ଶାହାଙ୍କ ଗସ୍ତକୁ ନେଇ ବିଜେଡି-ବିଜେପି ବାକ୍ୟୁଦ୍ଧ

53

ଭୁବନେଶ୍ୱର, ୭ା୮(ବୁ୍ୟରୋ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତ ନେଇ ରାଜନୀତି ଆରମ୍ଭ ହୋଇଛି । ଶାହାଙ୍କ ଗସ୍ତ ଲାଗି ରାଜ୍ୟ ବିଜେପି ବେଶ୍ ଉତ୍ସାହିତ ଥିଲାବେଳେ ଏହାର କୌଣସି ପ୍ରଭାବ ପଡିବନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଜଗନ୍ନାଥ ଆମର ବାହା, ଶାହା-ଫା କିଛି କାମ ଦେବେ ନାହିଁ ବୋଲି ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ଅପରପକ୍ଷରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହାର ଜବାବ୍ ରଖିଛନ୍ତି । ସେ କହିଛନ୍ତି ଯେ ବିଜେଡି ଏବେଠୁ ଭୟଭୀତ ହେଲାଣି । ସେଥିପାଇଁ ଏଭଳି ମନ୍ତବ୍ୟ ଦେଉଛି । ୨୦୧୯ରେ ଓଡିଶାରେ ବିଜେପି ସରକାର କରିବ ବୋଲି ଶ୍ରୀ ଶାହା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ନିଜର ଉକ୍ତିକୁ ସାକାର କରିବା ଲାଗି ବର୍ଷକୁ ୬ ଥର ଓଡିଶା ଆସିବେ ବୋଲି କହିଥିଲେ । ଜୁଲାଇ ୪ରେ ତିନିଦିନିଆ ଓଡିଶା ଗସ୍ତରେ ଆସିଥିଲେ । ପୁଣି ସେପ୍ଟେମ୍ବର ୬ରୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଶାହାଙ୍କ ଗସ୍ତ ପରିପ୍ରେକ୍ଷୀରେ ଟିପ୍ପଣୀ ରଖି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ ଓଡିଶାରେ କିଛି କାମ ଦେବନାହିଁ । ସେ ବୁଥ୍ ଜଗିଲେ ଆମେ ୱାର୍ଡ ଜଗିଛୁ । ୪ଟି ୱାର୍ଡକୁ ନେଇ ଗୋଟିଏ ବୁଥ୍ । ସେ କଥା ସେମାନେ ଜାଣିନାହାନ୍ତି । ନୂଆପଡାର କୋମନା ଜିଲ୍ଲାପରିଷଦ ନିର୍ବାଚନରେ ସଫା ହୋଇଗଲେ । ତାଙ୍କ ଦଳ ରାଜ୍ୟ ସଭାପତିଙ୍କ ନିଜ ଜିଲ୍ଲା । ସେହିଭଳି ଦେବଗଡରେ ସଦ୍ୟ ସମାପ୍ତ ପୌର ନିର୍ବାଚନରେ ବିଜେଡି ଦୁଇକୁ ଦୁଇ ଜିତିଲା । ଏଠି ତାଙ୍କ ବିଧାୟକ ଅଛନ୍ତି । ଆମକୁ ଜଗନ୍ନାଥ ଶାହା, ନବୀନ ବାବୁ ପୁଣି ୨୦୧୯ରେ କ୍ଷମତାକୁ ଆସିବେ । କେହି ରୋକିପାରିବେନାହିଁ ବୋଲି ସେ କହିଛନ୍ତି । ଅପରପକ୍ଷରେ ଶ୍ରୀ ମହାରଥୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପଣ୍ଡା କହିଛନ୍ତି ଯେ ଗୋଟିଏ ଜିଲ୍ଲାପରିଷଦ ଆସନ ନିର୍ବାଚନରେ ସରକାରୀ କଳ, ବାହୁବଳ ଓ ଅର୍ଥ ବଳ ପ୍ରୟୋଗ କରାଗଲା । ଏଥିରୁ ସ୍ପଷ୍ଟ ବିଜେଡି କେତେ ଭୟଭୀତ । ଜଗନ୍ନାଥ ସମସ୍ତଙ୍କର । ସେ କଥା ବୋଧେ ମହାରଥୀ ବୁଝିନାହାନ୍ତି । ମୁଖ୍ୟମନ୍ତ୍ରୀ ଯେଭଳି ଏକଛତ୍ରବାଦ୍ ମନବୃତ୍ତି ଆପଣେଇଛନ୍ତି, ତାଙ୍କ ନେତାମାନେ ମଧ୍ୟ ଏଭଳି ମନୋଭାବ ରହିବା ସ୍ୱାଭାବିକ । ଯଦି ସେମାନେ ଭୟଭୀତ ନୁହନ୍ତି, ତାହେଲେ ଏଭଳି କାହିଁକି ମନ୍ତବ୍ୟ ଦେଉଛନ୍ତି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
