ମଦ୍ୟପ ଅଟୋଚାଳକର ଉନ୍ମତ୍ତକାଣ୍ଡ

AUTO-copy

ସିରିଜ୍ ଦୁର୍ଘଟଣା: ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ଅନୁଗୁଳ,୨ା୯(ଆପ୍ର): ଜଣେ ମଦ୍ୟପ ଅଟୋ ଚାଳକ ଶନିବାର ଉନ୍ମତ୍ତକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି । ସେ କିଛି ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ସିରିଜ୍ ଦୁର୍ଘଟଣା ଘଟାଇଛି । ପରେ ସ୍ଥାନୀୟ ଲୋକେ ତା’କୁ କାବୁ କରି ବହେ ଛେଚି ଥାନାରେ ଜିମା ଦେଇଥିଲେ । ପୁଲିସ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଧରାପଡ଼ିଥିବା ଅଭିଯୁକ୍ତ ଜଣଙ୍କ ହେଲେ ବଡ଼କେରା ନିକଟସ୍ଥ ରଗୁଡ଼ିଆପଡ଼ା ଗ୍ରାମର ବିକ୍ରମ ସାହୁ । ଦୁର୍ଘଟଣାରେ ଏକ ଇଣ୍ଡିକା କାର୍ ଓ ଦୁଇଟି ମୋଟରସାଇକେଲ କ୍ଷତିଗ୍ରସ୍ତ ହୋଇଛି । ଶନିବାର ସନ୍ଧ୍ୟା ୬ଟାରେ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଛକ ନିକଟରେ ଅଟୋରିକ୍ସାକୁ ତିନି ଜଣ ମହିଳା, ଜଣେ ପୁରୁଷ ଓ ଜଣେ ବାଳକ ଅପେକ୍ଷା କରିଥିଲେ । ସେମାନଙ୍କୁ ଅନୁଗୁଳ ବସ୍ଷ୍ଟାଣ୍ଡ ସ୍ଥିତ ଏକ ଘରୋଇ କ୍ଲିନିକ୍କୁ ଯିବାର ଥିଲା । ବଡ଼କେରା ଦିଗରୁ ଏକ ଅଟୋରିକ୍ସା (ଓଆର୧୯ପି-୫୮୨୫) ଆସିଥିଲା । ତାକୁ ସେମାନେ ଅଟକାଇ କ୍ଲିନିକ୍ ଯିବା ପାଇଁ କହିଥିଲେ । ଅଟୋଟି କିଛି ବାଟ ଗଡ଼ିବା ପରେ ପ୍ରଚୁର ମଦ୍ୟପାନ କରିଥିବା ଚାଳକ ବିକ୍ରମ ଜଣେ ମହିଳା ଯାତ୍ରୀଙ୍କ ଛାତିରେ ହାତ ମାରିଥିଲେ । ମହିଳା ଜଣଙ୍କ ପାଟି କରିବାରୁ ବିକ୍ରମ ତୁରନ୍ତ ଅଟୋକୁ ବୁଲାଇ ବଡ଼କେରା ଦିଗରେ ଦ୍ରୁତ ଗତି ଚଲାଇଥିଲେ । ମଦ୍ୟପାନ ହେତୁ ସେ ଭାରସାମ୍ୟ ହରାଇ ଏକ ଇଣ୍ଡିକା କାର୍କୁ ପିଟିଦେଇଥିଲେ । ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ସେଥିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଯାତ୍ରୀମାନେ ଅଟୋରୁ ଓହ୍ଲାଇବା ପରେ ବିକ୍ରମ ପୁଣି ଦ୍ରୁତ ଗତିରେ ଭଙ୍ଗା ଅଟୋକୁ ନେଇ ଦୁଇଟି ମୋଟରସାଇକେଲକୁ ଧକ୍କା ଦେଇଥିଲେ । ଏହା ସତ୍ତ୍ୱେ ତାଙ୍କ ନିଶା ଖସି ନଥିଲା । ଅଟୋକୁ ନେଇ ସେ ପଞ୍ଚମହଲା ଦେଇ ଯାଉଥିବାବେଳେ ଏକ ବିଦୁ୍ୟତ୍ ଖୁଣ୍ଟରେ ପିଟି ହୋଇଯାଇଥିଲେ । ସେଠାରେ ଉପସ୍ଥିତ ଲୋକମାନେ ମଦ୍ୟପ ବିକ୍ରମଙ୍କୁ ଉତ୍ତମମଧ୍ୟମ କରିବା ପରେ ହୁଲୁରିସିଂହା ଛକକୁ ଆଣିଥିଲେ । ଖବର ପାଇ ଅନୁଗୁଳ ପୁଲିସ ବିକ୍ରମଙ୍କୁ ଉଦ୍ଧାର ସହ ଅଟୋକୁ ଜବତ କରିଥିଲା । ପରେ ମହିଳାମାନେ ଥାନାରେ ପହଞ୍ଚି ବିକ୍ରମଙ୍କ ନାମରେ ଏକ ଏତଲା ଦାୟର କରିଥିଲେ । ବିକ୍ରମ ତାଙ୍କ ନିକଟରୁ ଟଙ୍କା ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି ।