ଧ୍ୱଂସସ୍ତୂପ ତଳେ ୫ ଦିନ, ତଥାପି ଜୀବିତ

56

କାଠମାଣ୍ଡୁ,୩୦ ।୪(ଏଜେନ୍ସି): ଭୟାବହ ଭୂମିକମ୍ପର ୧୨୦ ଘଣ୍ଟା ପରେ ଆମେରିକା ଉଦ୍ଧାରକାରୀ ଦଳ ୫ ମହଲା ବିଶିଷ୍ଟ ହୋଟେଲ୍‍ ହିଲ୍‍ଟନ୍‍ର ଭଗ୍ନାବଶେଷ ତଳୁ ୧୫ବର୍ଷର ବାଳକକୁ ନିରାପଦରେ ଉଦ୍ଧାର କରିଛନ୍ତି । ତାଙ୍କ ନାମ ପେମ୍ବା ଲାମ୍ବା, ଘର କାଠମାଣ୍ଡୁ ସଂଲଗ୍ନ ନୂଆକୋଟ୍‍ ଜିଲ୍ଲାରେ । ସେ ହୋଟେଲ୍‍ ହିଲ୍‍ଟନ୍‍ରେ ବେଲ୍‍ ବୟଭାବେ କାର୍ଯ୍ୟ କରି ଗୁଜରାଣ ମେଣ୍ଟାଉଥିଲା । ଆଜି ଆମେରିକାର ଉଦ୍ଧାରକାରୀ ଦଳ ଗଙ୍ଗାବୁଠାରେ ଧ୍ୱଂସସ୍ତୂପରୁ ଶବ ଉଦ୍ଧାର କାର୍ଯ୍ୟରେ ଲାଗିଥିବାବେଳେ ଅନତି ଦୂରରେ ଥିବା ହିଲ୍‍ଟନ୍‍ ଗେଷ୍ଟହାଉସ୍‍ର ଭଗ୍ନାବଶେଷ ତଳୁ ଗୋଟିଏ ବାଳକର ଆର୍ତ୍ତ ଚିକ୍ରାର ଶୁଣିଥିଲେ । ତେଣୁ ଭଗ୍ନାବଶେଷ ତଳେ ଜଣେ ଜୀବିତ ଥିବା ଅନୁମାନ କରି ସେମାନେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ପ୍ରାୟ ୧୦ ଫୁଟ ଗଭୀରର ଭଗ୍ନାବଶେଷକୁ ଅତ୍ୟନ୍ତ ସାବଧାନତାରେ ଖୋଳି ଦୀର୍ଘ ୩ ଘଣ୍ଟା ପରେ ସେମାନେ ଜୀବିତ ବାଳକକୁ ଦେଖିପାରିଥିଲେ । ଛନ୍ଦି ହୋଇଥିବା ଦୁଇଟି ବିମ୍‍ ତଳେ ଗୋଟିଏ ବାଇକ୍‍ ଚିପି ହୋଇଥିବାବେଳେ ତା ତଳେ ଥିବା ଶୂନ୍ୟସ୍ଥାନରେ ପେମ୍ବା ପଡିରହିଥିଲେ । ଯେହେତୁ ଭଗ୍ନାବଶେଷ ମଧ୍ୟରେ ବହୁ ଭାରି ଅଂଶ ଝୁଲି ରହିଥିଲା, ତେଣୁ ସେଗୁଡିକ ଯେପରି ପେମ୍ବାଙ୍କ ଉପରେ ଖସି ନପଡେ, ତାହାକୁ ଗୁରୁତ୍ୱ ଦେଇ ସାବଧାନତାର ସହ ଉଦ୍ଧାରକାରୀ ଦଳ ଅଗ୍ରସର ହୋଇଥିଲେ । ପେମ୍ବା ଥିବା ସ୍ଥାନଠାରୁ କିଛି ଦୂର ଛାଡି ସେମାନେ ଏକ ସୁଡଙ୍ଗ ତିଆରି କରିଥିଲେ । ତା ଜରିଆରେ ପେମ୍ବା ନିକଟରେ ପହଞ୍ଚିବା ମାତ୍ରେ ସେ କିଛି ପିଇବାକୁ ମାଗିଥିଲା । ତୁରନ୍ତ ତାକୁ ପାଣି ବୋତଲଟିଏ ଦିଆଯାଇଥିଲା । ଏକାଥରକେ ପାଣି ବୋତଲଟିକୁ ଶେଷକରି ସେ ଆଉ କିଛି ପିଇବାକୁ ମାଗିଥିଲା । ପ୍ରାୟ ୨୦ ମିନିଟ୍‍ ପରେ ତାକୁ ଫଳ ରସ ଦିଆଯାଇଥିଲା । ଏହାପରେ ତାକୁ ସନ୍ତର୍ପଣରେ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଥିଲା । ସେଠାରୁ ଇସ୍ରାଇଲ୍‍ ଚିକିତ୍ସକଙ୍କ ଦ୍ୱାରା ଚାଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ପେମ୍ବାକୁ ନିଆଯାଇଥିଲା । ପେମ୍ବା ସୁରକ୍ଷିତ ଥିବା ଜଣାପଡିଛି । ନିଜ ଅନୁଭୂତି ବର୍ଣ୍ଣନା କରି ପେମ୍ବା କହିଛନ୍ତି, ଭୂକମ୍ପର କିଛି ସମୟ ପୂର୍ବରୁ ସେ ହୋଟେଲ୍‍ର ରୋଷେଇଶାଳା ନିକଟବର୍ତ୍ତୀ ସ୍ଥାନରେ ଖାଉଥିଲେ । ହଠାତ୍‍ ଭୂକମ୍ପ ଆସିଥିଲା । ସେତେବେଳେ କୌଣସି ଭାରି ଆଘାତ ତାଙ୍କ ମୁଣ୍ଡରେ ଲାଗିବାରୁ ସେ ସମ୍ଭବତଃ ଚେତାଶୂନ ହୋଇପଡିଥିଲେ । କେତେ ସମୟ ପରେ ଚେତା ଫେରିଲା ତାହା ତାଙ୍କୁ ଅଜଣା । ତେବେ ଚେତା ଫେରିବାବେଳକୁ ସେ କିଛି ଲୋକଙ୍କ ଆର୍ତ୍ତ ଚିକ୍ରାର ମାଟିତଳେ ଶୁଣିଥିଲେ । ଉପାୟ ନପାଇ ଭଗ୍ନାବଶେଷର ଅନ୍ଧ ଗହ୍ୱରରେ ସେ ପଡିରହିଥିଲେ । ଭୋକ ଲାଗିବାବେଳେ ସେ ତାଙ୍କ ନିକଟରେ ଥିବା ଏକ ଘିଅ ପାତ୍ର ପାଇଥିଲେ । ସେଥିରୁ କିଛି କିଛି ଖାଇ ସେ ଜୀବନ ବଞ୍ଚାଇଥିଲେ । ଗତକାଲି ଅପରାହ୍ଣରେ ଜଣେ ଯୁବକଙ୍କୁ ଓ ଭୂକମ୍ପର ୨୨ ଘଣ୍ଟା ପରେ ଗୋଟିଏ ୪ ମାସର ଶିଶୁକୁ ଭଗ୍ନାବଶେଷ ତଳୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏସବୁ ଘଟଣାଗୁଡିକ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି ।
ଭାରତ ସମେତ ବିଭିନ୍ନ ଦେଶର ୫୭ଟି ବିମାନ ଓ ୨୬୦୦ରୁ ଅଧିକ ସ୍ୱେଚ୍ଛାସେବୀ ସ୍ଥାନୀୟ ପୁଲିସ୍‍ ଓ ସେନା ଯବାନଙ୍କ ସହ ଭୂକମ୍ପ ବିଧ୍ୱସ୍ତ ନେପାଳରେ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ କ୍ଷତିଗ୍ରସ୍ତ ୩୯ଟି ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲାକୁ ଉଦ୍ଧାରକାରୀ ଦଳ ପାଦରେ ଯିବାକୁ ସକ୍ଷମ ହୋଇପାରିନାହାନ୍ତି । ସେସବୁ ଅଞ୍ଚଳରେ ବିପନ୍ନଙ୍କ ପାଇଁ ପାଣି ଓ ରିଲିଫ୍‍ ପୁଡିଆ କେବଳ ଆକାଶ ମାର୍ଗରୁ ପକାଯାଉଛି । ଅନ୍ୟପକ୍ଷରେ ଭୂକମ୍ପ ପରେ ଆଜିଯାଏ ଲାଗିରହିଥିବା ବର୍ଷା ଉଦ୍ଧାର କାର୍ଯ୍ୟରେ ଲଗାତର ବାଧା ସୃଷ୍ଟି କରିଛି । ଅଧିକାଂଶ ଅଞ୍ଚଳରେ ରିଲିଫ୍‍ ନପାଇ ବିପନ୍ନମାନେ କ୍ଷୁବ୍ଧ ହେବା ସହ ରାସ୍ତାରୋକ ଓ ନେତାଙ୍କୁ ବିରୋଧ ଜରିଆରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଜାତିସଂଘର ଆକଳନ ଅନୁସାରେ ୮୦ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ବିପନ୍ନ ହୋଇଥିବାବେଳେ ଏବେ ବି ୩୦ ଲକ୍ଷ ଲୋକଙ୍କୁ ତମ୍ବୁଟିଏ ମିଳିପାରିନାହିଁ । ବ୍ୟାପକ ରିଲିଫ୍‍ ସାମଗ୍ରୀ, ଔଷଧ, ପାଣି ଓ ତମ୍ବୁ ନେପାଳରେ ପହଞ୍ଚିଥିଲେ ମଧ୍ୟ ସେଗୁଡିକୁ ଆବଣ୍ଟନ କରିବାରେ ପ୍ରଶାସନ ବିଫଳ ହୋଇଛି । ୧୨ ହଜାରରୁ ଅଧିକ ଆହତଙ୍କ ପାଇଁ କାଠମାଣ୍ଡୁରେ ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲରେ ସ୍ଥାନ ନଥିବାରୁ ବହୁ ଆହତ ଖୋଲା ଆକାଶ ତଳେ ଚିକିତ୍ସିତ ହେଉଛନ୍ତି ।

ସେଆର କରନ୍ତୁ:



Powered by odothemes.com