Sahid-saptahare-Mixture-machine--podi-malakanigiripic-2

ଛତିଶଗଡ଼, ତେଲେଙ୍ଗାନା ସୀମାନ୍ତରେ ନକ୍ସଲନେତା ଏକଜୁଟ୍

19

ସହିଦ ସପ୍ତାହରେ ବ୍ୟାନର୍, ପୋଷ୍ଟର ପୋଡ଼ିଲେ ଗ୍ରାମବାସୀ
ମାଲକାନଗିରି (ଆପ୍ର): ନକ୍ସଲ ମାନଙ୍କର ସହିଦ୍ ସପ୍ତାହ ପାଳନ ହେଉଥିବା ବେଳେ ସେମାନଙ୍କ ଉପରୁ ଲୋକମାନଙ୍କର ଭରସା ତୁଟି ଯାଇଛି । ସେଥିପାଇଁ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମହାରାଷ୍ଟ୍ର ରାଜ୍ୟର ଗଡରୋଲି ଜିଲ୍ଲାରେ ନକ୍ସଲ ଇତିହାସରେ ପ୍ରଥମଥର ଗ୍ରାମବାସୀମାନେ ନକ୍ସଲ ସହିଦ ସପ୍ତାହରେ ଲଗାଯାଇଥିବା ବ୍ୟାନର ପୋଷ୍ଟରକୁ ପୋଡିଛନ୍ତି । ଏଥିସହ ନକ୍ସଲଙ୍କ କୁଶପୁତ୍ତଳିକା କରି ମଧ୍ୟ ପୋଡିବାର ଦେଖାଯାଇଥିଲା । ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ନକ୍ସଲମାନେ ହତୋତ୍ସାହ ହୋଇ ପଡ଼ିଛନ୍ତି । ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତିବର୍ଷ ନକ୍ସଲ ସଙ୍ଗଠନ ତରଫରୁ ମୃତ ନକ୍ସଲମାନଙ୍କ ସ୍ମୃତିରେ ସହିଦ ସପ୍ତାହ ପାଳନ କରାଯାଇଥାଏ । ଯାହାପାଇଁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ନକ୍ସଲ ତରଫରୁ ପୋଷ୍ଟର, ବ୍ୟାନର ଲଗାଯାଇ ଜନସାଧାରଣଙ୍କୁ ସହିଦ ସପ୍ତାହ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଏ । ଦୀର୍ଘ ୫୦ ବର୍ଷ ଧରି ନକ୍ସଲଙ୍କ ଅତ୍ୟାଚାର, ଲୁଣ୍ଠନ, ହତ୍ୟା, ହିଂସାକାଣ୍ଡରେ ଅତିଷ୍ଠ ହୋଇ ଲୋକେ ନିଜ ପ୍ରତିକ୍ରିୟାରେ ନକ୍ସଲ ବ୍ୟାନର ପୋଷ୍ଟର ପୋଡିବା ଇତିହାସରେ ପ୍ରଥମ ଘଟଣା । ତେବେ ଏପରି ଘଟଣା ଘଟିଛି ମହାରାଷ୍ଟ୍ରରେ । ଏହି ଘଟଣାରୁ ଲୋକଙ୍କ ନକ୍ସଲଙ୍କ ପ୍ରତି ଥିବା ଭୟ ଧୀରେ ଧୀରେ କମିବାକୁ ବସିଲାଣି ବୋଲି ଜଣାପଡୁଛି । ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଗ୍ରାମବାସୀ ନିଜକୁ ସୁରକ୍ଷିତ ମଣୁଛନ୍ତି । ଏପଟେ ଛତିଶଗଡ ରାଜ୍ୟ ସୁକୁମା ଅଞ୍ଚଳର ମୁରଲିଗୁଡା ଗ୍ରାମ ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ମିକ୍ସର ମେସିନ୍ ତଥା ଅନ୍ୟାନ ସାମଗ୍ରୀକୁ ନକ୍ସଲମାନେ ସହିଦ ସପ୍ତାହରେ ଜାଳି ଦେଇଥିବା ଜଣାପଡିଛି । ଏହାସହ ଉକ୍ତ ଅଞ୍ଚଳରେ ଲୋକମାନେ ନକ୍ସଲ ପୋଷ୍ଟର ଜାଳି ପକାଇଥିବା ମଧ୍ୟ ଦେଖିବାକୁ ମିଳିଛି । ନକ୍ସଲର ବଡବଡ ନେତାମାନେ ଏକାଠି ହେଇ କିଛି ବଡ଼ଧରଣର ଅଘଟଣ ଘଟାଇବା ଉଦେ୍ଦଶ୍ୟରେ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଅନୁମାନ କରାଯାଉଛି । ସୂଚନାନୁସାରେ ଛତିଶଗଡ ଓ ତେଲେଙ୍ଗାନା ସୀମାନ୍ତରେ ଥିବା ଜଙ୍ଗଲରେ ବିଗତ ଦୁଇଦିନ ହେଲା ନକ୍ସଲ ସଙ୍ଗଠନର ବଡବଡ ନେତା ଏକାଠି ହେଉଛନ୍ତି ।
ଏହି ବୈଠକରେ ଓଡ଼ିଶା, ମହାରାଷ୍ଟ୍ର, ତେଲେଙ୍ଗାନା ସହ ଛତିଶଗଡ଼ ରାଜ୍ୟର ବରିଷ୍ଠ ନକ୍ସଲ ନେତାମାନେ ଉପସ୍ଥିତ ଥିବା ଖବର ଜଣାପଡ଼ିଛି । ବିଭିନ୍ନ ଅଞ୍ଚଳରୁ ବହୁ ଗ୍ରାମବାସୀ ମଧ୍ୟ ଯୋଗ ଦେଉଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ହେଲେ ଏପର୍ଯ୍ୟନ୍ତ ଓଡିଶାର କୌଣସି ଜିଲ୍ଲାରେ ସହିଦ୍ ସପ୍ତାହ ପାଳନ ଅବସରରେ କିଛି ଅଘଟଣର ସମ୍ବାଦ ମିଳିନାହିଁ । ମାଲକାନଗିରି ଜିଲ୍ଲାରେ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସ୍ଥାନେସ୍ଥାନେ ପୁଲିସ ପକ୍ଷରୁ ତଲାସୀ ନିଆଯାଉଛି । ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳକୁ ସିଲ୍ କରାଯାଇଥିବା ବେଳେ ନକ୍ସଲଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ମାଲକାନଗିରି ଏସ୍ପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।




Powered by odothemes.com