ଓଡ଼ିଶାର କଳା ଓ ସଂସ୍କୃତି ବିଶ୍ୱରେ ଅନନ୍ୟ

40

ଭୁବନେଶ୍ୱର,୨ା୫(ବୁ୍ୟରୋ): ପ୍ରଥମ ଥର ପାଇଁ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା କଳାକାରଙ୍କୁ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରଦାନ କରାଯାଇଛି । ଆଜି ରବିନ୍ଦ୍ର ମଣ୍ଡପଠାରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଜଣ କୃତୀ ପ୍ରତିଭାଙ୍କକୁ ଏହି ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଟ୍ରଫି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ସଂସ୍କୃତି ବିଭାଗର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ଏହାଦ୍ୱାରା ଆମ ରାଜ୍ୟର ଯୁବଛାତ୍ରମାନେ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ପ୍ରତି ଆକୃଷ୍ଟ ହେବେ । ପାରମ୍ପରିକ ଭାବେ ଓଡ଼ିଶାର ଏକ ସ୍ୱାତନ୍ତ୍ର୍ୟ ରହିଛି । ଆମ ରାଜ୍ୟର ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ପାରମ୍ପରିକ ବାଦ୍ୟ ଓ ଚିତ୍ରକଳା ବିଶ୍ୱ ପ୍ରସିଦ୍ଧ ବୋଲି ସେ କହିଥିଲେ । ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତର ଭଳି ତ୍ରୀସ୍ତରୀୟ ବ୍ୟବସ୍ଥାରେ ସଫଳ କଳାକାର ଚୟନ କରାଯାଇଥିବାରୁ, ଏଥିରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତିଭାବାନ୍ କଳାକାର ଲୋକଲୋଚନକୁ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଭଳି ପରମ୍ପରା କଳା କ୍ଷେତ୍ରରେ ସାଂସ୍କୃତିକ ଜାଗରଣ ଆଣିବାରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଟ୍ରଫି ପ୍ରଦାନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ପ୍ରତିଭା ଅନ୍ତର୍ନିହିତ ଭଗବତ ପ୍ରାପ୍ତ ଜିନିଷ । ସମୟ ଓ ଉପଯୁକ୍ତ ସୁଯୋଗ ଆସିଲେ ଏହା ବିକଶିତ ହୋଇଥାଏ । ଆମ ରାଜ୍ୟ ଅନେକ କଳା ଓ ଭାସ୍କର୍ଯ୍ୟର ଅଧିକାରୀ । ରାଜ୍ୟର ଉତ୍ତରାଧିକାରୀ ସୂତ୍ରରେ ଆମକୁ ଅନେକ କିଛି ମିଳିଛି ତେଣୁ ଆମେ ଆମ କଳା ସଂସ୍କୃତି ପ୍ରତି ଯତ୍ନବାନ ନହେଲେ ସେଗୁଡିକ ମରି ହଜି ଯିବ ଏବଂ ଏହି ବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା ଅନେକ କଳାକାର ସୃଷ୍ଟି କରିବା ଦିଗରେ ସହାୟକ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ । ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ ପାଣିଗ୍ରାହୀ, ବିଭାଗୀୟ ସଚିବ ଅରବିନ୍ଦ ପାଢୀ, ନିର୍ଦ୍ଧେଶକ ସୁଶୀଲ କୁମାର ଦାସ, ସଙ୍ଗୀତ ନାଟକ ଏକାଡେମୀ ସଚିବ ଧୀର ମଲ୍ଲିକ, ଲଳିତ କଳା ଏକାଡେମୀ ସଚିବ ତାରାକାନ୍ତ ପରିଡା, ଲଳିତକଳା ଏକାଡେମୀ ସଭାପତି ଶିବ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ ୫ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଓ କନିଷ୍ଠ ଦୁଇଟି ବିଭାଗରେ ଏହି ପ୍ରତିଯୋଗିତା ହୋଇଥିଲା । ସାରା ରାଜ୍ୟରେ ପ୍ରାୟ ୫ ହଜାର ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।




Powered by odothemes.com