doklam

ପରିପକ୍ୱ ଆଭିମୁଖ୍ୟ ଗ୍ରହଣ କରୁଛି ଭାରତ

34

ଡୋକ୍ଲାମ ବିବାଦ ନୂଆଦିଲ୍ଲୀ, ୧୨ା୮: ଶନିବାର ଆମେରିକା ସମେତ ବିଶ୍ୱ ସମୁଦାୟ ପକ୍ଷରୁ ଏହି ପ୍ରସଙ୍ଗରେ ଆଲୋଚନା ଏବଂ ଶାନ୍ତି ସ୍ଥାପନ କରିବା ନେଇ ଭାରତର ଉଦ୍ୟମକୁ ପୁଣିଥରେ ପ୍ରଶଂସା କରାଯାଇଛି । ଆମେରିକାର ଏକ ପ୍ରତିଷ୍ଠିତ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ଜଣେ ବିଶିଷ୍ଟ ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞ ତଥା ନୌସେନା ମହାବିଦ୍ୟାଳୟର ପ୍ରଫେସର ଥିବା ଜେମ୍ସ୍ ଆର ହୋଲ୍ସଙ୍କ ମତ ଅନୁସାରେ ଡୋକ୍ଲାମ ବିବାଦକୁ ନେଇ ଭାରତ ଗୋଟିଏ ପଟେ ନିଜ ଦୂରଦୃଷ୍ଟି ସମ୍ପନ୍ନ ପରିପକ୍ୱତା ଆଭିମୁଖ୍ୟ ପ୍ରଦର୍ଶିତ କରୁଥିବା ବେଳେ ଚୀନ୍ କିନ୍ତୁ ନିଜ ଜିଦ୍ରେ ଅଟଳ ରହି ପିଲାଙ୍କ ପରି ହେଉଛି । ସେ କହିଛନ୍ତି ଯେ ଡୋକଲାମ୍ ଅଞ୍ଚଳରେ ମୁତୟନ ଉଭୟ ଦେଶର ସେନାକୁ ଦେଖିବା ପରେ ତାଙ୍କୁ ଚୀନ୍ ତୁଳନାରେ ଭାରତ ଅଧିକ ଶକ୍ତିଶାଳୀ ପ୍ରତୀୟମାନ ହେଉଛି । ଭାରତର ସାମରିକ ସଜବାଜ ଦେଖିବା ପରେ ଚୀନ୍ ମଧ୍ୟ ଭିତରେ ଭିତରେ ଭୟଭୀତ ହୋଇପଡିଥିବା ସେ ଅନୁଭବ କରୁଥିବା କହିଛନ୍ତି । ତେବେ ଆମେରିକା କାହିଁକି ଏହି ପ୍ରସଙ୍ଗରେ ପ୍ରତ୍ୟକ୍ଷ ଭାବେ ସାମ୍ନାକୁ ଆସୁନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଜେମ୍ସ କହିଛନ୍ତି ଯେ, ଏହି ମାମଲାରେ ତୃତୀୟ ପକ୍ଷ ଭାବେ କୌଣସି ଦେଶ ସାମିଲ ହେବା ଉଚିତ୍ ହେବ ନାହିଁ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚୀନ୍ କିମ୍ବା ପାକିସ୍ତାନ ସହ ସୀମାବିବାଦରେ ଅନ୍ୟକାହାର ସମ୍ପୃକ୍ତିକୁ ପସନ୍ଦ କରୁନଥିବାରୁ ଆମେରିକା ଏପର୍ଯ୍ୟନ୍ତ ଏଥିରୁ ଦୂରେଇ ରହିଥିବା ସେ କହିଛନ୍ତି । ସେହିପରି ଚୀନ୍ ସେନା ଭାରତୀୟ ସେନାକୁ ପ୍ରକୃତରେ ଭୟ କରୁଥିବାରୁ ଆଜିକୁ ୫୦ଦିନରୁ ଅଧିକ ସମୟ ଧରି କୌଣସି ନିର୍ମାଣକାର୍ଯ୍ୟ ଡୋକ୍ଲାମ୍ ଅଞ୍ଚଳରେ କରିପାରିନାହିଁ ବୋଲି ସେ ମତ ରଖିଛନ୍ତି । ମାତ୍ର ଉଭୟ ଦେଶ ମଧ୍ୟରେ ଯଦି କେବେ ବିବାଦ ଭୟାବହ ରୂପ ଧାରଣ କରେ ତେବେ ଆମେରିକା ନିଶ୍ଚିତଭାବେ ଭାରତକୁ ସମର୍ଥନ ଦେବା ଉଚିତ୍ ବୋଲି ସେ କହିଛନ୍ତି ।
ଡୋକ୍ଲାମ ବିବାଦକୁ ନେଇ ଚୀନ୍ ଏବଂ ଭାରତ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ ଉଭୟ ଦେଶ ଡୋକ୍ଲାମ ସମେତ ଅରୁଣାଚଳପ୍ରଦେଶ ଏବଂ ସିକିମ୍ ଆଦି ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡିକରେ ଅଧିକରୁ ଅଧିକ ସେମାନଙ୍କ ସେନାକୁ ନିୟୋଜିତ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଉଭୟ ଦେଶର ସେନାଧିକାରୀଙ୍କ ମଧ୍ୟରେ ଘନଘନ ବୈଠକ ବସୁଥିବା ସତ୍ତ୍ୱେ କୌଣସି ନିଷ୍କର୍ସ ବାହାରିନପାରିବା ପରିସ୍ଥିତିକୁ ଆହୁରି ଗୋଳମାଳିଆ କରିଦେଇଛି । ଏପରିସ୍ଥଳେ ଆମେରିକା କିନ୍ତୁ ଉଭୟ ଦେଶକୁ ଶାନ୍ତିର ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ କହିଆସୁଛି । କେବଳ ସେତିକି ନୁହେଁ ଚୀନ୍-ଭାରତ ମଧ୍ୟରେ ଯୁଦ୍ଧ ସମ୍ଭାବନା ଦୃଷ୍ଟିକୋଣରୁ ଆମେରିକା, ଚୀନ୍ ତୁଳନାରେ ଭାରତକୁ ଫେଭରିଟ୍ ଆଖ୍ୟା ମଧ୍ୟ ଦେଇସାରିଛି । ଆମେରିକାର ଏପ୍ରକାର ମନ୍ତବ୍ୟକୁ ନେଇ ବ୍ୟତିବ୍ୟସ୍ତ ହୋଇପଡୁଥିବା ଚୀନ୍ ଏହି ପ୍ରସଙ୍ଗରୁ ଦୂରେଇ ରହିବାକୁ ଆମେରିକାକୁ ମଧ୍ୟ ଧମକ୍ ଦେବାକୁ ପଛାଇନାହିଁ ।

ସେଆର କରନ୍ତୁ:



Powered by odothemes.com