HOTEL-MAYFAIR--IATO--INAGURETION-(4)

ପର୍ଯ୍ୟଟନ ଶିଳ୍ପରେ ଜିଏସ୍ଟି ବାଧକ

26

୩୩ତମ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ ସମ୍ମିଳନୀ
– ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପରେ ଗୁରୁତ୍ୱ – ଆଡପ୍ଟ ଏ ହେରିଟେଜ୍ ଡ୍ରାଇଭ୍ ଆରମ୍ଭ
ଭୁବନେଶ୍ୱର, (ବୁ୍ୟରୋ): ଦେଶରେ ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ବହୁ ବାଧକ ସମସ୍ୟା ସୃଷ୍ଟି ରହିଛି । ଜିଏସ୍ଟି ଲାଗୁ ହେବା ପରେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । ପର୍ଯ୍ୟଟକଙ୍କ ଠାରୁ ବିଭିନ୍ନ କ୍ଷେତ୍ରରେ ଅଧିକ ଟ୍ୟାକ୍ସ ଆଦାୟ ଫଳରେ ତାଙ୍କ ଉପରେ ଏହା ବୋଝ ହେଉଛି ଓ ପର୍ଯ୍ୟଟକ ସଂଖ୍ୟା କମୁଛି । ତେଣୁ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇ ରଖିବା ଓ ନିବଶେକଙ୍କୁ ସହଯୋଗ କରିବା ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ଜିଏସ୍ଟି କୋହଳ କରିବାକୁ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ(ଇଆଟୋ) ସମ୍ମିଳନୀରେ ଇଆଟୋ ଅଧ୍ୟକ୍ଷ ପ୍ରଣବ ସର୍କାର ଦାବି କରିଛନ୍ତି । ଗୁରୁବାର ଇଆଟୋ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ୩୩ତମ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ(ଇଆଟୋ) ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଅର୍ଥନୈତିକ ସଶକ୍ତିକରଣ ନିମନ୍ତେ ପର୍ଯ୍ୟଟନ ଶିଳ୍ପ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପ୍ରାଚୁର୍ଯ୍ୟଭରା ଜଙ୍ଗଲ, ବିସ୍ତୀର୍ଣ୍ଣ ବେଳାଭୂମି, ଉକ୍ରୃଷ୍ଟ ଜୈବ ବିବିଧତା ଓଡ଼ିଶାର ବ୍ୟଞ୍ଜନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ବୌଦ୍ଧ ପର୍ଯ୍ୟଟନସ୍ଥଳୀର ବିକାଶ, ଅର୍ନ୍ତଜାତୀୟ ବିମାନ ଚଳାଚଳ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରିଛି । ପର୍ଯ୍ୟଟନ କ୍ଷେତ୍ରରେ ନିବଶେକଙ୍କୁ ପ୍ରୋତ୍ସାହନ ଓ ସହାୟତା ଯୋଗାଇବା କରିବା ପାଇଁ ରାଜ୍ୟ ସରକାର ଟୁରିଜିମ୍ ପଲିସି-୨୦୧୬ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କେନ୍ଦ୍ର ପର୍ଯ୍ୟଟନ(ସ୍ୱାଧିନ) ମନ୍ତ୍ରୀ ଆଲ୍ଫନ୍ସ କାନ୍ନାନ୍ଥନମ୍ କହିଥିଲେ, ପର୍ଯ୍ୟଟକଙ୍କ ଆକୃଷ୍ଟ କରିବାକୁ ହେଲେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ସୃଜନାତ୍ମକ ଚିନ୍ତାଧାରା, ଆକର୍ଷଣୀୟ ଟୁର୍ ପ୍ୟାକେଜ୍, ନୂଆ ପର୍ଯ୍ୟଟନ ସ୍ଥଳୀର ଆବିଷ୍କାର, ଉପଯୁକ୍ତ ପରିଚାଳନା ଯୋଜନା, ବଜାର ରଣନୀତି, ପର୍ଯ୍ୟଟକଙ୍କ ସୁରକ୍ଷା, ମାର୍କେଟିଂ ଉପରେ ଗୁରୁତ୍ୱ ଦେବାକୁ ହେବ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟଙ୍କ ମିଳିତ ସହଯୋଗ ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପର୍ଯ୍ୟଟନ ସଚିବ ରଶ୍ମି ବର୍ମା କହିଥିଲେ, ପର୍ଯ୍ୟଟନ କ୍ଷେତ୍ରରେ ଆମକୁ ପଡ଼ୋଶୀ ଦେଶମାନଙ୍କ ସହ ପ୍ରତିଯୋଗିତା ହେଲେ ଦେଶର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ବିକାଶ କରିବାକୁ ହେବ । ଦେଶର ଐତିହ୍ୟ ସ୍ଥଳଗୁଡିକ ପାଇଁ ‘ଆଡପ୍ଟ ଏ ହେରିଟେଜ୍’ ଡ୍ରାଇଭ୍ ଆରମ୍ଭ ହୋଇଛି । ଏହି ଡ୍ରାଇଭ୍ରେ ସ୍ଥାନୀୟ ଜନସାଧାରଣ, କର୍ପୋରେଟ ହାଉସ୍ ଓ ଶିଳ୍ପ ସଂସ୍ଥାମାନେ ଭାଗ ନେଇ ଐତିହ୍ୟ ସଂରକ୍ଷଣର ଭାଗିଦାର ହୋଇପାରିବେ । ଏହାଦ୍ୱାରା ଉକ୍ତ ଐତିହ୍ୟର ସଂରକ୍ଷଣ ସହ ଏହାର ରକ୍ଷଣାବେକ୍ଷଣ କାମ ସହଜରେ କରାଯାଇପାରିବ । ସେହିପରି ‘ସ୍ୱଦେଶ ଦର୍ଶନ’ ଓ ‘ପ୍ରସାଦ’ ଯୋଜନାରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଉଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୬୨ଟି ଦେଶ ସହ ଇ-ଭିସା ଚୁକ୍ତି କରାଯାଇଛି । ଏଥିସହ ଟୁରିଷ୍ଟ ଗାଇଡ୍ମାନଙ୍କୁ ଖୁବ୍ଶୀଘ୍ର ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଶ୍ର୍ରୀମତୀ ବର୍ମା କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଭାଗୀୟ ସଚିବ ମୋନା ଶର୍ମା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ପାଇଁ ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ଇଆଟୋ ହଲ୍ ଅଫ୍ ଫେମ୍ ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଆଥ୍ଲେଟ୍ ଦୂତୀ ଚାନ୍ଦଙ୍କୁ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଇଆଟୋ ବାର୍ଷିକ ବିଶେଷାଙ୍କକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଇଆଟୋ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସ୍ମତି ଫଳକ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଇଆଟୋ ଉପାଧ୍ୟକ୍ଷ ରାଜୀବ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ପ୍ରଣବ ସର୍କାର ସଭାପତି ବକ୍ତବ୍ୟ ରଖିଥିଲେ । ଶେଷରେ ଇଆଟୋ ସମ୍ପାଦକ ତଥା ସମ୍ମିଳନୀର ଉପାଧ୍ୟକ୍ଷ ଲାଲ୍ଲୀ ମାଥୁ୍ୟସ୍ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରେ ଭାରତୀୟ ପର୍ଯ୍ୟଟନ ମେଳାକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com