ହୋମିଓପାଥିକ୍ ଡାକ୍ତରଖାନା ଅବସ୍ଥା ବେହାଲ୍

HOMIOPATHIC-HOSPITAL-PIC___MAHANGA

ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକ୍ରେ ନାହିଁ ନାହିଁରେ ସରକାରୀ ହୋମିଓପାଥିକ୍ ଡାକ୍ତରଖାନା ଚାଲିଥିବା ଅଭିଯୋଗ ହେଉଛି । ସୂଚନାରୁ ଜଣାପଡିଛି ଯେ ବ୍ଲକ୍ର ଗୌଡଗୋପ, ପଲ୍ଲୀସାହି, ଚମ୍ପତିପୁର, ଗୁଣୁପୁର, ନୃର୍ତାଙ୍ଗ ଓ ଜଟାଧାରୀ ଆଶ୍ରମ ପରିସରରେ ସରକାରୀ ହୋମିଓପାଥିକ୍ ଡାକ୍ତରଖାନାଗୁଡିକ ରହିଛି । ୩ଟି ଡାକ୍ତରଖାନାରେ ଡାକ୍ତର ନଥିବାବେଳେ ୫ଟି ରେ ଆସିଷ୍ଟାଣ୍ଟ ପଦବୀ ଖାଲି ପଡିଛି । ସେହିପରି କିଛି ସ୍ଥାନରେ ଅସ୍ଥାୟୀ ପିଅନକୁ ନେଇ ଡାକ୍ତରଖାନା ଚାଲିଥିବା ଦେଖାଯାଉଛି । ସରକାରୀ କ୍ୱାଟର ନାହିଁ କି ପରିସ୍ରାଗାର ଓ ପାଇଖାନା ନାହିଁ । ଏଥିସହ ସ୍ଥାୟୀ ପ୍ରାଚୀର ମଧ୍ୟ ନିର୍ମାଣ କରାଯାଇନାହିଁ । ଏପରିକି ସରକାରୀ ନିୟମ ଅନୁସାରେ ମେଡିକାଲ୍ ଗୁରୁବାର ଛୁଟି ରହୁଥିବା ବେଳେ ମାହାଙ୍ଗାସ୍ଥିତ କେତେକ ହୋମିଓପାଥିକ୍ ମେଡିକାଲ ଗୁରୁବାର ଓ ରବିବାର ଦୁଇଦିନ ଧରି ବନ୍ଦ ରହୁଛି । ଏତଦ୍ବ୍ୟତୀତ ଡାକ୍ତରଖାନା ଖୋଲିବାର ନିଦ୍ଧିଷ୍ଟ ସମୟସୀମା ମଧ୍ୟ ନାହିଁ । ଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ଯଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କ ବିଶ୍ୱାସ ଏଥିପ୍ରତି ଦିନକୁ ଦିନ ତୁଟିବାରେ ଲାଗିଛି । ଏହା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନମଣ୍ଡଳୀ ଅଧୀନରେ ଯାଉଥିବା ସତ୍ତ୍ୱେ କେବଳ ସରକାରୀ ହୋମିଓପାଥିକ୍ ଡାକ୍ତରଖାନା ନୁହେଁ ଆୟୁର୍ବେଦିକ ଡାକ୍ତରଖାନାର ଅବସ୍ଥା ମଧ୍ୟ ଶୋଚନୀୟ । ମାହାଙ୍ଗାରେ ଯଦି ସରକାରୀ ଡାକ୍ତରଖାନା ଅବସ୍ଥା ଏପରି ଶୋଚନୀୟ ହୋଇଛି ତେବେ ସମଗ୍ର ଓଡିଶାରେ ସରକାରୀ ସ୍ୱାସ୍ଥ୍ୟସେବା କିଭଳି ଚାଲିଛି, ଏନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଥିପ୍ରତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ତୁରନ୍ତ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।