Junagarha-Up-School

ହାଇସ୍କୁଲ୍ରେ ଘର ଅଭାବ: ବାରଣ୍ଡା ଓ ପ୍ରାଥମିକ ବିଦ୍ୟାଳୟ ଭରସା

60

ଜୁନାଗଡ଼ (ଆପ୍ର): ସରକାର ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ପ୍ରତି ପଞ୍ଚାୟତରେ ଅପଗ୍ରେଡ୍ ହାଇସ୍କୁଲ ସ୍ଥାପନ କରିଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀ ନିଜ ପଞ୍ଚାୟତରେ ପାଠପଢି ଆଗକୁ ବଢିପାରିବେ । ହେଲେ ସ୍କୁଲ ସ୍ଥାପନର ଦୀର୍ଘବର୍ଷ ପରେ ମଧ୍ୟ ସରକାର ଏହାର ମୌଳିକ ସମସ୍ୟାଗୁଡିକୁ ସମାଧାନ କରି ନ ଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁଶୁଡିÿବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳର କେତେକ ଅପଗ୍ରେଡ୍ ହାଇସ୍କୁଲରେ ଶିକ୍ଷକ ଅଭାବ ରହିଥିବାବେଳେ ଆଉ କେତେକରେ ଶ୍ରେଣୀଗୃହ ଅଭାବ ରହିଛି । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ବ୍ଲକର ତଳମଲା ଅପଗ୍ରେଡ ହାଇସ୍କୁଲ (ଉନ୍ନୀତ ଉଚ୍ଚ ବିଦ୍ୟାଳୟ)ରେ । ଏବେ ଏଠାରେ ଶ୍ରେଣୀ ଗୃହ ଅଭାବରୁ ଛାତ୍ରୀଛାତ୍ରମାନଙ୍କୁ ବିଦ୍ୟାଳୟ ବାରଣ୍ଡାରେ ବସାଯାଇ ଶିକ୍ଷାଦାନ କରାଯାଉଛି । ଶ୍ରେଣୀ ଗୃହ ଅଭାବରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗାଁ ମଧ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପଢିବାକୁ ଯାଉଛନ୍ତି । ସେଠାରେ ସେମାନେ ତଳେ ବସି ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପ୍ରର୍ଯ୍ୟନ୍ତ ମୋଟ ୪୨୩ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ମାତ୍ର ୩ଟି ଶ୍ରେଣୀ ଗୃହ ଅଛି । ପ୍ରତି ଶ୍ରେଣୀରେ ୮୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ରହିଛନ୍ତି । ପାଠପଢ଼ାରେ ବ୍ୟାଘତ ସୃଷ୍ଟି ହେବା ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବ ଭାବି ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘବର୍ଷ ହେଲା ବିଦ୍ୟାଳୟରେ ଏହି ପରସ୍ଥିତ ଲାଗିରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ଜନପ୍ରତିନିଧିଙ୍କ ଦୃଷ୍ଟି ନ ପଡିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି ।
ତଳମଲା ପଞ୍ଚାୟତର ଛାତ୍ରଛାତ୍ରୀମାନେ ଦୀର୍ଘବର୍ଷ ହେବ ଉଚ୍ଚ ଶିକ୍ଷାପାଇଁ ଦେଢ଼କିମି ଦୂର ଆଟିଗାଁ ସପ୍ତପଲ୍ଲୀ ବିଦ୍ୟାପୀଠକୁ ଯାଉଥିଲେ । ସରକାର ୨୦୦୮ରେ ଏଠାରେ ଏକ ଅପଗ୍ରେଡ୍ ହାଇସ୍କୁଲ ସ୍ଥାପନ କରିବାରୁ ଶିକ୍ଷା ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଥିଲା । ତେବେ ସ୍କୁଲ ସ୍ଥାପନରୁ ହିଁ ଶ୍ରେଣୀଗୃହ ଅଭାବ ଦେଖିବାକୁ ମିଳିଥିଲା । ପ୍ରତି ଶ୍ରେଣୀରେ ୮୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ରହିଛନ୍ତି । ସେମାନଙ୍କ ଶିକ୍ଷାଦାନ ଦେବା ପାଇଁ କମ୍ପୁ୍ୟଟର ଶିକ୍ଷକ ସହ ୧୦ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଅଛନ୍ତି । ଆରମ୍ଭ ଦିନଠୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପ୍ରାୟ ୨ଶହ ମିଟର ଦୁର ପ୍ରାଥମିକ ବିଦ୍ୟାଳୟକୁ ପଢିବାକୁ ଯାଉଛନ୍ତି । ସେମାନଙ୍କୁ ପଢ଼ାଇବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ପିରିୟଡ୍ ଅନୁଯାୟୀ ସେଠାକୁ ଯାଇ ପଢାଇଥାନ୍ତି । ବିଦ୍ୟାଳୟରେ ମୋଟ ୩ଟି ଶ୍ରେଣୀ ଗୃହ ଥିବା ବେଳେ ସେଥିମଧ୍ୟରୁ ଗୋଟିକରେ ଷଷ୍ଠ ଓ ସପ୍ତମ, ଗୋଟିକରେ ଅଷ୍ଟମ ଓ ଅନ୍ୟଟିରେ ପାଠରେ ଦୂର୍ବଳ ଥିବା ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଉଜଲ ଯୋଜନା କାର୍ଯ୍ୟକ୍ରମ ଅନୁଯାୟୀ ସ୍କୁଲ ଭିତରେ ଓ ବାରଣ୍ଡାରେ ବସାଯାଇ ପଢ଼ାଯାଉଛି । ପିଲାଙ୍କ ତୁଳନାରେ ଅତିକମରେ ଆହୁରି ୩ଟି ଶ୍ରେଣୀ ଗୃହର ଆବଶ୍ୟକତା ରହିଛି ।
ସୂଚନା ଅନୁଯାୟୀ, ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଆସିଥିବା ଜଣାପଡିଛି । ହେଲେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । ଏ ନେଇ ପ୍ରଧାନ ଶିକ୍ଷକ ଲବ ସାହୁଙ୍କୁ ପଚାରିବାରୁ, ଆବଶ୍ୟକ କୋଠା ଯୋଗାଇ ଦେବା ସଂପର୍କରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଜଣାଇଛି ବୋଲି ସେ କହିଥିଲେ । ବ୍ଲକ ଶିକ୍ଷାଧିକାରୀ ସୁଧାଂଶୁବାଳା ଦେବୀଙ୍କୁ ପଚାରିବାରୁ ସମସ୍ୟା ବିଷୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବେ ବୋଲି ଉତ୍ତର ଦେଇଥିଲେ ।




Powered by odothemes.com