ଶ୍ରମଯୋଗୀ ଅବହେଳିତ

70

ଭୁବନେଶ୍ୱର,୩୦ା୪(ବୁ୍ୟରୋ): ମାଲିକ ଓ ବାବୁମାନେ ଆଉ ଶ୍ରମିକଙ୍କ ଉପରେ ଦାଉ ସାଧିପାରିବେ ନାହିଁ । ସେମାନଙ୍କୁ ମନ ଇଚ୍ଛା ଶୋଷଣ କରିପାରିବେ ନାହିଁ । ଶ୍ରମିକଙ୍କୁ ମିଳିବ ଅଧିକ ଅଧିକାର ଓ ସ୍ୱାଧୀନତା । ଏଥିପାଇଁ କେନ୍ଦ୍ରର ମୋଦି ସରକାର ଗତ ବର୍ଷ ଅକ୍ଟୋବର ମାସରେ ରୁଢ଼ିବାଦୀ ଶ୍ରମ ଆଇନରେ ଆଣିଥିଲେ ବ୍ୟାପକ ସଂସ୍କାର । ଶ୍ରମିକମାନଙ୍କୁ ‘ଶ୍ରମ ଯୋଗୀ’, ‘ରାଷ୍ଟ୍ର ଯୋଗୀ’ ଓ ‘ରାଷ୍ଟ୍ର ନିର୍ମାତା’ ଭାବେ ଅଭିହିତ କରି ‘ଶ୍ରମେବ ଜୟତେ’ସ୍ଲୋଗାନ୍ ଅବସରରେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ‘ଯେତେବେଳେ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା ନ ମିଳିଛି ସେତେବେଳ ପର୍ଯ୍ୟନ୍ତ ସମାଜର ବିକାଶ ସମ୍ଭବ ନୁହେଁ ।’ କିନ୍ତୁ ବାସ୍ତବା ଯେ ଭୟଙ୍କର – ଏହା ବିଭିନ୍ନ ରାଜ୍ୟରେ ଗୋତି ଖଟୁଥିବା ଦାଦନଙ୍କ ଦୟନୀୟ ସ୍ଥିତିରୁ ସ୍ପଷ୍ଟ । ମାନବାଧିକାର ଆୟୋଗ ଓ ଶ୍ରମିକମାନଙ୍କ ହିତାର୍ଥେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା/ସଂଗଠନ/ଏନ୍ଜିଓ ଆଦିର ପ୍ରତ୍ୟକ୍ଷ ଓ ପରୋକ୍ଷ ଉପସ୍ଥିତି ସତ୍ତ୍ୱେ ଆଜି ମଧ୍ୟ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ/କର୍ମଚାରୀମାନେ ଅସୁରକ୍ଷିତ ଓ ନିର୍ଯାତିତ । ଏପରିକି ‘ସତ୍ୟମେବ ଜୟତେ’ ନାରାରେ ଯୁଗାବସାନ ଉଦ୍ଘୋଷଣା କରିଥିବା ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟ୍ରେ ଶ୍ରମିକମାନେ ଯେ ଦେଶର ସବୁଠାରୁ ଅବହେଳିତ ତାହା ଜାତୀୟ ନମୁନା ସର୍ଭେ ସଂସ୍ଥା (ଏନ୍‍ଏସ୍‍ଏସ୍‍ଓ) ରିପୋର୍ଟରୁ ଜଣାପଡ଼ିଛି ।
ଓଡ଼ିଶାର ବିଭିନ୍ନ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ସ୍ଥିତି ଓ ଭବିଷ୍ୟତ ଅସୁରକ୍ଷିତ । ଅଥଚ ଏହାର ନିରାକରଣ ପାଇଁ ନୀତି ନିର୍ଦ୍ଧାରକମାନେ ତପିର ନଥିବା ବେଳେ ପ୍ରଚଳିତ ଆଇନ୍କୁ ପ୍ରଭାବଶାଳୀ କରିବା ପାଇଁ ମଧ୍ୟ ଆନ୍ତରିକତାର ଅଭାବ ଥିବା ଜଣାପଡ଼ିଛି । କାମଧନ୍ଦା ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ (ଦାଦନ)ମାନେ ଯେପରି ନିର୍ଯାତନାର ଶିକାର ନ ହେବେ ସେଥିପାଇଁ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ଗୋତି ଶ୍ରମିକ (ଉଚ୍ଛେଦ) ଆଇନ ୧୯୭୬ । ଏହି ଆଇନ୍ ଅନୁସାରେ ପ୍ରତ୍ୟେକ ଗୋତି ଶ୍ରମିକଙ୍କୁ ଥଇଥାନ ନିମନ୍ତେ ୨୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ବାସ୍ତବ ସ୍ଥିତି ବିପରୀତ । ଗତ ଚାରିବର୍ଷରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରୁ ପ୍ରାୟ ୧୨୦୦ ଓଡ଼ିଆ ଦାଦନଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ଥଇଥାନରୁ ବଞ୍ଚିତ । ବଲାଙ୍ଗିର ଜିଲ୍ଲାରେ ଚିହ୍ନଟ ୬୨୪ ଦାଦନ ଶ୍ରମିକଙ୍କ ମଧ୍ୟରୁ ୨୧୫ ସରକାରୀ ଅନୁକମ୍ପା ପାଇଛନ୍ତି । ସେହିପରି ନୂଆପଡ଼ାର ୯୧, ନବରଙ୍ଗପୁରର ୨୪ ଓ ସୁବର୍ଣ୍ଣପୁରର ୧୭ ଶ୍ରମିକ ସରକାରଙ୍କଠାରୁ ସହାୟତା ରାଶି ପାଇଛନ୍ତି । ସରକାରୀ ସୂଚନା ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଲକ୍ଷେ ୧୯ ହଜାର ଶ୍ରମିକ ୩୦୪୪ ସ୍ୱୀକୃତିପ୍ରାପ୍ତ ଏଜେଣ୍ଟଙ୍କ ଜରିଆରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । କିନ୍ତୁ ବେସରକାରୀ ସର୍ବେକ୍ଷଣ ସଂସ୍ଥାର ତଥ୍ୟାନୁଯାୟୀ ଏହି ସଂଖ୍ୟା ୩ ଲକ୍ଷ ଟପିବ ।
ଅପରପକ୍ଷରେ ବିଭିନ୍ନ ଘରୋଇ ଓ ବ୍ୟକ୍ତିଗତ ମାଲିକାନାରେ ଥିବା ବିଭିନ୍ନ ସଂସ୍ଥା, କାର୍ଯ୍ୟାଳୟ ଓ ଅନୁଷ୍ଠାନର ମାଲିକ/ନିଯୁକ୍ତିଦାତା/ଉପରିସ୍ଥ ଅଧିକାରୀମାନେ ଖୋଲାଖୋଲି ଶ୍ରମ ଆଇନ୍ର ଉଲ୍ଲଂଘନ କରୁଥିଲେ ହେଁ ଏହାର ତଦାରଖ ଓ ପ୍ରତିକାର ପାଇଁ ବ୍ୟବସ୍ଥା ଓ ମାନସିକତାର ଅଭାବ ଯୋଗୁଁ ଶ୍ରମିକ ନିର୍ଯାତନା ସମସ୍ୟା କ୍ରମଶଃ ଉକିଟ ହେବାରେ ଲାଗିଛି । ସୂଚନାଯୋଗ୍ୟ, ରାଜ୍ୟ ଶ୍ରମ ଆଇନ ଓ କମ୍ପାନୀ ଆଇନ ଅନୁଯାୟୀ ଗଢି ଉଠୁଥିବା ପ୍ରତ୍ୟେକ କମ୍ପାନୀ ପ୍ରତି ୬ ମାସରେ ସେମାନଙ୍କର ରକ୍ଷଣାବେକ୍ଷଣ ରେକର୍ଡ ଦାଖଲ କରିବା ନିୟମ ରହିଛି । କର୍ମଚାରୀ/ଶ୍ରମିକଙ୍କ ହିତାର୍ଥେ ୧୯୩୬ ସର୍ବନିମ୍ନ ମଜୁରି ଆଇନ୍, ୧୯୬୯ ଜାତୀୟ ପର୍ବ ଓ ଛୁଟି ଆଇନ୍, ନିର୍ମାଣ ଶ୍ରମିକ ଆଇନ ୧୯୯୬, ୧୯୫୬ ଦୋକାନ ବଜାର ଆଇନ, ୧୯୭୦ ଠିକା ଶ୍ରମିକ ଆଇନ, ୧୯୮୬ ଶିଶୁ ଶ୍ରମିକ ଆଇନ ଆଦି ପ୍ରଣୀତ ହୋଇଛି । ଏହି ସବୁ ଆଇନ୍ ଅନୁଯାୟୀ କମ୍ପାନୀ/ଅନୁଷ୍ଠାନ/ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ/କର୍ମଚାରୀଙ୍କ କାର୍ଯ୍ୟଦିବସ, ଛୁଟି, ମଜୁରି/ପାରିଶ୍ରମିକ, ଅନ୍ୟାନ୍ୟ ଦେୟ ଆଦି ଲିପିବଦ୍ଧ ହେବା କଥା । କିନ୍ତୁ ଆଇନ୍ର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ ଆସିବା ପରେ ଏ ଦିଗରେ କର୍ତ୍ତୃପକ୍ଷ କିଛିଟା ତପିର ହୋଇଥିଲେ । ସମୟ ଅତିବାହିତ ହେବା ପରେ ସ୍ଥିତି ଓ ଶ୍ରମିକ/କର୍ମଚାରୀଙ୍କ ଅବସ୍ଥାରେ ସେପରି କୌଣସି ପରିବର୍ତ୍ତିନ ଆସିବା ପରିଲକ୍ଷିତ ହୋଇନାହିଁ । ସେହିପରି କାମ ଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକମାନଙ୍କ ହିତାର୍ଥେ ଓଡ଼ିଶାରେ ‘ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ୍ତ ଆଇନ୍’ ପ୍ରଣୀତ ହୋଇଥିଲେ ହେଁ ପ୍ରବାସୀ ଶ୍ରମିକମାନଙ୍କୁ ପଞ୍ଜୀକୃତ କରିବାର କୌଣସି ବିଧି ବ୍ୟବସ୍ଥା ନାହିଁ । ଅପରପକ୍ଷରେ ବିଭିନ୍ନ ରାଜ୍ୟରେ ଶ୍ରମିକଙ୍କୁ ନିୟୋଜନ କରିବା ପାଇଁ ଠିକାଦାରମାନଙ୍କୁ ଶ୍ରମ ଓ ନିୟୋଜନ ବିଭାଗ ଲାଇସେନ୍ସ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏହାର ଫାଇଦା ନେଇ ଦଲାଲ୍ମାନେ ଓଡ଼ିଶାରୁ ବାହାର ରାଜ୍ୟକୁ ନାମକୁ ମାତ୍ର ପାଉଣା ଦେଇ ଶ୍ରମିକ ଚାଲାଣ କରୁଥିବା ବେଳେ ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ଆଦି ରାଜ୍ୟରେ ଇଟାଭାଟିରେ ନିର୍ଯାତିତ ଓଡ଼ିଆ ଦାଦନଙ୍କ ଅକଥନୀୟ ଯନ୍ତ୍ରଣା ପ୍ରତିଦିନ ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରି ଆସୁଛି । ଗତ ବଜେଟ୍ ଅଧିବେଶନରେ ଶ୍ରମ ମନ୍ତ୍ରୀ ବିଧାନସଭାରେ ପ୍ରଦାନ କରିଥିବା ସୂଚନା ଅନୁଯାୟୀ ଗତ ଚାରିବର୍ଷ ଭିତରେ ବିଭିନ୍ନ ରାଜ୍ୟରେ ଦାଦନ ଖଟିବାକୁ ଯାଇ ନିର୍ଯାତିତ ହେଉଥିବା ୩୧୧୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରଯାଇଥିବା ବେଳେ ଏହି ସମୟ ମଧ୍ୟରେ ୧୯ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଓ ୨ ଜଣ ଆହତ ହୋଇଛନ୍ତି । ୨୦୧୧ରେ ଠିକାଦାରମାନେ ଅନ୍ୟ ରାଜ୍ୟକୁ ୯୧,୩୭୨ଜଣ ଓଡ଼ିଆ ଶ୍ରମିକ ·ଲାଣ କରିଥିବା ବେଳେ ୨୦୧୨ରେ ୧,୦୫,୬୬୦ ଶ୍ରମିକ ପଠାଇଥିଲେ । ୨୦୧୩ରେ ଠିକାଦାରମାନଙ୍କ ମାଧ୍ୟମରେ ୧,୨୦,୪୮୪ ଶ୍ରମିକ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଇଥିବା ବେଳେ ୨୦୧୪ରେ ୩୨୧୩ ଜଣ ଲାଇସେନ୍ସ ପ୍ରାପ୍ତ ଶ୍ରମିକ ଠିକାଦାର ବିଭିନ୍ନ ରାଜ୍ୟକୁ ୧,୩୫,୭୧୩ ଜଣ ଓଡ଼ିଆ ଶ୍ରମିକ ·ଲାଣ କରିଥିଲେ । ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରେ ମୁଖ୍ୟତଃ ଓଡ଼ିଆ ଶ୍ରମିକମାନେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, କେରଳ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯାଉଛନ୍ତି ବୋଲି ଜଣାପଡ଼ିଛି । ଜିଲ୍ଲା ୱାରୀ ତଥ୍ୟାନୁଯାୟୀ, ଗତବର୍ଷ ଠିକାଦାରମାନଙ୍କ ମାଧ୍ୟମରେ ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ୪୦୭୫୧ଜଣ ଓଡ଼ିଆ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇଥିବା ବେଳେ ଖୋର୍ଦ୍ଧାରୁ ଯାଇଛନ୍ତି ୨୦,୪୦୮ ଜଣ । ଛତ୍ରପୁର ଶ୍ରମ ଜିଲ୍ଲାରୁ ୧୫ହଜାର ୯୪୨ ଓଡ଼ିଆ ଶ୍ରମିକ କର୍ମ ସନ୍ଧାନରେ ବାହାରକୁ ଯାଇଥିବା ବେଳ ଗଞ୍ଜାମ ଜିଲ୍ଲାରୁ ୪୯୨୬ଜଣ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଇଛନ୍ତି । କାମଧନ୍ଦା ଅନ୍ୱେଷଣରେ ଝାରସୁଗୁଡ଼ା ଜିଲ୍ଲାରୁ ୧୦,୫୭୭ଜଣ ଓଡ଼ିଆ ଶ୍ରମିକ ଠିକାଦାରମାନଙ୍କ ମାଧ୍ୟମରେ ଅନ୍ୟ ରାଜ୍ୟକୁ ପେଟପାଟଣା ପାଇଁ ଯାଇଛନ୍ତି ।
କେବଳ ଓଡ଼ିଶାରେ ନୁହେଁ ଏହି ସମସ୍ୟା ସମଗ୍ର ଦେଶରେ ରହିଛି । ଓଡ଼ିଶାରୁ ସର୍ବାଧିକ ଦାଦନ ଖଟିବାକୁ ଯାଉଥିବା ମୋଦିଙ୍କ ରାଜ୍ୟ ଗୁଜରାଟ୍ରେ ଏହି ସମସ୍ୟା ମାତ୍ରାଧିକ । ଜାତୀୟ ହାର ଅନୁସାରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ୭୨% ଶ୍ରମିକ ସାମାଜିକ ସୁରକ୍ଷାରୁ ବଞ୍ଚିତ । ତେବେ ଗୁଜରାଟରେ ଏମାନଙ୍କ ହାର ୭୫%ରୁ ଅଧିକ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ଏହି ରାଜ୍ୟର ୭୫% ଅଣକୃଷି ଶ୍ରମିକ ଦୈନିକ ମଜୁରୀଭିତ୍ତିରେ କାମ କରନ୍ତି । ଅସୁସ୍ଥ ହେଲେ କିମ୍ବା କୌଣସି ବାଧ୍ୟବାଧକତାରେ ଅନୁପସ୍ଥିତ ରହିଲେ, ସେମାନେ ପ୍ରାପ୍ୟରୁ ବଞ୍ଚିତ ହୁଅନ୍ତି । ଏହାଛଡା ଶ୍ରମିକଙ୍କ କଲ୍ୟାଣ ପାଇଁ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‍), ଗ୍ରାଚୁ୍ୟଇଟି, ସ୍ୱାସ୍ଥ୍ୟ ସେବା, ପ୍ରସୂତି ସହାୟତା ଆଦି ଅନ୍ୟାନ୍ୟ ସାମାଜିକ ଓ ଆର୍ଥିକ ଯୋଜନାରୁ ଏମାନେ କୌଣସି ଫାଇଦା ପାଆନ୍ତି