ଜୁଲାଇ ମାସରେ ଶ୍ରୀ ଶାହା ତାଙ୍କର ତିନିଦିନିଆ ଗସ୍ତକ୍ରମରେ ଗଞ୍ଜାମ, ଯାଜପୁର ଜିଲ୍ଲା ସମେତ ଭୁବନେଶ୍ୱର ଉପକଣ୍ଠ ଟିକରପଡାରେ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାପରେ ଦଳୀୟ କର୍ମକର୍ତ୍ତାମାନଙ୍କ ବୈଠକ କରିବା ସହ ଦଳ ପାଇଁ ନିଯୁକ୍ତ ହୋଇଥିବା ୩୧୪ ଆଜୀବନ ପ୍ରଚାରକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏହି ୩୧୪ ଆଜୀବନ ପ୍ରଚାରକ ଏବେ ଶାହାଙ୍କ ଆଶାବାଡି ସାଜିଛନ୍ତି । ଏମାନଙ୍କଠାରୁ ରିପୋର୍ଟ ଆଣି ସେ ରଣନୀତି ପ୍ରସ୍ତୁତ କରିବେ । ତିନିଦିନିଆ ଗସ୍ତରେ ଆସୁଥିବା ଶାହା ୨୬ଟି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ନିର୍ଦ୍ଦିଷ୍ଟଭାବରେ ଶାହା କ’ଣ କରିବେ ସେ ସମ୍ପର୍କରେ କାର୍ଯ୍ୟକ୍ରମ ସ୍ଥିର ହୋଇନଥିବା ଜଣାପଡିଛି ।
ଶ୍ରୀ ଶାହାଙ୍କ ଗସ୍ତ ପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିଜ ଜିଲ୍ଲା ନୂଆପଡାର କୋମନା ଜିଲ୍ଲାପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ପ୍ରାର୍ଥୀ ୩ ନମ୍ବର ସ୍ଥାନରେ ରହିଲେ । ପୂର୍ବରୁ ବିଜେପିର ରାଜ୍ୟରେ ଯେଉଁ ସ୍ଥିତି ଥିଲା ପୁଣି ସେହି ସ୍ଥିତିକୁ ଫେରିଥିଲା । କଂଗ୍ରେସ ୨ ନମ୍ବର ସ୍ଥାନକୁ ଆସିଲା । ଏବେ ଦେବଗଡ ପୌରପରିଷଦର ୨ଟି ୱାର୍ଡ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦେବଗଡରେ ବିଜେପି ବିଧାୟକ ଅଛନ୍ତି । ବିଧାୟକଙ୍କ ନିଜ ୱାର୍ଡରେ ବିଜେପି ହାରିଛି । ତେଣୁ ଶାହାଙ୍କ ଉପରଠାଉରିଆ ରଣନୀତିକୁ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ କରିଛି । ବିଜେପିର ବହୁ ବରିଷ୍ଠ ନେତା ମଧ୍ୟ ଏହାକୁ ନେଇ ଭୃକଞ୍ଚନ କରୁଛନ୍ତି । କାରଣ ରାଜ୍ୟର ପ୍ରକୃତ ସ୍ଥିତି ସମ୍ପର୍କରେ ଶାହାଙ୍କୁ ଅବଗତ କରାଯାଉନାହିଁ । କିଛି ଶିଖିମନାସୀ ଓ ଅନୁମାନ ପଣିକିଆରେ ଅଭ୍ୟସ୍ତ ନେତା ଶାହାଙ୍କୁ ଭୁଲ୍ ତଥ୍ୟ ଦେଉଥିବା ନେଇ ଦଳ ମଧ୍ୟରେ ଆଲୋଚନା ହେଉଛି । ତେବେ ବିଜେପିର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ରୋକ୍ ଲଗାଇବାକୁ ବିଜେଡି ମଧ୍ୟ ପୁରା ପ୍ରସ୍ତୁତି ଆରମ୍ଭ କରିଛି । ଦଳ ପକ୍ଷରୁ ‘ଆମ ଗାଁ ଆମ ବିକାଶ ଓ ଆମ ସହର ଆମ ଉନ୍ନତି’ କାର୍ଯ୍ୟକ୍ରମ କରାଯାଉଛି । ନିକଟରେ ୩୧୪ ବ୍ଲକ୍ ପାଇଁ ଦଳ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି । ସେମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି । ଆଗାମୀ ଦିନରେ ବିଜେପି ଓ ବିଜେଡି ମଧ୍ୟରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଅଧିକରୁ ଅଧିକ ହେବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି ।

ସେଆର କରନ୍ତୁ:



Powered by odothemes.com