କନ୍ଧମାଳ ବିକାଶ ବାଧାପ୍ରାପ୍ତ

kandhamala-samasya

ଡାକ୍ତରଖାନା ଅଛି । ମାତ୍ର ଆବଶ୍ୟକ ମୁତାବକ ଡାକ୍ତର କି ବିଶେଷଜ୍ଞ ନାହାନ୍ତି । କିଛି ଯନ୍ତ୍ରାଂଶ ଅଛି । ମାତ୍ର ଅକାମୀ ହୋଇପଡ଼ିଛି । ବିଦ୍ୟାଳୟ ଅଛି । ମାତ୍ର ଶିକ୍ଷାଧିକାରୀଙ୍କୁ ହାତ କରି ଶିକ୍ଷକ ଅନୁପସ୍ଥିତ ରହୁଛନ୍ତି । ଏପରିକି ମଧ୍ୟାର୍ଣ୍ଣଭୋଜନ ମଧ୍ୟ ବାଟମାରଣା ହେଉଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ରଛାତ୍ରୀ ନିବାସ ରହିଛି । ମାତ୍ର ଏ ବିଷୟରେ ନକହିବା ଭଲ । ଛାତ୍ରୀ ନିବାସର ଅନ୍ତେବାସୀ ଯୌନ ଶୋଷଣର ଶିକାର ହେଉଛନ୍ତି । ଚାଷ ଜମି ରହିଛି । ମାତ୍ର ଉପଯୁକ୍ତ ଜଳସେଚନ ଅଭାବରୁ ଚାଷୀମାନେ ହତୋତ୍ସାହ ହୋଇ ଆତ୍ମହତ୍ୟା କରୁୁଛନ୍ତି । ଏହା ସମଗ୍ର ରାଜ୍ୟର ସମସ୍ୟା ନୁହେଁ, ବରଂ ନିରୀହ ଆଦିବାସୀ ଅଧୂଷିତ ଲୋକଙ୍କ କନ୍ଧମାଳ ଜିଲ୍ଲାର ସମସ୍ୟା । ନିରୀହ ଆଦିବାସୀଙ୍କ କନ୍ଧମାଳ ଜିଲ୍ଲା ଏବେ ସମସ୍ୟା ଘେରରେ ପୂରି ରହିଛି । ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଖାଲି ସମସ୍ୟା ହିଁ ସମସ୍ୟା ଦେଖିବାକୁ ମିଳୁଛି । ଏନେଇ ଯେତେ ଗୁହାରି ଅଭିଯୋଗ କରିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ବରଂ ଅଭିଯୋଗକାରୀ ମାନଙ୍କୁ ଅକଥନୀୟ ଯନ୍ତ୍ରଣାର ଶିକାର ହେବାକୁ ପଡ଼ୁଛି । ପ୍ରଥମେ କନ୍ଧମାଳର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟରେ ଦେଖିଲେ ଡାକ୍ତରଖାନା ଥାଇ ମଧ୍ୟ ପ୍ରତିଦିନ ଜିଲ୍ଲାର ଅଧିକାଂଶ ରୋଗୀ ଚିକିତ୍ସା ଅବହେଳା ଯୋଗୁ ବାହାର ଜିଲ୍ଲା ଉପରେ ନିର୍ଭର କରୁଛନ୍ତି ତ ଆଉ କିଛି ମୃତୁ୍ୟବରଣ କରୁଛନ୍ତି । ଏହାର କାରଣ ଖୋଜିବାରେ ଅନେକ ଲୋକ ଡାକ୍ତର ଅଭାବ ବିଷୟରେ କହୁଛନ୍ତି । ଆବଶ୍ୟକ ପରିମାଣର ଡାକ୍ତର ଓ ବିଶେଷଜ୍ଞ ନଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରୁଛନ୍ତି । ଏନେଇ ବିଗତ ଦିନରେ ଫୁଲବାଣୀ ବନ୍ଦ କରାଯାଇଥିଲେ ବି କୌଣସି ସୁଫଳ ମିଳିପାରିନି । ଏପରିକି ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆସୁଥିବା ସମସ୍ତ ଯୋଜନା ଓ ନିୟମ ବାଟମାରଣା ହେଉଛି । ଚିକିତ୍ସା ଅବହେଳା ପାଇଁ ମାତୃ ଓ ଶିଶୁ ମୃତୁ୍ୟହାରରେ ଏହି ଜିଲ୍ଲା ରେକର୍ଡ ସୃଷ୍ଟି କରିଛି । ସିଏଜି ରିପୋର୍ଟରେ ଇଣ୍ଡିଆନ୍ ପବ୍ଲିକ୍ ହେଲ୍ଥ୍ ଷ୍ଟାଣ୍ଡାଡ୍ସର୍୍ର ମାନଦଣ୍ଡ ଅନୁଯାୟୀ ସ୍ୱାସ୍ଥ୍ୟକର୍ମୀ ନଥିବା ବେଳେ ଯନ୍ତ୍ରପାତି ଅକାମୀ ହୋଇପଡ଼ିଛି । ଏପରିକି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା, ଭୁଲ ରକ୍ତ ପ୍ରଦାନ ଭଳି ଘଟଣାରେ ବହୁ ରୋଗୀ ମୃତୁ୍ୟବରଣ କରୁଥିବା ଅଭିଯୋଗ ହେଉଛି । ବିଭିନ୍ନ ରାଜନେତାମାନେ ନିର୍ବାଚନ ପୂର୍ବରୁ ବହୁ ପ୍ରତିଶ୍ରୁତି ଦେଉଥିବା ବେଳେ ନୀରିହ ଆଦିବାସୀଙ୍କ ବିକାଶ ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଫଳରେ ନୀରିହ ଜନସାଧାରଣ ଅବହେଳାର ଶିକାର ହେଉଛନ୍ତି । ରାଜନୈତିକ ଷଡଯନ୍ତ୍ର ଯୋଗୁଁ କନ୍ଧମାଳ ସଂହତି ବାରମ୍ବାର ବଳି ପଡ଼ୁଥିବାରୁ ଦଙ୍ଗା ଆଳରେ ପ୍ରଗତି ଓ ଶାନ୍ତିର କପୋତ ଏକାଧିକବାର ଲହୁଲୁହାଣ ହୋଇ ମୁମୁର୍ଷୁ ଅବସ୍ଥାରେ ପଡ଼ିରହିଛି । ଏଠାକାର ବନବାସୀ ଭାଇଚାରାକୁ ଭୂଲି ଅସ୍ତ୍ରଶସ୍ତ୍ର ଧରିବାକୁ ଆଗଭର ହେଉଛନ୍ତି । ଏହି କାରଣରୁ ଜିଲ୍ଲାର ସାମ୍ପ୍ରତିକ ସ୍ଥିତିର ତର୍ଜମା କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଆହ୍ୱାନ ହୋଇଛି । ସେହିପରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ନିଯୁକ୍ତି ପାଉଥିବା ଶିକ୍ଷକ ଜିଲ୍ଲା ବ୍ଲକ୍୍ ଶିକ୍ଷାଧିକାରୀଙ୍କୁ ହାତ କରି ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଛନ୍ତି । ଫଳରେ ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ମଧ୍ୟାହ୍ନ ଭୋଜନରେ ବାଟମାଣାଠାରୁ ଆରମ୍ଭ କରି ଛାତ୍ରୀ ନିବାସରେ ଯୌନ ଶୋଷଣ ଜିଲ୍ଲାର ଇଜ୍ଜତ ଧୂଳିସାତ୍ କରିଦେଇଛି । ନାବାଳିକା ଛାତ୍ରୀଙ୍କ ସୁରକ୍ଷା ଏକ ମସ୍ତବଡ଼ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି । ଜିଲ୍ଲାର ଚାଷ ବ୍ୟବସ୍ଥା କହିଲେ ନସରେ । ମୁଣ୍ଡ ପିଛା ଚାଷପଯୋଗୀ ଜମି ମାତ୍ର ୦.୩୧ ହେକ୍ଟର । ଅନିୟମିତ ବର୍ଷାରେ ଖରିଫ୍ ଫସଲର ଅବକ୍ଷୟ ଜଳସେଚନ ଅଭାବରୁ ରବି ଫସଲର ବ୍ୟାପକ କ୍ଷତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି । ବିଶ୍ୱବ୍ୟାଙ୍କରୁ ଜଳସମ୍ପଦ ଏକକୀକରଣ ପ୍ରକଳ୍ପ ପାଇଁ ଆସିଥିବା ୧୪୦୯କୋଟି ଟଙ୍କାରୁ କନ୍ଧମାଳରେ କୌଣସି ବୃହତ୍ କିମ୍ବା ମଧ୍ୟମ ପ୍ରକଳ୍ପ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇ ନଥିବା ବେଳେ ଜିଲ୍ଲାରୁ ବାହାରିଥିବା ୬୪ କିମିର ବାଘନଦୀ, ୧୮୫ କିମି ଋଷିକୁଲ୍ୟା ନଦୀ, ୫୧ କିମି ସାଲୁଙ୍କି ନଦୀ, ସମେତ ଖଡଗ ନଦୀ, ରାହୁଲ ନଦୀର ଜଳସମ୍ପଦ ଜିଲ୍ଲାର କୃଷି ଭିତିକ ସମାଜର ସ୍ୱାର୍ଥରେ ନଲାଗି ଅନ୍ୟ ଜିଲ୍ଲାକୁ ସମୃଦ୍ଧ କରୁଛି । ଜିଲ୍ଲାରେ ଥିବା ବିଭିନ୍ନ ଜଳ ଅମଳ ପ୍ରକଳ୍ପ ଗୁଡ଼ିକର ପୁର୍ନରୁଦ୍ଧାର ଓ ରକ୍ଷଣା ବେକ୍ଷଣ ଅର୍ଥ ମାତ୍ରାଧିକ ବାଟମାରଣା ହେଉଛି । ଫଳ ଓ ଫୁଲଚାଷ, ପଶୁ ସମ୍ପଦ, ଜଳସମ୍ପଦ, ହସ୍ତଶିଳ୍ପ, କୁଟୀର ଶିଳ୍ପ, ବିକାଶ, ହସ୍ତତନ୍ତ, ଟସର ଚାଷ, ଜରୁରୀକାଳୀନ ଖାଦ୍ୟ ଯୋଗାଣ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ପାଇଁ କନ୍ଧମାଳକୁ ସେଭଳି କିଛି ଆଖିଦୃଶିଆ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ନାହିଁ । କନ୍ଧମାଳ ଜିଲ୍ଲା ଆଜି ମଧ୍ୟ ଶିଳ୍ପ ବିହୀନ ଓ ରେଳପଥ ଶୂନ୍ୟ ହୋଇଛି । ଜିଲ୍ଲାରେ ଶିଶୁ ଓ ମାତୃ ମୃତୁ୍ୟହାରରେ ଏ ଜିଲ୍ଲାର ସ୍ଥାନ ସର୍ବ ଭାରତୀୟ ସୂଚକାଙ୍କର ଶୀର୍ଷରେ ରହିଛି । ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ, ଶିଶୁ ଅଧିକାର ସୁରକ୍ଷା, ସ୍ୱେଚ୍ଛାସେବୀ ସକ୍ରୀୟ ନୁହନ୍ତି ବୋଲି ଅଭିଯୋଗ ହେଉଛି । ଗମନାଗମନର ଅସୁବିଧା ଦୁର୍ଗମାଞ୍ଚଳର ଗର୍ଭବତୀ ମହିଳାଙ୍କୁ ମୃତୁ୍ୟ ପଞ୍ଝାରେ କବଳିତ ରଖିଛି । ଜିଲ୍ଲାର ସୀମାନ୍ତ ଅଞ୍ଚଳ ନକ୍ସଲ କବ୍ଜାରେ ପ୍ରାୟ ରହିଥିôବା ଖବର ରହିଛି । ସରକାରୀ ଧାର୍ଯ୍ୟ ମୂଲ୍ୟରେ କନ୍ଧମାଳ ଚାଷୀ ହଳଦୀ ବିକ୍ରୀ ସୁଯୋଗ ପାଉ ନଥିବାରୁ ଋଣରେ ବୁଡ଼ି ରହିଛନ୍ତି । ଜିଲ୍ଲାର ବିଜୁ ପକ୍କାଘର, ଇନ୍ଦିରା ଆବାସ, ଜଙ୍ଗଲ ଜମି ଅଧିକାର ଆଇନ୍, ସର୍ବଶିକ୍ଷା ଅଭିଯାନ, ଶିଶୁ ବିକାଶ ଯୋଜନା ପଥ ହୁଡ଼ୁଛି । କେତେକ ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ ଦୀର୍ଘ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଛବିରେ ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ । ତେଣୁ ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାର ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ପରିସ୍ଥିତି ଭୟାବହ ହେବ ବୋଲି ବରିଷ୍ଠ ମହଲରୁ ଚେତାବନୀ ମିଳିଛି ।