pathara-karigara

୮ ଘଣ୍ଟା କାମ: ପାରିଶ୍ରମିକ ୨୦୦

11

ଦୁର୍ଦ୍ଦିନରେ ପଥର କାରିଗର
ଆସିକା (ଆପ୍ର) : ସାଧାରଣତଃ ବଢ଼େଇ ବା ପଥର କାରିଗରମାନଙ୍କୁ ବିଶ୍ୱକର୍ମା ବୋଲି କୁହାଯାଇଥାଏ । ଏହି କାରିଗରମାନେ ନିହାଣ ମୁନରେ ନିର୍ଜୀବ ପଥରକୁ ଜୀବନ୍ତ ରୂପ ଦେଇଥାନ୍ତି । କେଉଁ ଆବହମାନ କାଳରୁ ପଥର ସହିତ ଏହି କାରିଗରମାନଙ୍କ ଜୀବନ ବନ୍ଧା ପଡ଼ିଛି । ଅକ୍ଲାନ୍ତ ପରିଶ୍ରମ କରି ପଥରରେ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ସୋ÷ଖୀନ ଜିନିଷ ଏମାନେ ତିଆରି କରନ୍ତି । ହେଲେ ସମୟ ବଦଳିବା ସହ ଲୋକଙ୍କ ଆବଶ୍ୟକତା ବଦଳିଛି । ଆଧୁନିକ ଇଲେକ୍ଟୋ୍ରନିକ୍ ଯନ୍ତ୍ରପାତିର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପଥର କାରିଗରମାନେ ଗତ କିଛି ବର୍ଷ ହେଲା ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଆସିକା ବ୍ଳକ ପାଣ୍ଡିଆପଥର, ଭେଜିପୁଟ, ଗାଙ୍ଗପୁର, ଝଗଡ଼େଇ ସମେତ ଆଖପାଖ ଗ୍ରାମାଞ୍ଚଳରେ ବହୁ ପଥର କାରିଗର ବସବାସ କରନ୍ତି । ହେଲେ ସ୍ୱଳ୍ପ ରୋଜଗାର ସେମାନଙ୍କ ପାଇଁ ଆଣିଦେଇଛି ଘୋର ଦୁର୍ଦ୍ଦିନ । ସବୁବେଳେ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । କଠିନ ପରିଶ୍ରମ କରୁଛନ୍ତି । କିନ୍ତୁ ସେହି ତୁଳନାରେ ଉପଯୁକ୍ତ ପାରିଶ୍ରମିକ ପାଉନାହାନ୍ତି । ସଂପୃକ୍ତ ଶିଳ୍ପୀମାନେ ନିଜର କୌଳିକ ବୃତ୍ତିକୁ ଛାଡ଼ି ନ ପାରି ସବୁ ସ୍ତରରେ ଅବହେଳିତ । ସରକାର ପଥର ଖାଦାନ ଉପରେ କଟକଣା ଲଗାଇବା ପରଠାରୁ ପଥର ଆମଦାନୀ ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ବାଧ୍ୟ ହୋଇ କିଛି ପଥର କାରିଗର କୌଳିକ ବୃତ୍ତି ପ୍ରତି ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଅପର ପକ୍ଷରେ ପଥରରେ ତିଆରି ଶିଳ, ଚକି ବଦଳରେ ଗ୍ରାଇଣ୍ଡରର ଚାହିଦା ବୃଦ୍ଧି ପାଉଥିବାରୁ ଏହି କାରିଗରମାନଙ୍କ ବୃତ୍ତିରେ ନାନା ସମସ୍ୟା ସୃଷ୍ଟି ହେଉଛି । ପଥର କାରିଗରମାନେ ଶିଳ କିମ୍ବା ଚକି ତିଆରି କରିବା ପାଇଁ ଦୈନିକ ଅନୁ୍ୟନ ୧୦ରୁ ୧୨ ଘଣ୍ଟା ଲେଖାଏଁ ପରିଶ୍ରମ କରନ୍ତି । ଗୋଟିଏ ସାମଗ୍ରୀ ତିଆରି କରିବା ଲାଗି ୩ ଦିନ ସମୟ ଲାଗିଯାଏ । ଯେତେବେଳେ ପଥର କାରିଗରଟି ସେହି ସାମଗ୍ରୀକୁ ଖୋଲା ବଜାରରେ ବିକ୍ରି କରିବା ଲାଗି ଯାଏ, ସେତେବେଳେ ସେ ଗୋଟିଏ ଶିଳରୁ ପାଏ ମାତ୍ର ୩ ଶହ ଟଙ୍କା । ଜଣେ ଅଣକୁଶଳୀ ଶ୍ରମିକ ଦିନକୁ ମାତ୍ର ୮ ଘଣ୍ଟା ପରିଶ୍ରମ କରି ଦେଢ଼ ଶହରୁ ଦୁଇ ଶହ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥାଏ । ପଥର ତିଆରି ସାମଗ୍ରୀ ଅପେକ୍ଷା ଇଲେକ୍ଟୋ୍ରନିକ ସାମଗ୍ରୀଗୁଡ଼ିକ ଅଧିକ ଆକର୍ଷଣୀୟ । ସ୍ୱଳ୍ପ ସମୟ ଓ କମ୍ ପରିଶ୍ରମରେ ସେଥିରେ କାମ ହୋଇ ଯାଉଥିବାରୁ ଅଧିକାଂଶ ଲୋକ ପଥର ତିଆରି ସାମଗ୍ରୀରୁ ମୁହଁ ଆଡ଼େଇ ଦେଉଛନ୍ତି । ଫଳରେ ପଥର କାରିଗରମାନଙ୍କ ପାରମ୍ପରିକ କୁଳବେଉସା ବୁଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ସରକାର ତୁରନ୍ତ ଧ୍ୟାନ ଦେଇ ପଥର କାରିଗରମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନେ ଯେପରି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।




Powered by odothemes.com