kalapathar

ସ୍ୱଛତା ପ୍ରଚାର ଗାଡ଼ି ବଦଳରେ ପ୍ରଶାସନିକ ତାଗିଦ୍ ଜରୁରୀ

30

ସ୍କୁଲ୍ ହତା ହୋଇଛି ଡଷ୍ଟବିନ୍, ରାସ୍ତା ପାଲଟିଛି ନର୍ଦ୍ଦମା
କଳାପଥର, (ଆପ୍ର): ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ନାଁରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ଲୋକ ସଚେତନ ହେବା ତ ଦୂରର କଥା ଯେଉଁ କାର୍ଯ୍ୟକ୍ରମ ପାଇଁ ପ୍ରଚାର ହେଉଛି ତାହାର କିଞ୍ଚôତ ସଫଳ ରୂପାୟନ ମଧ୍ୟ ହେଉନାହିଁ । କେବଳ ଧର୍ମକୁ ଆଖିଠାର ପରି କାଗଜପତ୍ରରେ ଯୋଜନା ଆଗେଇ ଚାଲିଛି । ବାଙ୍କୀ ବ୍ଲକ୍ର ଗୋଳାଗଣ୍ଡ ପଞ୍ଚାୟତରେ ସ୍ୱଛ ଭାରତ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚାର ସମୟରେ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ସଚେତନ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି । ସ୍ୱଛ ଭାରତ ଯୋଜନାର ସଫଳ ରୂପାୟନ ପାଇଁ ବାଙ୍କୀ ବ୍ଲକ୍ ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଚାୟତରେ ସ୍ୱଛତା ରଥ ଘୁରିବୁଲୁଛି । ତେବେ ପଶ୍ଚିମ ବାଙ୍କୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସର୍ବସାଧାରଣ ସ୍ଥାନରେ କୁଢ କୁଢ ଅଳିଆ ଆବର୍ଜନା ଜମା ହୋଇ ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ପୂର୍ତ୍ତ ବିଭାଗ ତଦାରଖରେ ନିର୍ମିତ ରାସ୍ତାରେ ଜଳ ନିଷ୍କାସନ ପ୍ରାଣାଳୀ ନଥିବାରୁ ମୁଖ୍ୟ ରାସ୍ତା ଉପରେ ପାଣି ଜମା ହୋଇ ରହି ନର୍ଦ୍ଦମା ସୃଷ୍ଟି ହୋଇଛି । ସେହିପରି କଳାପଥର ନିକଟସ୍ଥ ଧଳାପଥର ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ସ୍ଥାନୀୟ ଦୋକାନୀ ଅଳିଆ ଆବର୍ଜନା ପକାଉଥିବାରୁ ବିଦ୍ୟାଳୟ ପରିବେଶ ଦୂଷିତ ହୋଇ ପଡିଛି । କଳାପଥର ମୁଖ୍ୟ ରାସ୍ତା ନିର୍ମାଣ ସମୟରେ ବିଦ୍ୟାଳୟ ଆଗରେ ଥିବା ଜବରଦଖଲ ଉଛେଦ ହେବା ସହିତ ପାଚେରି ଆଗରେ ସ୍ଥାୟୀ ଡ୍ରେନ୍ ମଧ୍ୟ ନିର୍ମିତ ହୋଇଥିଲା । ତେବେ କେତକ ବ୍ୟବସାୟୀ ଡ୍ରେନ୍ ଉପରେ ପରିବା ପିଣ୍ଡି ତିଆରି କରିବା କାରଣରୁ ବର୍ଷା ସମୟରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇ ତାହା ସ୍କୁଲ୍ର ହତା ଭିତରକୁ ପ୍ରବେଶ କରୁଛି । ପୁନଶ୍ଚ ସମ୍ମୁଖରେ ଥିବା ଏକ ପରିବା ଦୋକାନ, ଇଲେକ୍ଟ୍ରୋନିକ୍ସ ଦୋକାନ, ପିଡିଆ ଦୋକାନ, ଗ୍ରୋସରୀ ଦୋକାନର ଅବ୍ୟବହୃତ ସାମଗ୍ରୀକୁ ବିଦ୍ୟାଳୟ ହତା ଭିତରକୁ ଫିଙ୍ଗୁଥିବା ଅଭିଯୋଗ ହୋଇଛି । ସ୍କୁଲ୍ର ସମ୍ମୁଖ ଭାଗରେ କୁଢ କୁଢ ଅଳିଆ ଜମା ହୋଇ ତାହା ଏକ କମ୍ପୋଷ୍ଟରେ ପରିଣତ ହୋଇ ଗଲାଣି । ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା କିଛି ଅଭିଭାବକ ଏସଂପର୍କରେ ସଂପୃକ୍ତ ଦୋକାନୀମାନଙ୍କୁ ଜଣାଇଥିଲେ ବି ସେମାନେ କୌଣସି କଥାକୁ ଭ୍ରୁକ୍ଷେପ କରୁନଥିବା ଜଣାଯାଇଛି । ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ଯେ, ସ୍ୱଛତାର ପ୍ରଚାର ପାଇଁ ଗାଡି ବୁଲାଇବା ବଦଳରେ ପରିବେଶ ପ୍ରଦୂଷିତ କରୁଥିବା ଲୋକଙ୍କୁ ପ୍ରଶାସନିକ ତାଗିଦ୍ କରାଗଲେ ତାହା ଅଧିକ ଫଳପ୍ରଦ ହୋଇପାରନ୍ତା । ତେବେ କଳାପଥର ଅଞ୍ଚଳରେ ଥିବା ଅନେକ ବିଦ୍ୟାଳୟର ପରିବେଶ ତଦାରଖ ଅଭାବରୁ ମଧ୍ୟ ଲଟି ଲଟାରେ ପରିପୂର୍ଣ୍ଣ ହୋଇଅଛି । କଳାପଥର ଉଚ୍ଚ ବିଦ୍ୟାଳୟ ପରିସରରେ ଅନାବନା ଗଛଲଟା ଉଠି ତାହା ସରସୃପ ମାନଙ୍କର ଚରାଭୂଇଁ ପାଲଟିଛି । ଏପରିକି ମୁଖ୍ୟ ବଜାର ଉପରେ ଅବସ୍ଥିତ କେତେକ ମାଛ ମାଂସ ବ୍ୟବସାୟୀ ସେମାନଙ୍କ ଦୋକାନର ବର୍ଜ୍ୟବସ୍ତୁକୁ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ଡ୍ରେନ୍ରେ ପକାଇବା ଯୋଗୁଁ ସଂପୂର୍ଣ୍ଣ ବଜାର ଆମିଷ ଗନ୍ଧରେ ଫାଟି ପଡୁଛି । ବଜାର କମିଟିର ବାରଣ ସତ୍ତ୍ୱେ ଏପରି ଅବସ୍ଥା ହେଉଥିବାରୁ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଗଲେ ସ୍ଥାନୀୟ ଅଞ୍ଚଳର ସ୍ୱଛତା ରକ୍ଷା ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।




Powered by odothemes.com