Tata-Steel-Kalinganagar-plant

୪ଠ ହଜାର ଯୁବକ-ଯୁବତୀ ଅଲୋଡ଼ା

30

ଯାଜପୁରରେ ବଢୁଛି ଶିଳ୍ପାୟନ
ଯାଜପୁର (ସମରଜିତ୍‌ ମହାନ୍ତି): ଯାଜପୁରରେ ହୁ ହୁ ବଢି ଚାଲିଛି ଶିଳ୍ପାୟନ । କଳିଙ୍ଗନଗରରେ ଟାଟା ପକ୍ଷରୁ ନିର୍ମିତ ବୃହତ୍ ଇସ୍ପାତ ଶିଳ୍ପ କାରଖାନାଠୁ ଧରି ବଡ ବଡ ହୋଟେଲ ଶିଳ୍ପମାନ ଗଢି ଉଠିଛି । ଏହାସହ ସୁକିନ୍ଦାରରେ ଥିବା ଭରପୁର ଖଣିଜସମ୍ପଦ ପାଇଁ ଏହି ଜିଲ୍ଲା ଏସିଆ ମହାଦେଶରେ ଏକ ସ୍ୱତନ୍ତ୍ର ମାନ୍ୟତା ପାଇଛି । ଜିଲ୍ଲାର ଚାହିଦା ମୁତାବକ ଆବଶ୍ୟକ ଶିଳ୍ପ ସଂସ୍ଥା ଗୁଡିକ ଗଢି ଉଠୁଥିଲେ ମଧ୍ୟ ଜିଲ୍ଲାର ଯୁବଗୋଷ୍ଠୀଙ୍କ ପାଇଁ ତାହା ଅଲୋଡା ହୋଇପଡିଛି । ଜିଲ୍ଲାର ପ୍ରାୟ ୪୦ ହଜାରରୁ ଊଦ୍ଧ୍ୱର୍ ଯୁବକ ଯୁବତୀ ବେକାର ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଯୁବଗୋଷ୍ଠୀ ଏବେ ଦାଦନ ପାଇଁ ସଜବାଜ ହେଉଛନ୍ତି । ସରକାରୀ ଆକଳନ ଅନୁଯାୟୀ ଜିଲ୍ଲାର ବିକାଶ ଓ ଅର୍ଥନୀତି ବୃଦ୍ଧି ଘଟିଛି । ଜିଲ୍ଲାରେ ମୋଟ୍ ଲୋକସଂଖ୍ୟା ୧୮ଲକ୍ଷରୁ ଊଦ୍ଧ୍ୱର୍ ହୋଇଥିବା ବେଳେ କୃଷକଙ୍କ ସଂଖ୍ୟା ୨ ଲକ୍ଷ ୫୦ ହଜାର ଅଧିକ । ସେହିଭଳି ପ୍ରତି ୧୦ ହଜାରରୁ ୧୫୦ ଜଣ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଅପରପକ୍ଷରେ ଜିଲ୍ଲାରେ ଶିକ୍ଷିତ ବେକାରୀ ସଂଖ୍ୟା ୮୨ହଜାରରୁ ଊଦ୍ଧ୍ୱର୍ ହେବ ବୋଲି ଏକ ଆକଳନରୁ ପ୍ରକାଶ ପାଇଛି । ହେଲେ ଦୁଃଖର ବିଷୟ ଏହି କି ଯେ, ମାତ୍ର ୨୮ ଭାଗ ଲୋକେ ଅର୍ଥ ଉପାର୍ଜନ ପାଇଁ ସକ୍ଷମ ହୋଇଥିବା ବେଳେ ୯ ଭାଗ ଲୋକେ ଦିନ ମଜୁରିଆ । ଏଥିସହ ୩୬ ଭାଗ ଲୋକଙ୍କର ଉପାର୍ଜନ ଅଭିବୃଦ୍ଧ ଯଥେଷ୍ଟ ନୁହେଁ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଜିଲ୍ଲାରେ ୧୯୬୪ ରୁ ପ୍ରତିଷ୍ଠିତ ୨୦ରୁ ଊଦ୍ଧ୍ୱର୍ ପଞ୍ଚାୟତ ଶିଳ୍ପ ୧୯୯୦ ମସିହାରୁ ସଂପୂର୍ଣ୍ଣ ଲୋପ ହୋଇଯାଇଛି । ଏହାର ପୂନଃ ପ୍ରତିଷ୍ଠା ପାଇଁ ସରକାର ଧ୍ୟାନ ଦେଉନାହାନ୍ତି ବୋଲି ଗୁରୁତର ଅଭିଯୋଗ ହେଉଛି । ସେହିଭଳି ଦେଖିବାକୁ ଗଲେ ଜିଲ୍ଲାରେ ବୈଷୟିକ ଶିକ୍ଷାରେ ଯୁବବର୍ଗ ପାରଦର୍ଶିତା ହାସଲ କରିବା ପରେ ମଧ୍ୟ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତିି । ଡିଆଇସି ପକ୍ଷରୁ ଆତ୍ମ ନିଯୁକ୍ତି ପାଇଁ ଚୟନ କରାଯାଉ ଥିଲେ ମଧ୍ୟ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏଥିଲାଗି ଯୁବପିଢିÿ ଭିଟାମାଟି ଛାଡି ବିଭିନ୍ନ ରାଜ୍ୟ ଓ ଦେଶ ବାହରକୁ ଦାଦନ ଖଟିବାକୁ ଯାଉଛନ୍ତି । ଟାଟା ପକ୍ଷରୁ ନିର୍ମିତ ବୃହତ୍ ଇସ୍ପାତ ଶିଳ୍ପ କାରଖାନା ଜିଲ୍ଲାବାସୀଙ୍କୁ ନିଯୁକ୍ତି ସୁଯୋଗ ଦେଇପାରୁ ନଥିବା ବେଳେ କୃଷି ଓ କ୍ଷୁଦ୍ରଶିଳ୍ପ ପାଇଁ ଏହା ପ୍ରତିବନ୍ଧକ ହୋଇଛି । ଯାଜପୁରର ବିଭିନ୍ନ ଅଞ୍ଚଳରେ ହୋଟେଲ ଶିଳ୍ପର ଅଭିବୃଦ୍ଧି ହେଉଥିବା ବେଳେ ଅଧିକାଂଶ ଯୁବକମାନେ ଏହାର ଫାଇଦା ପାଉ ନାହାନ୍ତି ।
ଅପରପକ୍ଷରେ ଅନ୍ୟ ଏକ ଗୋଷ୍ଠୀ ରାଜନୀତି କ୍ଷେତ୍ରରେ ଅଗ୍ରସର ହୋଇ ପୁଞ୍ଜିବାଦୀ ଗୋଷ୍ଠୀ ସାଜିଛନ୍ତି । ଏମାନେ ସରକାରୀ ଅର୍ଥକୁ ବେଆଇନ ଭାବରେ କରାଗ୍ରତ କରି ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ । ତେବେ ମହିଳା ମିଶନ୍ଶକ୍ତି, ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା ବିଶେଷ ଭାବରେ କୌଣସି ଅଗ୍ରଗତି ହେଉନାହିଁ । ଜିଲ୍ଲାରେ ବେକାରୀ ସମସ୍ୟା ବଢ଼ୁଥିବା ବେଳେ ୧୦ ହଜାରରୁ ଊଦ୍ଧ୍ୱର୍ ବାଉଁଶ, ବେତ ଓ ଅନ୍ୟାନ୍ୟ ଶ୍ରମଜୀବୀମାନେ ନିଜର ଜୀବିକା ହରାଉଛନ୍ତି । ଦିନ ଥିଲା କଂସା, ପିତ୍ତଳ ଓ ଗୃହ ଉପକରଣ ଯନ୍ତ୍ର ଲାଗି ଏହି ଜିଲ୍ଲା ପ୍ରସିଦ୍ଧି ଲାଭ କରିଥିଲା । ହେଲେ ଏବେ ସେହି ଜିଲ୍ଲାର ବୈଦ୍ୟରାଜପୁର ଓ କୁଣ୍ଡପାଟଣା ଗ୍ରାମ ଶ୍ରୀହୀନ ହୋଇପଡିଛି । ଜିଲ୍ଲାର ଧର୍ମଶାଳା, ବରୀ, ବଡଚଣା, କୋରାଇ ଓ ଦାନଗଦୀ ଅଞ୍ଚଳରୁ ଅନେକ ଯୁବକ ଦକ୍ଷିଣଆଫ୍ରିକା, ସାଉଦିଆରବ, ଦୁବାଇ, ସିଙ୍ଗାପୁରକୁ ଚାକିରି ପାଇଁ ଯାଇ ସେଠାରେ ନିର୍ଯାତିତ ହେଉଛନ୍ତି । କୃଷି, କୁଟୀରଶିଳ୍ପ, କ୍ଷୁଦ୍ରଶିଳ୍ପ, କୌଳିକବୃତ୍ତିରେ ସ୍ୱୟଂସଂପୂର୍ଣ୍ଣ କରାଗଲେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଜିଲ୍ଲାର ଏହି ସମସ୍ୟା ଦିଗ ପ୍ରତି ବିହୀତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।




Powered by odothemes.com