gorakhpurtragedy

ତ୍ରୁଟିକୁ ସ୍ୱୀକାର

84

ୟୁପି ଶିଶୁ ମଡ଼କରେ ଦେଶବ୍ୟାପୀ ଆଲୋଡ଼ନ
ଗୋରଖପୁର, ୧୨ା୮: ଉତ୍ତର ପ୍ରଦେଶର ଗୋରଖପୁରସ୍ଥିତ ବାବା ରାଘବ ଦାସ (ବିଆର୍ଡି) ମେଡିକାଲ କଲେଜ ଓ ହସ୍ପିଟାଲରେ ୫ ଦିନରେ ୬୦ ପାଖାପାଖି ଶିଶୁ ମୃତୁ୍ୟକୁ ନେଇ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ଘଟଣାକୁ ଉତ୍ତର ପ୍ରଦେଶ ସରକାର ଯେଉଁଭଳି ଗମ୍ଭୀରତାର ସହ ନେବା କଥା ସେଭଳି ନେଇନାହାନ୍ତି ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଥିଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଘଟଣା ଲାଗି ଦୁଃଖ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅକ୍ସିଜେନ୍ ଯୋଗାଣ ଏଭଳି ମୃତୁ୍ୟ ହୋଇଥିବା ଘଟଣାକୁ ସେ ଅସ୍ୱୀକାର କରିବା ସହ ହସ୍ପିଟାଲର ପରିମଳ ବ୍ୟବସ୍ଥାରେ ବିପର୍ଯ୍ୟସ୍ତ ଯୋଗୁଁ ସଂକ୍ରମଣ ହୋଇଥାଇପାରେ ବୋଲି ମତ ରଖିଛନ୍ତି । ଜାପାନୀ ଏନ୍ସେଫାଲାଇଟ୍ସ ସରକାର ଲାଗି ଏକ ଆହ୍ୱାନ ବୋଲି ସେ ସ୍ୱୀକାର କରିଛନ୍ତି । ତେବେ ଘଟଣା ପରେ ମେଡିକାଲ୍ କଲେଜର ଅଧ୍ୟକ୍ଷଙ୍କୁ ନିଲମ୍ବିତ କରାଯାଇଛି । ତେବେ କଲେଜ ଅଧ୍ୟକ୍ଷ କହିଛନ୍ତି ଯେ ସେ ନିଲମ୍ବନ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ ।ବିଆର୍ଡି ହସ୍ପିଟାଲରେ ଘଟିଥିବା ଶିଶୁ ମଡକ ଘଟଣାର ପ୍ରଶାସନିକସ୍ତରୀୟ ତଦନ୍ତ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଘଟଣାର ତଦନ୍ତ କରିବ । ତେବେ ମୃତୁ୍ୟ ସଂଖ୍ୟା ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ସଂଖ୍ୟା ଆସୁଛି ବୋଲି ଯୋଗୀ ଆଦିତ୍ୟନାଥ କହିବା ସହ ମୃତୁ୍ୟର କାରଣ ଓ କେତେ ସଂଖ୍ୟକ ଶିଶୁ ମୃତୁ୍ୟବରଣ କରିଛନ୍ତି, ତାହା ପ୍ରଦାନ କରିବା ଲାଗି ତଦନ୍ତକାରୀ କମିଟିକୁ ନିଦେ୍ର୍ଦଶ ଦିଆଯାଇଛି । ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ଘଟଣାସ୍ଥଳ ପରିଦର୍ଶନ କରି ସେ କହିଛନ୍ତି ଯେ ୨ ଘଣ୍ଟା ପାଇଁ ଅକ୍ସିଜେନ୍ ଯୋଗାଣ ବ୍ୟାହତ ହୋଇଥିଲା । ମାତ୍ର ଅକ୍ସଜେନ୍ ଯୋଗୁଁ ଶିଶୁଙ୍କର ମୃତୁ୍ୟ ଘଟିନାହିଁ । କେଉଁ କାରଣ ଯୋଗୁଁ ମୃତୁ୍ୟ ହୋଇଛି, ତାହା ଅନୁସନ୍ଧାନ କରାଯାଉଛି । ତେବେ ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଉଥିବା କମ୍ପାନୀ କହିଛି ଯେ ମାର୍ଚ୍ଚ ମାସରୁ ସେମାନଙ୍କ ଚୁକ୍ତି ମିଆଦ ସରିଯାଇଥିଲେ ସୁଦ୍ଧା ଏହାର ନବୀକରଣ କରାଯାଇନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଓ ସଚିବ ସି.କେ. ମିଶ୍ରଙ୍କୁ ଘଟଣାସ୍ଥଳକୁ ଯାଇ ରିପୋର୍ଟ ଦେବାକୁ କୁହାଯାଇଛି । ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶ ପ୍ରସାଦ ମୌର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯେଉଁମାନେ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।