ଖଡିଆଳ ଅବକାରୀ ଅଫିସ୍ ଘେରିଲେ ମହିଳା

NUAPADA-MADA-BIRODHARE-MAHILA-(1)

ମଦ ବିକ୍ରି ବନ୍ଦ ଦାବି
ନୂଆପଡ଼ା (ଆପ୍ର): ନୂଆପଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ ବେଆଇନ ମଦ କାରବାରକୁ ବ୍ୟାପକ ମାତ୍ରାରେ ବିରୋଧ କରାଯାଉଥିବା ବେଳେ ମଦ କାରବାରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ଦାବି କରାଯାଉଛି । ଏହି କ୍ରମରେ ଜିଲ୍ଲାର ବିଭିନ୍ନ ଗ୍ରାମମାନଙ୍କରେ ଆନେ୍ଦାଳନ କରାଯାଉଛି । ଗୁରୁବାର ଖଡିଆଳ ବ୍ଲକର ଦ୍ମପୁର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଠେଙ୍ଗା, ବାଡି, ଝାଡୁ ଧରି ଗ୍ରାମରେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲେ । ପ୍ରଥମେ ଗ୍ରାମରେ ସଚେତନତା ର୍ୟାଲି କରିଥିଲେ । ପରେ ପଦମପୁର ଗ୍ରାମରୁ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ଖଡିଆଳ ଅବକାରୀ ବିଭାଗ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ଧାରଣା ଦେଇଥିଲେ । ହେଲେ ଅବକାରୀ ବିଭାଗର କୌଣସି ଅଧିକାରୀ ସେମାନଙ୍କ ଦାବିକୁ ଶୁଣିନଥିବାରୁ ମହିଳାମାନେ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଯାହାଫଳରେ ଅବକାରୀ ବିଭାଗର କର୍ମଚାରୀମାନେ ଭୟଭୀତ ହୋଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଆଗାମୀ ଏକ ସପ୍ତାହ ମଧ୍ୟରେ ପ୍ରଶାସନ ବେଆଇନ ମଦକୋଠିକୁ ସମ୍ପୂର୍ଣ୍ଣ ବନ୍ଦ କରାନଯାଏ ତେବେ ଗାଁରେ ଥିବା ମଦକୋଠି ଗୁଡିକରେ ନିଆଁ ଲଗାଇ ଦେବା ସହ ରାଜରାସ୍ତାକୁ ଅବରୋଧ କରିବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି । ଖବରପାଇ ଖଡିଆଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଆନେ୍ଦାଳନକାରୀ ମହିଳାଙ୍କ ସହ ଆଲୋଚନା କରିବା ସହ ଘଟଣାର ତଦନ୍ତ କରାଯାଇ ବେଆଇନ ମଦକୋଠିକୁ ବନ୍ଦକରାଯିବାର ପ୍ରତିଶ୍ରୁତି ଦେବାପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅବକାରୀ ବିଭାଗର ଉପନିରୀକ୍ଷକ ମହିଳାମାନଙ୍କ ବିରୁଦ୍ଧରେ ଖଡିଆଳ ଥାନାରେ ଏତଲା ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୨ ତାରିଖ ଦିନ ଖଡିଆଳ ସହରର ୧୧ ନଂ ୱାର୍ଡର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରଥମେ ଥାନା ଓ ଅବକାରୀ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଥିଲେ । କୌଣସିି ସୁଫଳ ନମିଳିବାରୁ ଘେରାଉ କରି ପରେ ନୂତନ ନିର୍ମାଣ ମଦଭାଟିକୁ ପୋଡି ଦେଇଥିଲେ । ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।