ଗଣମାଧ୍ୟମ ବିଶ୍ୱସନୀୟତା ବଜାୟ ରଖନ୍ତୁ: ରାଜ୍ୟପାଳ

41

ଭୁବନେଶ୍ୱର,୩ା୫(ବୁ୍ୟରୋ): କଳିଙ୍ଗ ମିଡିଆ ଓ ଏଣ୍ଟରଟେନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦିନିକିଆ ବୌଦ୍ଧିକ ଆଲୋଚନାଚକ୍ର ‘କଳିଙ୍ଗ ଟିଭି କଲୋକିୟମ୍ ୨୦୧୫’ ହୋଟେଲ ମେ ଫେୟାର ଠାରେ ଅନୁଷ୍ଠିତ ହୋଇଯାଇଛି । କଲୋକିଅମ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିଅମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳ ସଂଧ୍ୟାରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ. ଏସ୍. ସି. ଜମିର ଯୋଗଦେଇଥିଲେ । ରାଜ୍ୟପାଳ ଡ. ଜମିର ନିଜ ବକ୍ତବ୍ୟରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରି କହିଲେ, ଗଣମାଧ୍ୟମଗୁଡ଼ିକ ସେମାନଙ୍କ ବିଶ୍ୱସନୀୟତା ବଜାୟ ରଖିବା ଉଚିତ । ଲୋକମାନଙ୍କ ନିକଟରେ ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କଲେ ଗଣମାଧ୍ୟମଗୁଡ଼ିକ ଲୋକଙ୍କ ପ୍ରିୟଭାଜନ ହୋଇପାରିବେ ବୋଲି ଡ. ଜମିର କହିଥିଲେ । କଳିଙ୍ଗ ଟିଭି ଜରିଆରେ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରା ବିଶ୍ୱ ଦରବାରରେ ପହଞ୍ଚିିପାରିବ ବୋଲି ସେ ଆଶା ପୋଷଣ କରିଥିଲେ । ଏବେ ସୋସିଆଲ୍ ମିଡିଆର ପ୍ରଭାବ ବୃଦ୍ଧି ପାଇଥିଲେ ମଧ୍ୟ ଟିଭି ଓ ଖବରକାଗଜର ଗୁରୁତ୍ୱ କମିନାହିଁ ବୋଲି ସେ ମତ ଦେଇଥିଲେ । ସତ୍ୟ ଓ ସାମାଜିକ ବିକାଶ କ୍ଷେତ୍ରରେ କଳିଙ୍ଗ ଟିଭି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ଉଦ୍ୟାପନୀ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ମନ୍ତ୍ରୀ ଦାମୋଦର ରାଉତ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ ପାଣିଗ୍ରାହୀ, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଓ ଓଡ଼ିଶା ପୋଲିସ ମହାନିର୍ଦ୍ଧେଶକ ସଞ୍ଜିବ ମାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ସକାଳେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିଅମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ରାଜ୍ୟ ଅର୍ଥ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ପ୍ରଦୀପ ଅମାତ, ଜିମ୍ବାୱେର ରାଷ୍ଟ୍ରଦୂତ ମାକ୍ସୱେଲ୍ ରଙ୍ଗା, ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଜିନେସ୍ ୱାର୍ଲ୍ଡର ଅଧ୍ୟକ୍ଷ ଅନୁରାଗ ବାତ୍ରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ ।
