ଅଲ୍ରାଉଣ୍ଡର୍ ତାଲିକାରେ ବି ଶୀର୍ଷାସନ

jadeja

ଆଇସିସି ଟେଷ୍ଟ ମାନ୍ୟତାରେ ଜାଡ଼େଜାଙ୍କୁ ଦ୍ୱୈତ ସମ୍ମାନ
ଦୁବାଇ, ୮ା୮ (ଏଜେନ୍ସି): ନିଲମ୍ବନ ହୋଇଥିବା ଯୋଗୁଁ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟରୁ ବାଦ୍ ପଡ଼ିଥିବା ଭାରତୀୟ ତାରକା ରବୀନ୍ଦ୍ର ଜାଡ଼େଜାଙ୍କ ପାଇଁ ଖୁସି ଖବର । ଏବେ ସେ କ୍ରିକେଟ୍ର ସବୁଠାରୁ ଲମ୍ବା ଫର୍ମାଟ୍ରେ ଏକ ନମ୍ବର ଅଲ୍ରାଉଣ୍ଡର୍ ମାନ୍ୟତା ହାସଲ କରିଛନ୍ତି । ଟେଷ୍ଟ ବୋଲର୍ ତାଲିକାରେ ମଧ୍ୟ ସେ ପୂର୍ବରୁ ଶୀର୍ଷ ସ୍ଥାନରେ ରହିଛନ୍ତି, ଯାହା ଫଳରେ ଏହି ୨୮ବର୍ଷୀୟ ଖେଳାଳି ଦ୍ୱୈତ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଟିମ୍ ମାନ୍ୟତାରେ ଭାରତ ଏକ ନମ୍ବର ସ୍ଥାନ ବଜାୟ ରଖିଛି । କଲମ୍ବୋଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଅପରାଜିତ ୭୦ ରନ୍ କରିବା ସହ ୭ ୱିକେଟ୍ ନେଇ ଭାରତକୁ ଇନିଂସ୍ ଜିତାଇଥିବା ଯୋଗୁଁ ଜାଡ଼େଜା ଟେଷ୍ଟ ଅଲ୍ରାଉଣ୍ଡର୍ ମାନ୍ୟତାରେ ବାଂଲାଦେଶର ସାକିବ୍ ଅଲ୍ ହାସନ୍ଙ୍କୁ ଗାଦିଚୁ୍ୟତ କରିପାରିଛନ୍ତି । ଏହି ଭାରତୀୟ ପ୍ରଥମ ଥର ଏହି ତାଲିକାରେ ଶୀର୍ଷରେ ପହଞ୍ଚିପାରିଛନ୍ତି । ଦ୍ୱିତୀୟ ଟେଷ୍ଟ ସମୟରେ ସେ (୩୨ତମ ଟେଷ୍ଟ) ୧୫୦ ଟେଷ୍ଟ ୱିକେଟ୍ ମଧ୍ୟ ହାସଲ କରିଛନ୍ତି । ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍ରେ ଅଲ୍ରାଉଣ୍ଡ ପ୍ରଦର୍ଶନ କରିଥିବା ଯୋଗୁଁ ମୋଇନ୍ ଅଲ୍ଲୀ ତାଲିକାରେ ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି । ଏହି ସିରିଜ୍ରେ ସେ ୨୫୨ ରନ୍ ସଂଗ୍ରହ କରିବା ସହ ୨୫ଟି ୱିକେଟ୍ ନେଇଥିଲେ । ଭାରତର ରବିଚନ୍ଦ୍ରନ୍ ଅଶ୍ୱିନ ତୃତୀୟ ସ୍ଥାନରେ ରହିଛନ୍ତି । ୨୪ ମାସ ମଧ୍ୟରେ ୬ ନକାରାତ୍ମକ ପଏଣ୍ଟ ପାଇବା ପରେ ଜାଡ଼େଜା ଗୋଟିଏ ଟେଷ୍ଟରୁ ନିଲମ୍ବନ ହୋଇଥିଲେ । ୨୦୧୬ ଅକ୍ଟୋବରରେ ଇନେ୍ଦାରଠାରେ ଏକ ଟେଷ୍ଟ ମ୍ୟାଚ୍ ସମୟରେ ପିଚ୍ରେ ଦୌଡ଼ିବା ଯୋଗୁଁ ସେ ଗୋଟିଏ ମ୍ୟାଚ୍ରୁ ନିଲମ୍ବିତ ହୋଇଥିଲେ । ଅନ୍ୟ ଭାରତୀୟଙ୍କ ମଧ୍ୟରେ କଲମ୍ବୋରେ ଶତକ ଲଗାଇଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି । କ୍ୟାରିଅର୍ର ୫୦ତମ ଟେଷ୍ଟରେ ୧୩୩ ରନ୍ କରିଥିବା ପୂଜାରା ଟେଷ୍ଟ ବ୍ୟାଟ୍ସମ୍ୟାନ୍ ତାଲିକାରେ କ୍ୟାରିଅର୍ର ସର୍ବାଧିକ ୮୮୮୮ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ୧୩୨ ରନ୍ କରିଥିବା ରାହାଣେ ପଞ୍ଚମରୁ ୧୧ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା ଚାରି ସ୍ଥାନ ଉଠି କ୍ୟାରିଅର୍ର ସର୍ବଶ୍ରେଷ୍ଠ ୪୪ତମ ସ୍ଥାନରେ ପହଞ୍ଚିଛନ୍ତି । ଇଂଲଣ୍ଡର ଜନି ବେୟାର୍ଷ୍ଟୋ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଟପ୍-୧୦ରେ ଅଧିନାୟକ ବିରାଟ କୋହଲି ଅନ୍ୟତମ ଭାରତୀୟ ଖେଳାଳି ଭାବେ ପଞ୍ଚମ ସ୍ଥାନରେ ରହିଛନ୍ତି । ଭାରତୀୟ ବୋଲର୍ଙ୍କ ମଧ୍ୟରେ ମହମ୍ମଦ ସାମି (୨୦ତମ) ଓ ଉମେଶ ଯାଦବ (୨୨ତମ) ମାନ୍ୟତାରେ ଉପରକୁ ଉଠିଛନ୍ତି । ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍ରେ ଉଲ୍ଲେଖନୀୟ ବୋଲିଂ ପ୍ରଦର୍ଶନ କରିଥିବା ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍, ଅଶ୍ୱିନଙ୍କୁ ପଛରେ ପକାଇ ବୋଲର୍ ମାନ୍ୟତାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଶ୍ୱିନ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି ।