cm

ମହିଳା ସଶକ୍ତିକରଣର ଆଉ ଏକ ଦୃଷ୍ଟାନ୍ତ

48

୨୮ ମହିଳାଙ୍କ ସମେତ ୩୧ କ୍ରୀଡ଼ାବିତ୍ଙ୍କୁ ପୁଲିସ୍ ଚାକିରି
ଭୁବନେଶ୍ୱର,୩୦ା୪(ବୁ୍ୟରୋ): କ୍ରୀଡ଼ାବିତ୍ଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବା ବେଳେ ନିଯୁକ୍ତ ୩୧ ଜଣଙ୍କ ମଧ୍ୟରୁ ୨୮ ଜଣ ମହିଳା କ୍ରୀଡ଼ାବିତ୍ । ରାଜ୍ୟର ମହିଳା ସଶକ୍ତିକରଣ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ଜ୍ୱଳନ୍ତ ଉଦାହରଣ । ଗତ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ପଦକଧାରୀ ୩୧ କ୍ରୀଡ଼ାବିତ୍ଙ୍କୁ ପୁଲିସ୍ ବିଭାଗରେ ନିଯୁକ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ଦେଇଛନ୍ତି । ଏହାସହିତ ପୁଲିସ୍ ବିଭାଗରେ ନବ ନିଯୁକ୍ତ କ୍ରୀଡ଼ାବିତ୍ଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଆଜି କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ନିଯୁକ୍ତି ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ କୃତି କ୍ରୀଡ଼ାବିତ୍ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ଅବସରରେ ସମ୍ବୋଧିତ କରି କହିଛନ୍ତି ଯେ ରାଜ୍ୟର କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ଓ ଉନ୍ନତି ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡ଼ାବିତ୍ଙ୍କୁ ନଗଦ ପୁରସ୍କାର ରାଶି ପରିମାଣ ବୃଦ୍ଧି କରାଯାଇଛି । ବିଗତ ଦୁଇ ବର୍ଷ ଭିତରେ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଓ ପୁରସ୍କାର ବାବଦରେ ପ୍ରାୟ ୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାସହିତ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି । ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମିତ ହୋଇଥିବା ବେଳେ ଗତ ବର୍ଷ ଡିସେମ୍ବର ମାସରେ ସଫଳତାର ସହ ଏଫ୍ଆଇଏଚ୍ ଚାମ୍ପିୟନ୍ସିପ୍ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଆାୟାଜନ କରି ବିଶ୍ୱ ହକି ମାନଚିତ୍ରରେ ରାଜ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରାଥମିକ ପର୍ଯ୍ୟାୟରେ ବୌଦ୍ଧ, ସୋନ୍ପୁର, ଗଞ୍ଜାମ, ମୟୂରଭଞ୍ଜ, ଯାଜପୁରରେ ସୁଇମିଂ ପୁଲ୍ ପ୍ରତିଷ୍ଠା ପାଇଁ ସରକାର ଯୋଜନା ଚୂଡ଼ାନ୍ତ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ସବୁ ଜିଲ୍ଲାରେ ସୁଇମିଂ ପୁଲ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟର ଅନୁନ୍ନତ ତଥା ଗ୍ରାମାଞ୍ଚଳରେ ୬୫ଟି ମିନି ଷ୍ଟାଡିୟମ୍ ପ୍ରତିଷ୍ଠା ପାଇଁ ସରକାର ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟର କ୍ରୀଡ଼ାବିତ୍ମାନେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ବେଳେ ଏ ଦିଗରେ ବିଭିନ୍ନ ରାଜ୍ୟ ସ୍ତରୀୟ କ୍ରୀଡ଼ା ସଂଗଠନର ଭୂମିକା ପ୍ରଶଂସନୀୟ । ଏହାଦ୍ୱାରା ରାଜ୍ୟରେ ଏକ ସୁସ୍ଥ କ୍ରୀଡ଼ା ସଂସ୍କୃତି ବିକାଶ ଲାଭ କରୁଛି । ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡ଼ା ରାଜ୍ୟ ରୂପେ ଗଢ଼ିତୋଳିବା ପାଇଁ କ୍ରୀଡ଼ା କ୍ଷେତ୍ରରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସଂଶ୍ଲିଷ୍ଟ ବ୍ୟକ୍ତିବିଶେଷ/ଅନୁଷ୍ଠାନ ସାମୂହିକ ଉଦ୍ୟମ ଜାରି ରଖିବାକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱରର ତିନି ବିଧାୟକ, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, କ୍ରୀଡ଼ା ସଚିବ ଶାଶ୍ୱତ ମିଶ୍ର, ମେୟର ଓ ପୁଲିସ୍ ମହାନିର୍ଦ୍ଧେଶକ ସଞ୍ଜିବ୍ ମାରିକ୍, ୩୭ ନଂ ୱାର୍ଡର କର୍ପୋରେଟର୍ ନବ କିଶୋର ବେହେରା ଉପସ୍ଥିତ ଥିଲେ ।




Powered by odothemes.com