ଏହା ପରେ ପ୍ରଥମ ଅଧିବେଶନରେ ବୈଦୁ୍ୟତିକ ଗଣମାଧ୍ୟମରେ ଅବହେଳିତ ବର୍ଗଙ୍କ ପାଇଁ ସ୍ଥାନ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଟ ଲେଖକ ତଥା ସମୀକ୍ଷକ ସୁହେଲ୍ ସେଠ ଏହାର ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ବିଜେପି ଜାତୀୟ ମୁଖପାତ୍ର ଡା ସମ୍ବିତ ପାତ୍ର, ପ୍ରଧାନମନ୍ତ୍ରୀଙ୍କ ପରିବେଶ ପରାମର୍ଶଦାତା ଡ. ଶ୍ରୀକାନ୍ତ ପାଣିଗ୍ରାହୀ, ଫାଇନାନ୍ସିଆଲ୍ ଟାଇମ୍ସର ଏସିଆ ମୁଖ୍ୟ ଭିକ୍ଟର ମାଲେଟ୍, ଅଭିନେତ୍ରୀ ଅମ୍ବନ୍ତିକା ଏବଂ ସିଜିନେଟ୍ ସ୍ୱରର ପ୍ରତିଷ୍ଠାତା ଶୁଭ୍ରାଂଶୁ ଚୌଧୁରୀ ପ୍ରମୁଖ ଅଧିକାଂଶ ଗଣମାଧ୍ୟମରେ ଗାଁ’ ଗହଳିର ଅବହେଳିତ, ନିଷ୍ପେସିତ ଲୋକଙ୍କ କଥା ପ୍ରାୟତଃ ସ୍ଥାନ ପାଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ସମାଜର ଏହି ବର୍ଗର ଲୋକଙ୍କ ସମସ୍ୟା ଓ ସମ୍ବେଦନକୁ ଗଣମାଧ୍ୟମ ସ୍ଥାନ ଦେବା ଉଚିତ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ପରେ ଦ୍ୱିତୀୟ ଅଧିବେଶନରେ ଗଣମାଧ୍ୟମର ସ୍ୱାଧୀନତା ଓ ଉତ୍ତର ଦାୟିତ୍ୱ ଉପରେ ଆୟୋଜିତ ଆଲୋଚନାଚକ୍ରରେ ଆପ୍ର ମୁଖପାତ୍ର ଆଶୁତୋଷ, ଗଭର୍ଣ୍ଣାନାନ୍ସ ନାଓର ମୁଖ୍ୟ ସଂପାଦକ ଅଜୟ ସିଂହ, ବରିଷ୍ଠ ସାମ୍ବାଦିକ ପ୍ରବଳ ପ୍ରତାପ ସିଂହ, ସାଂସଦ ହରିଶ୍ ଦ୍ୱିବେଦୀ, ବରିଷ୍ଠ ସାମ୍ବାଦିକ ରାଜକୁମାର ଶର୍ମା, ଏବଂ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସ୍ନାଲ୍ ଷ୍ଟଡିଜ୍ର ପ୍ରଫେସର ଚିନ୍ତାମଣି ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହାକୁ ବିଜିନେସ୍ ଷ୍ଟାଣ୍ଡାର୍ଡର ଓଡ଼ିଶା ମୁଖ୍ୟ ଦିଲିପ ଶତପଥୀ ପରିଚାଳନା କରିଥବଲେ । ଗଣମାଧ୍ୟମ ସମାଜର ଏକ ଅଂଶବିଶେଷ ରୂପେ ସର୍ବଦା ଦାୟିତ୍ୱବାନ୍ ରହିବା ସହ ବିନା ଭୟ ଓ ଚାପରେ କାର୍ଯ୍ୟ କରିଥାଏ ବୋଲି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା । ଆଲୋଚନାଚକ୍ରର ତୃତୀୟ ଅଧିବେଶନ ‘ଓଡ଼ିଶା ୨୦୨୦’ରେ ବରିଷ୍ଠ ସାମ୍ବାଦିକ ଉମାପଦ ବୋଷ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଅବକାରୀ ଓ ସମବାୟ ମନ୍ତ୍ରୀ ଡା. ଦାମୋଦର ରାଉତ, ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା, ବିଧାୟକ ଶଶୀଭୂଷଣ ବେହେରା, ପୂର୍ବତନ ବିଧାୟକ ପ୍ରତାପ ଷଢ଼ଙ୍ଗୀ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କ ମତ ରଖିଥିଲେ । ଶେଷରେ କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଧେଶକ ହିମାଂଶୁ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com