ସମନ୍ୱିତ ଶିଶୁ ବିକାଶ ଯୋଜନା ବାଟବଣା

4---hinjilicut-(1)

ହିଞ୍ଜିଳିକାଟୁ (ଆପ୍ର): ଶେରଗଡ଼ ବ୍ଲକ୍ର କାଞ୍ଜିଆମା ଗ୍ରାମରେ ସମନ୍ୱିତ ଶିଶୁ ବିକାଶ ଯୋଜନା ବାଟବଣା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୩ ବର୍ଷରୁ ୬ ବର୍ଷ ବୟସର କୋମଳମତି ଶିଶୁଙ୍କୁ ମାନସିକ ସ୍ତରରେ ସୁଦୃଢ଼ ନିମନ୍ତେ ଅଙ୍ଗନୱାଡ଼ି କର୍ମୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ନାଚ, ଗୀତ ଓ ବିଭିନ୍ନ ଖେଳ ପାଇଁ ଖେଳଣା ସାମଗ୍ରୀ ଯୋଗାଇ ଦେଇ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି ସରକାର । ଏଥିସହ ଶାରୀରିକ ବିକାଶ ନିମନ୍ତେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ପରିବେଷଣ ସକାଶେ ସରକାର ପ୍ରତି ଅଙ୍ଗନୱାଡ଼ି କେନ୍ଦ୍ରକୁ ଅଣ୍ଡା, ଗୁଣବତ୍ତା ଥିବା ଛତୁଆ ଓ କଦଳୀ ଆଦି ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇଥାନ୍ତି । କିନ୍ତୁ କାଞ୍ଜିଆମା ଗ୍ରାମରେ ଦୀର୍ଘ ବର୍ଷ ଧରି ଯୋଜନା ବାଟବଣା ହୋଇଛି । ଗ୍ରାମର ସ୍ୱପ୍ନେଶ୍ୱର ମନ୍ଦିର ରାସ୍ତା ପାଶ୍ୱର୍ରେ ଅବସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର-୨ ଦାୟିତ୍ୱରେ ଥିବା ଅଙ୍ଗନୱାଡ଼ି କର୍ମୀ ଜଣଙ୍କ ନିୟମିତ ଭାବେ ଏଠାକୁ ଆସୁନାହାନ୍ତି । କେନ୍ଦ୍ରରେ ରୋଷେଇ ଗୃହ ସହ ସବୁ ପ୍ରକାର ସୁବିଧା ଉପଲବ୍ଧ ଥିଲେ ମଧ୍ୟ ଶିଶୁଙ୍କୁ ସରକାରୀ ଯୋଜନାର ସୁଫଳ ମିଳୁନାହିଁ । ନିୟମିତ ଭାବେ କେନ୍ଦ୍ର ଖୋଲା ଯାଉନଥିବାରୁ ଶିଶୁମାନେ ଏଠାକୁ ଆସିବା ଲାଗି ଆଗ୍ରହ ପ୍ରକାଶ କରୁନାହାନ୍ତି । ସମ୍ପୃକ୍ତ ଅଙ୍ଗନୱାଡ଼ି କର୍ମୀ ଜଣଙ୍କ ମାସିକ ବିନିଯୋଗ କାଗଜପତ୍ରରେ ସବୁ କିଛି ନିୟମିତ ହେଉଥିବା ଦର୍ଶାଇ ଶିଶୁଙ୍କ ଖାଦ୍ୟ ସାମଗ୍ରୀ ହଡ଼ପ କରି ଚାଲିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ଏଭଳି ଅବ୍ୟବସ୍ଥା ଚାଲିଛି । ଅଙ୍ଗନୱାଡ଼ି କେନ୍ଦ୍ରର ଚତୁଃପାଶ୍ୱର୍ରେ ଘାସ, ଲତା, ବୃକ୍ଷ ଆଦି ବଢ଼ି ଭୂତକୋଠି ପାଲଟିଗଲାଣି । ପ୍ରାୟ ୧୦ ବର୍ଷ ଧରି ଅଙ୍ଗନୱାଡ଼ି କର୍ମୀଙ୍କ ମନୋମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ମଧ୍ୟ ଦାୟିତ୍ୱରେ ଥିବା ସୁପରଭାଇଜର ଏବଂ ସିଡିପିଓ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ତେଣୁ ଗ୍ରାମର ଶିଶୁମାନେ ଏଣେତେଣେ ବୁଲୁଛନ୍ତି । ସମ୍ପୃକ୍ତ କେନ୍ଦ୍ର ନିକଟରେ ପ୍ରାୟ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟରେ ଗତ ଦୁଇ ବର୍ଷ ହେଲା ଅନ୍ୟ ଏକ ଅଙ୍ଗନୱାନି କେନ୍ଦ୍ର ନିର୍ମାଣାଧୀନ ଅବସ୍ଥାରେ ରହିଛି । ଏନେଇ ଗ୍ରାମବାସୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।