train4

୨୩ ମୃତ, ବହୁ ଯାତ୍ରୀ ଆହତ

59

ମୁଜାଫରନଗର/ଭୁବନେଶ୍ୱର/ପୁରୀ, ୧୯ା୮(ବୁ୍ୟରୋ): ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉକ୍ରଳ ଏକ୍ସପ୍ରେସ୍ (୧୮୪୭୭) ଉତ୍ତର ପ୍ରଦେଶର ମୁଜାଫରନଗରଠାରୁ ପ୍ରାୟ ୨୫ କି.ମି. ଦୂର ଖତୌଲୀ ଷ୍ଟେସନ୍ ନିକଟରେ ଲାଇନ୍ଚୁ୍ୟତ ହେବାରୁ ୨୩ ଜଣଙ୍କ ମୃତୁ୍ୟ ଘଟିଛି ଓ ବହୁ ଯାତ୍ରୀ ଆହତ ହୋଇଛନ୍ତି । ୧୪ଟି କୋଚ୍ ଲାଇନ୍ଚୁ୍ୟତ ହୋଇଛି ଓ ୬ଟି କୋଚ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କେତେକ କୋଚ୍ ଲାଇନ୍ଚୁ୍ୟତ୍ ହୋଇ ନିକଟରେ ଥିବା ଏକ ସ୍କୁଲ୍ ଉପରକୁ ମାଡିଯାଇଛି । ୟୁପି ଘରୋଇ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ କୁମାର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଲାଇନ୍ ମରାମତି କରାଯାଉଥିଲା କିନ୍ତୁ ଏ ବିଷୟରେ ଡ୍ରାଇଭରଙ୍କୁ ଅବଗତ କରାଯାଇନଥିଲା କିମ୍ବା ମରାମତି ସ୍ଥଳରେ ସିଗ୍ନାଲ୍ ପତାକା ଲଗାଯାଇନଥିଲା । ମରାମତି ସ୍ଥଳର ଖୁବ୍ ନିକଟରେ ଡ୍ରାଇଭରଙ୍କ ଦୃଷ୍ଟିଗୋଚର ହେବାରୁ ସେ ଅଚାନକ ବ୍ରେକ୍ କସିଥିଲେ । ପ୍ରାୟ ୧୫ ମିଟର ଧାରଣା ଖୋଲାଯାଇ ନୂଆ ଧାରଣା ଲଗାଯାଉଥିଲା, କିନ୍ତୁ ନଟ୍ ଓ ବୋଲ୍ଟ କସାଯାଇନଥିଲା । ଉକ୍ରଳ ଏକ୍ସପ୍ରେସ୍ ଆସୁଥିବା ଦେଖି ମରାମତି କରୁଥିବା କର୍ମଚାରୀ ଓ ଶ୍ରମିକମାନେ ଟ୍ରାକ୍ରେ ବଦଳାଯାଇଥିବା ଧାରଣା ଓ ଯନ୍ତ୍ରପାତି ଛାଡି ପଳାଇଥିଲେ । ଏ-୧ କୋଚ୍ ତଳେ ସେଗୁଡିକ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି, ଡ୍ରାଇଭର ଆପତ୍ତକାଳୀନ ବ୍ରେକ୍ ମାରିନଥିଲେ । ଇଞ୍ଜିନ୍ ଦୋହଲିବାରୁ ସେ ଦୁର୍ଘଟଣା ସମ୍ପର୍କରେ ଅନୁମାନ କରିଥିଲେ । ଟ୍ରାକ୍ ଢିଲା କିମ୍ବା ମରାମତି ସ୍ଥଳର ମାଟି ଦବି ଯିବାରୁ ଦୁର୍ଘଟଣା ଘଟିଲା । ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଓ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଡ. ସଂଜୀବ ବାଲ୍ୟାନ ଘଟଣାସ୍ଥଳରେ ପହଞ୍ଚô ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରିଛନ୍ତି । ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋର୍ଦାର କରାଯାଇଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଯାତ୍ରୀମାନଙ୍କ ସମ୍ପର୍କରେ ଖୋଜ୍ଖବର ନେବା ପାଇଁ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ଦୁର୍ଘଟଣା ଦୃଷ୍ଟିରୁ ଆସନ୍ତାକାଲି ପୁରୀରୁ ଯିବାକୁ ଥିବା କଳିଙ୍ଗ ଉକ୍ରଳ ଏକ୍ସପ୍ରେସ୍କୁ ବାତିଲ କରିଦିଆଯାଇଛି ।କଳିଙ୍ଗ ଉକ୍ରଳ ଏକ୍ସପ୍ରେସ୍ ପୁରୀ ଷ୍ଟେସନ୍ରୁ ୧୭ ତାରିଖ ରାତି ୮ଟା ୫୫ ମିନିଟ୍ରେ ୪ ନମ୍ବର ପ୍ଲାଟ୍ଫର୍ମରୁ ହରିଦ୍ୱାର ଅଭିମୁଖେ ବାହାରିଥିଲା । ଆଜି ରାତି ୯ଟାରେ ଟ୍ରେନ୍ ହରିଦ୍ୱାରରେ ପହଞ୍ଚôଥାନ୍ତା । ପୁରୀ ଷ୍ଟେସନ୍ରୁ ୮୬ ଜଣ ଯାତ୍ରୀ ଏହି ଟ୍ରେନ୍ରେ ଚଢିଥିଲେ । ୮୦ ଜଣ ସ୍ଲିପର କୋଚ୍ରେ ଥିବାବେଳେ ୬ ଜଣ ଏସି କୋଚ୍ରେ ଯାତ୍ରା କରିଥିଲେ । ଓଡିଶାରୁ ପ୍ରାୟ ୯୯ ଯାତ୍ରୀ ଏଥିରେ ଥିଲେ । ଅପରାହ୍ଣ ୫ଟା ୪୬ ମିନିଟ୍ରେ ଟ୍ରେନ୍ଟି ମିରଟ-ସାହାରଣପୁର ସେକ୍ସନ ଅନ୍ତର୍ଗତ ଖତୌଲୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କେତେକ ବଗି ନିକଟସ୍ଥ ଘରଗୁଡିକୁ ମାଡିଯିବା ଫଳରେ ବହୁ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ଉଦ୍ଧାର ଓ ସହାୟତାରେ ୪ଟି ଏନ୍ଡିଆର୍ଏଫ୍ ଟିମ୍, ୩୫ ଆମ୍ବୁଲାନ୍ସ, ୟୁପି ପୁଲିସ୍, ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ମେଡିକାଲ କଲେଜ, ଜିଲ୍ଲା ହସ୍ପିଟାଲ ଓ ଘରୋଇ ହସ୍ପିଟାଲକୁ ଆହତଙ୍କ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ମୁଜାଫରନଗର ଜିଲ୍ଲା ପ୍ରଶାସନ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଏନ୍ସିଆର୍ର ବରିଷ୍ଠ ଅଧିକାରୀ ଆମ୍ବୁଲାନ୍ସ ଓ ଡାକ୍ତରମାନଙ୍କୁ ଘଟଣାସ୍ଥଳକୁ ପଠାଇଦିଆଯାଇଛି । ଜିଲ୍ଲା ପ୍ରଶାସନକୁ ସତର୍କ କରାଇବା ସହ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଉପଯୁକ୍ତ ଚିକିତ୍ସା ଦେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ହରିଦ୍ୱାର ରେଳ ପ୍ରଶାସନ ପକ୍ଷରୁ ହେଲ୍ପଲାଇନ୍ ଜାରି କରାଯାଇଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲଗୁଡିକୁ ଆହତମାନଙ୍କର ମାଗଣା ଚିକିତ୍ସା କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଘଟଣାରେ ଆତଙ୍କବାଦୀଙ୍କ ହାତ ଥିବା ସନେ୍ଦହ କରାଯାଇ ଏନ୍ଆଇଏ ଟିମ୍କୁ ପଠାଯାଇଛି । ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୪ଟି ବଗି ଓଲଟି ପଡିଛି । ୬ଟି ବଗି ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛି । ରେଳମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଯେ ଘଟଣାରେ ଯେଉଁମାନଙ୍କର ତ୍ରୁଟି ଥିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ବ୍ୟକ୍ତିଙ୍କୁ ଛଡାଯିବନାହିଁ । ଦୁର୍ଘଟଣାର ଉଚ୍ଚସ୍ତରୀୟ ଅନୁସନ୍ଧାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ରେଳବାଇ ପକ୍ଷରୁ ମୃତକମାନଙ୍କ ପରିବାରଙ୍କ ପ୍ରତି ୩ ଲକ୍ଷ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଥିବାବେଳେ ଗୁରୁତର ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଓ ସାମାନ୍ୟ ଆହତମାନଙ୍କ ପାଇଁ ୨୫ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି । ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ ଯୋଗୀ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୧ ତାରିଖରେ ଜଗଦଲ୍ପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ ଆନ୍ଧ୍ରର ବିଜୟନଗରମ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୪୦ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୫୦ ଜଣ ଆହତ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com