ଏହି ଦୁଃଖଦ ଘଟଣା ଉପରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିଦେ୍ର୍ଦଶକ୍ରମେ ଗୁଲାମନବୀ ଆଜାଦଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧି ଦଳ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହି ଦୁଃଖଦ ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ହିଁ ଦାୟୀ କରିଛନ୍ତି । ରାଜ୍ୟ ସରକାରଙ୍କର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଶ୍ରୀ ଆଜାଦ୍ କହିବା ସହ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କର ଦାୟିତ୍ୱରେ ରହିବାର ଅଧିକାର ନାହିଁ ବୋଲି କହିଛନ୍ତି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୃତୁ୍ୟବରଣ କରିଥିବା ଶିଶୁଙ୍କ ପରିବାର ସହ ସେ ସମପରିମାଣର ଦୁଃଖୀ । ବିଜେପି ସରକାରର ଦାୟିତ୍ୱହୀନତା ଯୋଗୁଁ ଏଭଳି ଘଟଣା ଘଟିଲା ଓ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି । ବିଜେପି ସାଂସଦ ସାକ୍ଷୀ ମହାରଜ ଅକ୍ସିଜେନ୍ ଯୋଗାଣର ବ୍ୟାହତ ଯୋଗୁଁ ଏଭଳି ଘଟିଥିବା ସ୍ୱୀକାର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏହା ହେଉଛି ପରୀକ୍ଷାର ସମୟ । ହେଲେ ସେ ଦୃଢ ନିଶ୍ଚିତ ଯେ ସେ ଏହାକୁ ସଫଳତାର ସହ ମୁକାବିଲା କରିବେ । ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ବିଜେପି ସରକାରର ଏହା ଅପରାଧୀକ ଅବହେଳା ବୋଲି ଟିପ୍ପଣୀ ଦେଇଛନ୍ତି । ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି, ଯେଉଁ କମ୍ପାନୀ ଅକ୍ସିଜେନ୍ ଯୋଗାଉଥିଲା ସେ ପୂର୍ବରୁ ବନ୍ଦ କରିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ଥାଇ କୌଣସି ପଦକ୍ଷେପ ନେଇନାହାନ୍ତି । ଉତ୍ତର ପ୍ରଦେଶର ରାଷ୍ଟ୍ରୀୟ ଲୋକଦଳ ଶାଖା ସଭାପତି ମାସୁଦ ଅହମ୍ମଦ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଉତ୍ତର ପ୍ରଦେଶର ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଅଶୁତୋଷ ଟଣ୍ଡନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ସବୁ ଦୃଷ୍ଟିକୁ ବିଚାର କରାଯାଇ ତଦନ୍ତ କରାଯାଉଛି । ଖୁବ୍ଶୀଘ୍ର ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ନିରୀହ ଶିଶୁଙ୍କ ମୃତୁ୍ୟ ଘଟଣା ଶୁଣିବା ଦୁଃଖଦାୟକ । ଯୋଗୀ ସରକାରର ଅବହେଳା ଯୋଗୁଁ ଏହା ଘଟିଛି । ଦୋଷୀକୁ ନିଶ୍ଚିତଭାବେ ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି । ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ଗୋରଖପୁରସ୍ଥିତ ହସ୍ପିଟାଲରେ ୬୩ଜଣ ଶିଶୁ ମୃତୁ୍ୟ ଘଟଣା ସଂପର୍କରେ କ୍ଷୋଭ ପ୍ରକାଶ କରିବା ସହ କହିଛନ୍ତି ଯେ ଏହା ମୃତୁ୍ୟ ନୁହେଁ ବରଂ ନରସଂହାର । ଏହାଛଡା ଆମ ପିଲାମାନଙ୍କ ପାଇଁ ସ୍ୱାଧୀନତାର ୭୦ବର୍ଷର ଅର୍ଥ କ’ଣ ଏଇଆ ବୋଲି ସେ ଟ୍ୱିଟ୍ ଯୋଗେ ଉତ୍ତରପ୍ରଦେଶ ସରକାରଙ୍କ ଉଦେ୍ଦଶ୍ୟରେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କୁ ଉକ୍ତ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବା ସହ ଉତ୍ତରପ୍ରଦେଶ ହସ୍ପିଟାଲ ସିଷ୍ଟମ୍କୁ ସୁଧାରିବାକୁ ଅନୁରୋଧ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com