ଆଜି ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

30

ହାଣ୍ଡିଛାଡ଼ ଦିବା ୧.୫୨, ଗ୍ରହଣ ସ୍ପର୍ଶ ରାତି ୧୦.୫୧, ସର୍ବମୋକ୍ଷ ରାତି ୧୨.୪୮
ପୁରୀ, ୬ା୮ (ଆପ୍ର): ଆସନ୍ତାକାଲି ରାକ୍ଷୀ ପୁର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । କର୍କଟ ୨୩ ଦିନ ଶ୍ରୀବଳଭଦ୍ର ଜନ୍ମ, ଚତୁର୍ଦ୍ଧାମୂର୍ତ୍ତିଙ୍କ ରକ୍ଷା ଲାଗିର ପବିତ୍ର ଦିବସ ଏବଂ ଝୁଲଣ ଯାତ୍ରାର ୬ଷ୍ଠ ଦିବସରେ ରାହୁ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ସଂଘଠିତ ହେଉଛି । ଏଥିପାଇଁ ଅପରାହ୍ନ ୧.୫୨ମିନିଟ୍ରୁ ପାକ ତ୍ୟାଗ ନୀତି ପାଳନ କରାଯିବ । ରାତି ୧୦ଟା ୫୧ ମିନିଟରେ ଗ୍ରହଣ ସ୍ପର୍ଶ ହେବାସହ ଶ୍ରୀଜୀଉମାନଙ୍କୁ ଗ୍ରହଣ ମହାସ୍ନାନ କରାଯାଇ ଗ୍ରହଣ ଭୋଗ ଅର୍ପଣ କରାଯିବ । ରାତି ୧୨ଟା ୪୮ରେ ସର୍ବମୋକ୍ଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ଦେବନୀତି ପ୍ରକାଶ କରିଛନ୍ତି । ରାତି ୧୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ, ତଡ଼ପ ଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ କରାଯାଇ ୫ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୫.୧୫ରେ ଘଣ୍ଟଛତା ସର୍ବାଙ୍ଗ, ୫.୪୫ରେ ନୂଆ ଲୁଗା ଲାଗି, ୬ଟାରେ ମୂର୍ତ୍ତି ଅଳଙ୍କାର ଲାଗି, ଶ୍ରୀବଳଭଦ୍ରଙ୍କ ବାଡ଼ରେ ଷଷ୍ଠୀ ମାର୍କଣ୍ଡି ପୂଜା, ସକାଳ ୬.୩୦ରୁ ୭.୩୦ ମଧ୍ୟରେମଧ୍ୟାହ୍ନ ଧୂପ, ୭.୪୫ରେ ବଡ଼ବାଡ଼ରେ ମଙ୍ଗଳାର୍ପଣ କରାଯାଇ ପୂର୍ବାହ୍ନ ୮ଟାରେ ନକ୍ଷତ୍ର ବନ୍ଦାପନା ଓ ୩ ବାଡ଼ରେ ଜନ୍ମ ବନ୍ଦାପନା ନୀତି ଅନୁଷ୍ଠିତ ହେବ । ୮.୧୦ରେ ଶ୍ରୀମଦନମୋହନ ଦେବ ଜୟ-ବିଜୟ ଦ୍ୱାରକୁ ବିଜେ କରିବେ । ୮ଟା ୧୫ରେ ଦକ୍ଷିଣି ଘର ଭୋଗ ଶେଷ କରାଯିବ । ସକାଳ ୮ଟା ୪୫ରେ ଦ୍ୱିତୀୟ ଭୋଗ, ମଣ୍ଡପ ଭୋଗ ଶେଷ କରାଯିବ । ପୂର୍ବାହ୍ନ ୯ଟାରେ ଝୁଲଣ ମଣ୍ଡପକୁ ଦିଅଁ ବିଜେ କରିବା ପରେ ୯.୧୫ରେ ଶ୍ରୀସୁଦର୍ଶନ ଦେବ ଚଉଦଳକୁ ବିଜେ କରିବେ । ରୁନ୍ଧାନୀତି ପରେ ଶ୍ରୀସୁଦର୍ଶନ ଦେବ ମୁକ୍ତି ମଣ୍ଡପ ନିକଟକୁ ବିଜେ କରିବେ ପୂର୍ବାହ୍ନ ୯ଟା ୪୫ରେ । ପରେ ପରେ ସୁଦର୍ଶନଙ୍କ ଚଉଦଳ ଉଠିବ ପୂର୍ବାହ୍ନ ୧୦ଟାରେ ବୋଲି ଗ୍ରହଣ ଓ ଶ୍ରୀବଳଭଦ୍ର ଜନ୍ମ ପାଇଁ ପ୍ରସ୍ତୁତ କରାଯାଇଥିବା ନୀତି ନିର୍ଘଣ୍ଟରୁ ସୂଚନା ମିଳିଛି ।
ଏଥିସହିତ ଏହା ଆଂଶିକ ଚନ୍ଦ୍ର ଗ୍ରହଣ ଏବଂ ଚନ୍ଦ୍ରର ୨୫% ଗ୍ରାସ କରିବ ଏବଂ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟକୁ ଦୃଶ୍ୟମାନ ହେବ । ଏଥିସହିତ ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ ଇତ୍ୟାଦି ମହାଦେଶକୁ ଦେଖାଯିବ । ଗ୍୍ରହଣ ପୂର୍ବରୁ ସମସ୍ତ ଦେବନୀତି ଶେଷ କରିବାକୁ ପରାମର୍ଶ ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com