DSC_0441

ମତାମତ ନେଲେ, ରିପୋର୍ଟ ଦେବେ

67

ଭୁବନେଶ୍ୱର, ୧୩ା୮(ବୁ୍ୟରୋ): ପିସିସି ସଭାପତି ପରିବର୍ତ୍ତନ ସପକ୍ଷରେ ନା ବିପକ୍ଷରେ ରାଜ୍ୟ ନେତୃବୃନ୍ଦ ତାହାର ତର୍ଜମା କରିବା ଲାଗି କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ । ଏଆଇସିସି ଦ୍ୱାରା ନିଯୁକ୍ତ ତିନିଜଣିଆ ପର୍ଯ୍ୟବେକ୍ଷକ ଦଳ ରବିବାର ଦ୍ୱିତୀୟ ଦିନରେ ଦଳର ବରିଷ୍ଠ ନେତା, ପୂର୍ବତନ ବିଧାୟକ ଓ ସାଂସଦଙ୍କୁ ସାକ୍ଷାତ କରିବା ପରେ ଅପରାହ୍ନରେ ବିଧାୟକ ଦଳ ସହ ପୃଥକ ଆଲୋଚନା କରିଛନ୍ତି ଓ ସନ୍ଧ୍ୟାରେ ପିସିସି ସମନ୍ୱୟ କମିଟି ବୈଠକରେ ଯୋଗଦେଇଛନ୍ତି । ପ୍ରାପ୍ତ ସୁଚନା ମୁତାବକ, ରବିବାର ଏଆଇସିସିର ପର୍ଯ୍ୟବେକ୍ଷକ ଦଳ ରବିବାର ୫ଟି ପର୍ଯ୍ୟାୟରେ ମତ ସଂଗ୍ରହ କରିଛନ୍ତି । ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପର୍ଯ୍ୟବେକ୍ଷକ ଦଳ ପ୍ରଥମେ ଦଳର ବିରିଷ୍ଠ ନେତାଙ୍କୁ ଭେଟି ସାଂଗଠନିକ ସ୍ଥିତି ଓ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପରେ ପାଳି ପଡିଥିଲା ପୂର୍ବତନ ବିଧାୟକ ଓ ସାଂସଦଙ୍କର । ଦିନ ୧୧ ଘଣ୍ଟା ସମୟରେ ଅନେକ ପୂର୍ବତନ ବିଧାୟକ ଓ ସାଂସଦ ପର୍ଯ୍ୟବେକ୍ଷକ ଦଳଙ୍କୁ ସାକ୍ଷାତ କରିବା ସହ ପିସିସି ପରିବର୍ତ୍ତନ ଲାଗି ନିଜର ମତ ବ୍ୟକ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ରହିଥିଲେ ଭବାନୀପାଟଣା ର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ । ବିଧାୟକ ଦୁଷ୍ମନ୍ତ ପୂର୍ବରୁ ଦଳ ଛାଡିବା ଲାଗି ନିଷ୍ପତି ନେଇଥିବା ସତ୍ତ୍ୱେ ଆଜି ପର୍ଯ୍ୟବେକ୍ଷକ ଦଳ ସହ ସାକ୍ଷାତ କରି ପିସିସି ପରିବର୍ତ୍ତନ ଲାଗି ଦୃଢ ଦାବୀ ଜଣାଇଛନ୍ତି । ତେବେ ପିସିସି ପରିବର୍ତ୍ତନ ପରେ ସେ ଦଳ ଛାଡିବେ କି ରହିବେ ବୋଲି ଗଣମାଧ୍ୟମ ପ୍ରଶ୍ନ କରିଥିବା ବେଳେ ଏହି ପ୍ରସଙ୍ଗକୁ ଦୁଷ୍ମନ୍ତ ସମ୍ପୂର୍ଣ୍ଣ ଭାବେ ଏଡାଇ ଦେଇଛନ୍ତି । ମଧ୍ୟାହ୍ନ ସାଢ଼େ ୧୨ରେ ୨୦୧୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସମସ୍ତ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ପର୍ଯ୍ୟବେକ୍ଷକ ଟିମ୍ ଆଗରେ ନିଜ ନିଜ ମତ ରଖିଛନ୍ତି । ସେପଟେ ଅପରାହ୍ନ ୩ ଘଣ୍ଟା ସମୟରେ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଗୋଟିଏ ଗାଡିରେ ତାରାପ୍ରସାଦ ବାହିନୀପତି ଓ ନବ କିଶୋର ଦାସ କଂଗ୍ରେସ ଭବନରେ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ଅନ୍ୟ ୧୨ ବିଧାୟକ ଓ ସାଂସଦ ରଞ୍ଜୀବ ବିଶ୍ୱାଳ । ତେବେ ବିଧାୟକ ସୁବଳ ସାହୁ ଶାରିରୀକ ଅସୁସ୍ଥତା କାରଣରୁ ଅନୁପସ୍ଥିତ ରହିଥିଲେ । ପୂର୍ବରୁ ବିଧାୟକ ଦଳ ପ୍ରସାଦ – ହରିପ୍ରସାଦ ଯୋଡିକୁ ପିସିସି ଦାୟିତ୍ୱରୁ ହାଟାଇବା ଲାଗି ଖୁଲମ୍ଖୁଲା କହିସାରିଥିବା, ଆଜି ପର୍ଯ୍ୟବେକ୍ଷକ ଦଳଙ୍କୁ ସାକ୍ଷାତ କରି ବିଧାୟକ ଦଳ ସମାନ ଦାବି ଜଣାଇଛନ୍ତି ଏବଂ ପିସିସି ସଭାପତି ଭାବେ ନିରଞ୍ଜନଙ୍କ ସପକ୍ଷରେ ମତ ଦେଇଛନ୍ତି । ସେପଟେ କିନ୍ତୁ ନିରଞ୍ଜନ କହିଛନ୍ତି ଯେ, ପୁନର୍ବାର ପିସିସି ସଭାପତି ଦାୟିତ୍ୱ ଦିଆଗଲେ ଦାୟିତ୍ୱ ନେବା ପୂର୍ବରୁ ଶହେ ଥର ଚିନ୍ତା କରିବି ବୋଲି ସେ କହିଛନ୍ତି । ଅପରପକ୍ଷରେ ପିସିସି ସଭାପତି ଦାୟିତ୍ୱ ଭକ୍ତ ଦାସଙ୍କୁ ଦିଆଗଲେ ସେ ନିର୍ବାହ କରିବେ କି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ ଦଳରେ ଶୃଙ୍ଖଳା ରହିବା ଆବଶ୍ୟକତା ରହିଛି ବୋଲି କହି ପ୍ରସଙ୍ଗକୁ ଚତୁରତାର ସହ ଏଡାଇ ଦେଇଥିଲେ । ଅନ୍ୟପକ୍ଷରେ ବିଧାୟକ ଦଳ ସହ ସ୍ୱର ମିଳାଇଛନ୍ତି ଦଳର କିଛି ତୁଙ୍ଗ ନେତା । କଂଗ୍ରେସ ନେତ୍ରୀ ବିଜୟ ଲକ୍ଷ୍ମୀ ସାହୁ କହିଛନ୍ତି ଯେ, ଦଳରେ ସମନ୍ୱୟ ଅଭାବରୁ ଦଳ ଦୁର୍ବଳ ହେବାରେ ଲାଗିଛି । ସେହିପରି ବର୍ତ୍ତମାନ ପରିସ୍ଥିତିରେ ପିସିସି ପରିବର୍ତ୍ତନର ଆବଶ୍ୟକତା ନଥିବା କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଅନ୍ୟପକ୍ଷରେ ପିସିସି-ବିଧାୟକ ଦଳରେ ବିବାଦରୁ ଦଳ ଦୁର୍ବଳ ହେଉଥିବା ଓ ହାଇକମାଣ୍ଡ୍ଙ୍କ ବିଳମ୍ବ ପଦକ୍ଷେପ ପ୍ରତିବାଦରେ କଂଗ୍ରେସ ଭବନ ଆଗରେ ଅନସନରେ ବସିବା ନିଷ୍ପତ୍ତିରୁ ଓହରିଥିବା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି ମଧ୍ୟ ପର୍ଯ୍ୟବେକ୍ଷକ ଦଳ ଆଗରେ ପିସିସି ପରିବର୍ତ୍ତନ ସପକ୍ଷରେ ନିଜ ମତ ରଖିଛନ୍ତି । ସମସ୍ତଙ୍କ ମତ ସଂଗ୍ରହ କରିବା ପରେ ସନ୍ଧ୍ୟାରେ ପର୍ଯ୍ୟବେକ୍ଷକ ଦଳ ସମନ୍ୱୟ କମିଟି ବୈଠକରେ ଯୋଗ ଦେଇଥିଲେ । ଆଜି ପର୍ଯ୍ୟବେକ୍ଷକ ଦଳ ଦିଲ୍ଲୀ ଫେରି ଓଡିଶାର ରାଜନୈତିକ ସ୍ଥିତି ଓ ପିସିସି ପରିବର୍ତ୍ତନ ସମ୍ପର୍କିତ ରିପୋର୍ଟ ଏଆଇସିସିର ସଭାପତି ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଦାନ କରିବେ । ପ୍ରକାଶଥାଉ କି ପର୍ଯ୍ୟବେକ୍ଷକ ଦଳଙ୍କ ରିପୋର୍ଟ ଉପରେ ହିଁ ପିସିସି ସଭାପତି ପରିବର୍ତ୍ତନର ଭାଗ୍ୟ ନିର୍ଭର କରିଛି ।

ସେଆର କରନ୍ତୁ:



Powered by odothemes.com