୪ ଦିନ ପରେ ପୁଣି ଟ୍ରେନ୍ ଦୁର୍ଘଟଣା

36

ଲକ୍ଷ୍ନୌ/ଭୁବନେଶ୍ୱର,୨୩ା୮: ସପ୍ତାହକ ମଧ୍ୟରେ ଦୁଇଟି ରେଳ ଦୁର୍ଘଟଣା ଘଟିଛି । କଳିଙ୍ଗ ଉକ୍ରଳ ଏକ୍ସପ୍ରେସ୍ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଜି କୈଫିୟତ ଏକ୍ସପ୍ରେସ୍ ଲାଇନ୍ଚୁ୍ୟତ ହୋଇଛି । ଉଭୟ ଦୁର୍ଘଟଣାର କାରଣ ସମାନ । ରେଳ ଧାରଣା ମରାମତି ହେଉଥିବା ସମ୍ପର୍କରେ ଆଗୁଆ ସୂଚନା ନଥିବାରୁ ଏହି ଘଟଣା ଘଟିଛି । କୈଫିୟତ ଏକ୍ସପ୍ରେସ୍ ଦୁର୍ଘଟଣା କୌଣସି ଯାତ୍ରୀ ମୃତୁ୍ୟବରଣ କରିନଥିବାବେଳେ ୧୦୦ ଜଣ ଆହତ ହୋଇଛନ୍ତି । ବଗିଗୁଡିକ ଓଲଟିପଡିବାରୁ ଅଧିକାଂଶ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଔରିଆ ଓ ଇଟାୱା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲଗାତରଭାବେ ଦୁଇଟି ରେଳ ଦୁର୍ଘଟଣା ଘଟିଥିବାରୁ ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ତାଙ୍କୁ ଅପେକ୍ଷା କରିବାକୁ କହିଛନ୍ତି । ତେବେ ଦୁର୍ଘଟଣା ଲାଗି ରେଳବାଇ ବୋର୍ଡ ଅଧ୍ୟକ୍ଷ ଏ.କେ. ମିତଲ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଏୟାର ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ଅଶ୍ୱିନୀ ଲୋହାନୀଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ରାତି ପ୍ରାୟ ୨.୫୦ମିନିଟ୍ରେ କୈଫିୟତ ଏକ୍ସପ୍ରେସ୍ ଆଜମଗଡରୁ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ କାନପୁର-ଇଟାୱା ମଧ୍ୟସ୍ଥିତ ଔରିଆ ଲେଭଲ କ୍ରସିଂରେ ଟ୍ରେନ୍ଟି ଏକ ଡମ୍ଫରକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନ୍ର ୧୨ଟି ବଗି ଲାଇନ୍ଚୁ୍ୟତ ହୋଇଥିଲା ବୋଲି ଔରିଆ ପୁଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି । ଟ୍ରେନ୍ ଦୁର୍ଘଟଣା ଖବର ପାଇବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍ ଟିମ୍କୁ ନିୟୋଜିତ କରାଯାଇଥିଲା । ଏନ୍ଡିଆର୍ଏଫ୍ ଟିମ୍ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ତେବେ ଟ୍ରେନ୍ ଦୁର୍ଘଟଣାରେ ଦେଶର ୧୨ଟି ଟ୍ରେନ୍କୁ ବାତିଲ କରାଯାଇଥିବାବେଳେ ୫୧ଟି ଟ୍ରେନ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି । ଓଡ଼ିଶା ଆସୁଥିବା ରାଜଧାନୀ ଏକ୍ସପ୍ରେସ, ପୁରୁଷୋତ୍ତମ ଏକ୍ସପ୍ରେସ୍ ଓ ନନ୍ଦନକାନନ ଏକ୍ସପ୍ରେସ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି । ମଙ୍ଗଳବାର ୨୨୮୨୩ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ କାନପୁର-ଲକ୍ଷ୍ନୌ-ମୁରାଦାବାଦ-ଗାଜିଆବାଦ ଦେଇ ଓଡ଼ିଶା ଆସୁଥିବାବେଳେ ଗତକାଲି ଛାଡିଥିବା ନୂଆଦିଲ୍ଲୀ-ପୁରୀ, ପୁରୁଷୋତ୍ତମ ଏକ୍ସପ୍ରେସ ଆଗ୍ରା-ଝାନ୍ସି-କାନପୁର ଦେଇ ଓଡ଼ିଶାରେ ପହଞ୍ଚିବ । ସେହିଭଳି ଆଜି ସକାଳେ ଛାଡିଥିବା ନୂଆଦିଲ୍ଲୀ-ପୁରୀ ନନ୍ଦନକାନନ ଏକ୍ସପ୍ରେସ୍ ଟ୍ରେନ୍ ପାଲୱାଲ-ଝାନ୍ସି-କାନପୁର ଦେଇ ଓଡ଼ିଶାରେ ପହଞ୍ଚିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ରେଳପଥ ମରାମତି ହୋଉଥିବା ସମ୍ପର୍କରେ ସୂଚନା ନଥିବାରୁ କଳିଙ୍ଗ ଉକ୍ରଳ ଏକ୍ସପ୍ରେସ୍ ଦୁର୍ଘଟଣାର ଶିକାର ହୋଇଥିଲା । ସେହିଭଳି ଆଜି କୈଫିୟତ ଏକ୍ସପ୍ରେସ୍ ମଧ୍ୟ ରେଳଧାରଣା ମରାମତିରେ ବ୍ୟବହାର ହେଉଥିବା ଡ୍ରୋଜରକୁ ଉଠାଯାଇନଥିବାରୁ ଦୁର୍ଘଟଣାର ଶିକାର ହୋଇଛି । ରେଳବାଇର ତ୍ରୁଟି ଏହି ଦୁଇ ଘଟଣାରେ ସ୍ପଷ୍ଟ ଜଣାପଡୁଛି । ରେଳ ଦୁର୍ଘଟଣା ନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି । କଂଗ୍ରେସ ପକ୍ଷରୁ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଇସ୍ତଫା ଦାବି କରାଯାଇଛି । ଏଆଇସିସି ମୁଖ୍ୟ ମୁଖପାତ୍ର ରଣଦୀପ ସୂରଜୱାଲ କହିଛନ୍ତି ଯେ ଏହା ହେଉଛି ଦାୟିତ୍ୱବୋଧର କଥା । ଦୁର୍ଘଟଣା ଲାଗି ରେଳମନ୍ତ୍ରୀ ଇସ୍ତଫା ଦେବା ପାଇଁ ନୈତିକତା କାରଣରୁ ଇଚ୍ଛା ପ୍ରକାଶ କରିଛନ୍ତି । ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଜଣେ ଦାୟିତ୍ୱବାନ୍ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇ ରେଳ ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତୁ । ପ୍ରଧାନମନ୍ତ୍ରୀ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ତାଙ୍କ ଇସ୍ତଫା ଗ୍ରହଣ କରନ୍ତୁ କିମ୍ବା ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ । କେବଳ ରେଳବାଇ ବୋର୍ଡର କିଛି କନିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଦେଲେ ଦାୟିତ୍ୱ ସରିଯାଇଛି ବୋଲି କେନ୍ଦ୍ର ସରକାର ଭାବନ୍ତୁ ନାହିଁ । ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ୨୮ଟି ବଡଧରଣର ରେଳ ଦୁର୍ଘଟଣା ହୋଇଛି । ଏଥିରେ ୨୫୯ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ୯୩୭ ଜଣ ଆହତ ହୋଇଛନ୍ତି । ଚଳିତ ଦଶନ୍ଧିରେ ଟ୍ରେନ୍ ଲାଇନ୍ଚୁ୍ୟତ ହେବା ସର୍ବାଧିକ ହୋଇଛି । ସମଗ୍ର ଦେଶରେ ରେଳ ସୁରକ୍ଷା ପାଇଁ ଆବଶ୍ୟକ ପଡୁଥିବା କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ୪୨ ହଜାର ପଦବୀ ଖାଲି ରହିଛି । ସେଥିମଧ୍ୟରୁ ଗ୍ରୁପ୍-ସି ଓ ଗ୍ରୁପ୍-ଡିରେ ୧ ଲକ୍ଷ ୨୫ ହଜାର ୭୫୪ ପଦବୀ ରହିଛି । ବଜେଟ୍ରେ ଖାଲି ଥିବା ପଦବୀ ପୂରଣ କରାଯିବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ତାହା କରାଯାଇନାହିଁ । ମୋଦି ସରକାର ତାଙ୍କ ଶାସନ କାଳରେ ରେଳଭଡା ପ୍ରାୟ ୭୦% ବୃଦ୍ଧି କରିଛନ୍ତି । ଲୋୟର ବର୍ଥ ସଂରକ୍ଷଣ ପାଇଁ ଭଡାରେ ୫୦ ଟଙ୍କା ଅଧିକ ନିଆଯାଉଛି । ପ୍ଲାଟ୍ଫର୍ମ ଟିକଟ ଦ୍ୱିଗୁଣ କରାଯାଇଛି । ରେଳ ମାଲ୍ ପରିବହନ କ୍ଷେତ୍ରରେ ପ୍ରତିବର୍ଷ ୨୦% ଭଡା ବୃଦ୍ଧି କରାଯାଉଛି । ଅହମ୍ମଦା-ମୁମ୍ବାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ ଚଳାଚଳ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ହେଁ ରେଳ ସୁରକ୍ଷା ଲାଗି ୪୦ ହଜାର କୋଟି ଟଙ୍କା କାହିଁକି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଯାତ୍ରୀ ଭଡା ବୃଦ୍ଧି ପାଉଥିଲାବେଳେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସେ କହିଛନ୍ତି ।




Powered by odothemes.com