ନାହିଁ । ସର୍ଭେ ରିପୋର୍ଟ ଅନୁସାରେ ଯେକୌଣସି ଦରିଦ୍ର ରାଜ୍ୟ ତୁଳନାରେ ଗୁଜରାଟର ଅଣସଂଗଠିତ ଶ୍ରମିକମାନେ ସବୁଠୁ ବିପନ୍ନ ହୋଇଥିବାବେଳେ ଏହା ପଛକୁ ଅଛି ଓଡିଶା । ଓଡିଶାରେ ୭୪% ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷାରୁ ବଞ୍ଚିତ । ଏହି ଧାରାରେ ମଧ୍ୟ ପ୍ରଦେଶର ୭୦%, ବିହାରର ୬୯%, ଆସାମର ୫୮% ଶ୍ରମିକ ବିପନ୍ନ ।
ସେହିପରି ଗୁଜରାଟର ୮୭.୩% ଶ୍ରମିକ କୌଣସି ୟୁନିୟନ ବା ଶ୍ରମିକ ସଂଘରେ ଅନ୍ତର୍ଭୁକ୍ତ ନୁହନ୍ତି । ତେବେ ଏ କ୍ଷେତ୍ରରେ ରାଜସ୍ଥାନର ସର୍ବାଧିକ ୯୦% ଶ୍ରମିକ ଅଛନ୍ତି । ଓଡିଶାର ୮୯%, ଝାଡଖଣ୍ଡର ୮୮%, ଆସାମର ୭୦%, କର୍ଣ୍ଣାଟକର ୭୧%, ପଞ୍ଜାବର ୭୩%, ତାମିଲନାଡୁର ୭୪%, ପଶ୍ଚିମବଙ୍ଗର ୭୭%, ବିହାରର ୭୮%, ମହାରାଷ୍ଟ୍ରର ୮୧% ଓ ହିମାଚଳ ପ୍ରଦେଶର ୬୭% ଶ୍ରମିକଙ୍କର କୌଣସି ୟୁନିୟନ ନଥିବାରୁ ସେମାନେ ସରକାରୀ ଧାର୍ଯ୍ୟ ମଜୁରୀଠାରୁ କମ୍‍ ପାଆନ୍ତି । ସର୍ବଭାରତୀୟ ସ୍ତରରେ ଶ୍ରମିକଙ୍କ ହାରାହାରି ଦୈନିକ ମଜୁରୀ ୩୨୨ ଟଙ୍କା ହୋଇଥିବାବେଳେ ଛତିଶଗଡ ଶ୍ରମିକଙ୍କ ହାରାହାରି ମଜୁରୀ ମାତ୍ର ୨୩୭ ଟଙ୍କା । ବିହାରର ଶ୍ରମିକମାନେ ଦୈନିକ ୨୩୯ ଟଙ୍କା, ଓଡିଶାର ଶ୍ରମିକମାନେ ୨୫୫ ଟଙ୍କା, ମଧ୍ୟ ପ୍ରଦେଶରେ ୨୬୧ ଟଙ୍କା, ଉତ୍ତର ପ୍ରଦେଶରେ ୨୬୫ ଟଙ୍କା ଓ ଗୁଜରାଟରେ ଶ୍ରମିକମାନେ ହାରାହାରି ୨୬୮ ଟଙ୍କା ଦୈନିକ ରୋଜଗାର କରିଥାନ୍ତି । ସବୁଠୁ ବିଡମ୍ବନା ହେଲା, ଗୁଜରାଟର ମାତ୍ର ୧୮% ଶ୍ରମିକ ଲିଖିତ ଠିକା ଚୁକ୍ତିରେ କାମ କରୁଥିବାବେଳେ ୮୨% ଶ୍ରମିକଙ୍କ କ୍ଷେତ୍ରରେ ଏଭଳି ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇନାହିଁ । ସର୍ବଭାରତୀୟ ସ୍ତରରେ ହାରାହାରି ୭୯% ଶ୍ରମିକ ବିନା ଲିଖିତ ଚୁକ୍ତିରେ ଖଟନ୍ତି ।
କେବଳ ଆଇନ୍ ପ୍ରଣେତା ବା ନୀତି ନିର୍ଦ୍ଧାରକମାନେ ଚାହିଁଲେ ଯେ ଦାଦନ/ଶ୍ରମିକ/କର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତ ପରିବର୍ତ୍ତନ ହୋଇପାରିବ ତାହା ଭାବିବା ବଦଳରେ ନିଯୁକ୍ତିଦାତା ଓ ଉପରିସ୍ଥ ଅଧିକାରୀମାନେ ମାନବିକ ଦୃଷ୍ଟିକୋଣରୁ ଏ ଦିଗରେ ଯନିବାନ ହେବା ହିଁ ଆଜିର ଶ୍ରମିକ ଦିବସରେ ଧ୍ୟେୟ ହେବା ଉଚିତ୍ ।

ସେଆର କରନ୍ତୁ:



Powered by odothemes.com