ସର୍ଟସର୍କିଟ୍ରୁ ଜଳିଗଲା ୧୨ ବଖରା

208

ଭଣ୍ଡାରିପୋଖରୀ, ୩୦ା୪(ଆପ୍ର): ବୁଧବାର ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ତାଳସିଠା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଅଗ୍ନିକାଣ୍ଡରେ ୧୨ ବଖରା ଘର ଓ ସମସ୍ତ ଆସବାବପତ୍ର ଜଳି ଭସ୍ମୀଭୂତ ହୋଇଯାଇଛି । ଜଳିଯାଇଥିିବା ସମ୍ପତ୍ତି ମଧ୍ୟରେ ବିଭାଘର ପାଇଁ ଥିବା ପ୍ରାୟ ୩୫ ହଜାର ନଗଦ ଟଙ୍କା, ବର୍ଷକ ପାଇଁ ଗଚ୍ଛିତ ଚାଉଳ, ଧାନ, ଷ୍ଟିଲ୍ ଆଲମିରା, ସାଇକେଲ, ସୁନାରୂପା ଅଳଙ୍କାର ଆଦି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ । ଲୋକମାନେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିବାରୁ କୌଣସି ଜିନିଷ ଉଦ୍ଧାର ସମ୍ଭବ ହୋଇ ନଥିଲା । ରାତି ଗୋଟାଏରେ ମୋହନ ଲେଙ୍କା ଶୌଚ ପାଇଁ ପଦାକୁ ଆସିବା ସମୟରେ ଘର ଜଳୁଥିବାର ଦେଖି ଚିକ୍ରାର କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ତୁରନ୍ତ ଧାମନଗର ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା । ଧାମନଗର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନି ଆୟତ୍ତ ହେବାବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ସୌଭାଗ୍ୟକୁ ଭୀଷଣ ବର୍ଷା ହେବାରୁ ପାଖଘରକୁ ନିଆଁ ବ୍ୟାପିପାରିଲା ନାହିଁ । ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ତହସିଲଦାର ରାଧାରମଣ ବେହେରା ବାରିକପୁର ସର୍କଲ ରାଜସ୍ୱ ନିରୀକ୍ଷକଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ବିପନ୍ନଙ୍କୁ ୧୨ଟି ପଲିଥିନ୍, ନଗଦ ଅର୍ଥ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଥିଲେ । ବିପନ୍ନ ପରିବାର ୨୦ ବଖରା କ୍ଷତିଗ୍ରସ୍ତ ହୋଇଥିବା ଦାବି କରିଛନ୍ତି । ବିପନ୍ନଙ୍କ ମଧ୍ୟରୁ ରଘୁନାଥ ଲେଙ୍କା, ମୋହନ ଲେଙ୍କା, ବେଣୁଧର ଲେଙ୍କା, ମୂରଲୀଧର ଲେଙ୍କା, ଧନେଶ୍ୱର ଲେଙ୍କା, ରନିାକର ଲେଙ୍କା, ଅଭିମନୁ୍ୟ ଲେଙ୍କା ପ୍ରତ୍ୟେକଙ୍କର ୨ ବଖରା, ଦିଲୀପ ଲେଙ୍କା ଓ ସଞ୍ଜିବ ଲେଙ୍କା ପ୍ରତ୍ୟେକଙ୍କର ୩ ବଖରା ଲେଖାଏଁ ଘର ପୋଡି ଯାଇଥିବା ଦାବି ହୋଇଛି । ଗୁଣୁପୁର, କରଞ୍ଜି ଓ ପଦୀ ଗ୍ରାମବାସୀ ବିପନ୍ନଙ୍କୁ ୭ ଦିନ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରିଛନ୍ତି । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ ।




Powered by odothemes.com