ଷ୍ଟଡି ଗ୍ରୁପ୍‌ ଗଠନ କରାଯାଇଛି । ଖଣି ନୀତି ଓ ଆଇନ୍‌ ଭିତରେ ସମନ୍ୱୟ ଅଭାବ ଯୋଗୁ ଜାତୀୟ ଖଣି ନୀତି ୨୦୦୮ରୁ ବିଶେଷ ସୁଫଳ ମିଳିନାହିଁ । ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ ଖଣିଜ ସାମଗ୍ରୀର ଆବଶ୍ୟକତା ଓ ରପ୍ତାନି ସଂକ୍ରାନ୍ତରେ ଯୋଜନା ପ୍ରସ୍ତୁତ କରାଯିବ ଯାହାଫଳରେ ଠିକଣା ସମୟରେ ଖଣିଜ ଉତ୍ତୋଳନ କରାଯିବା ସହିତ ଏହା ଜାତୀୟ ଆବଶ୍ୟକତାକୁ ପୂରଣ କରିପାରିବ । ଏଥିସହିତ ରାଜ୍ୟରେ ଥିବା ଇସ୍ପାତ ଓ ଖଣି ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଲାଗି କୁହାଯାଇଛି ।