rasta-roka-____RAGHUNATHAPUR

କେନାଲ ସଫେଇ ଦାବିରେ  କଟକ-ପାରାଦୀପ ରାସ୍ତା ଅବରୋଧ

24

ରଘୁନାଥପୁର (ଆପ୍ର): ଜୁଲାଇ ଶେଷ ହୋଇଥିବା ସତ୍ତ୍ୱେ ଜଗତ୍ସିଂହପୁର ଜିଲ୍ଲାରେ ଏଯାବତ୍ କୌଣସି ଶାଖା କେନାଲ୍ର ସଫେଇ କାର୍ଯ୍ୟ ଶେଷ ହୋଇନଥିବା ଅଭିଯୋଗ ହେଉଛି । ପ୍ରତିବାଦରେ କଟକ-ପାରାଦୀପ ରାସ୍ତାକୁ ଅବରୋଧ କରାଯାଇଛି । ପ୍ରକାଶ ଯେ ଜିଲ୍ଲାର ସମସ୍ତ ଚାଷଜମିକୁ ଜଳସେଚନ ନିମନ୍ତେ ତାଳଦଣ୍ଡା ଓ ମାଛଗାଁ ମୁଖ୍ୟ କେନାଲରେ ପାଣି ଆସିଥାଏ । ମାତ୍ର ଏଯାବତ୍ ଉକ୍ତ ୨ କେନାଲ୍କୁ ପାଣି ଛଡାନଯିବା ସହ ଶାଖା କେନାଲକୁ ସଫା କରାଯାଇନାହିଁ । ତେବେ ତାଳଦଣ୍ଡା କେନାଲର କଟକ ରାଣିହାଟ ନିକଟରେ ନିର୍ମାଣକାର୍ଯ୍ୟ ଚାଲିଥିବାରୁ ମୁଖ୍ୟ କେନାଲରେ ପାଣି ଛଡାଯାଉନଥିବା କୁହାଯାଉଛି । ଏନେଇ ମଙ୍ଗଳବାର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ କଟକ-ପାରାଦୀପ ରାସ୍ତା ରଘୁନାଥପୁର ବଜାରସ୍ଥିତ ବିଜୁ ପଟ୍ଟନାୟକ ଛକରେ ରାସ୍ତାରୋକ ହୋଇଥିଲା । ଖବର ପାଇ ରଘୁନାଥପୁର ଆଇଆଇସି ରଞ୍ଜନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରି ପାଣି ଛଡାଯିବା ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଚାଷୀ ଆନେ୍ଦାଳନ ପ୍ରତ୍ୟାହାର କରିଥିଲେ । ଆନେ୍ଦାଳନରେ ଜିଲ୍ଲା କୃଷକ ସଙ୍ଗଠନ ସଭାପତି ଇଂ ବାବାଜି ଚରଣ ଜେନା, ଡ. ରାଜକିଶୋର ବରାଳ, ସମ୍ପାଦକ ଗୋବିନ୍ଦଚନ୍ଦ୍ର ଜେନା, ବିନୋଦ ବିହାରୀ ମହାନ୍ତି, ପ୍ରକାଶଚନ୍ଦ୍ର ଜେନା, ଗୋପିନାଥ ବାରିକ, ମାନଗୋବିନ୍ଦ ସାହୁ, ତାରେଣି ସେନ୍ ମହାନ୍ତି, ନାରାୟଣ ସିଂହ, ସୁଦର୍ଶନ ମହାନ୍ତି, ଖୀରୋଦ ଦାସ, ଅଢ଼େଇକୂଳ ସରପଞ୍ଚ ଶେଷଦେବ ସେଠୀ, ରମାକାନ୍ତ ସ୍ୱାଇଁ, ଶାରଦାପ୍ରସାଦ ରାୟ ପ୍ରମୁଖ ସାମିଲ ହୋଇଥିଲେ । ଏ ସମ୍ପର୍କରେ ଜଳସମ୍ପଦ ବିଭାଗ କଟକ ସାଉଥ୍ ଡିଭିଜନ୍ ନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରୁ ବୁଧବାର ରାଣିହାଟ କାର୍ଯ୍ୟ ଶେଷ ହେବ ଓ ଗୁରୁବାର ୨ଟି ମୁଖ୍ୟ କେନାଲରେ ପାଣି ଛଡାଯିବ ବୋଲି ସେ କହିଛନ୍ତି । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ବର୍ଷାଦିନେ ଚାଷୀଙ୍କ କାର୍ଯ୍ୟାରମ୍ଭ ସମୟରେ କାହା ନିଦେ୍ର୍ଦଶରେ ତାଳଦଣ୍ଡା ରାଣିହାଟ ନିକଟରେ ପାଣି ବନ୍ଦ କରାଯାଇ ନିର୍ମାଣ କାର୍ଯ୍ୟ ହେଉଛି । ଏଥିପ୍ରତି ପ୍ରଶାସନଙ୍କୁ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଦାବି ହେଉଛି ।




Powered by odothemes.com