PURI-2

ଜବରଦଖଲରେ ସ୍ୱର୍ଣ୍ଣାଭ ବେଳାଭୂମି

25

ପୁରୀ (ଆପ୍ର): ଅନ୍ତର୍ଜାତୀୟ ମାନ୍ୟତା ପାଇଥିବା ପର୍ଯ୍ୟଟନକ୍ଷେତ୍ର ଶ୍ରୀକ୍ଷେତ୍ରର ବିସ୍ତୀର୍ଣ୍ଣ ସ୍ୱର୍ଣ୍ଣାଭ ବେଳାଭୂମି ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ । ପର୍ଯ୍ୟଟକ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବା ଓ ସମୁଦ୍ରରେ ସ୍ନାନ କରିବା ପାଇଁ ଦୌଡ଼ି ଆସିଥାନ୍ତି । ଏସିଆ ମହାଦେଶରେ ପୁରୀ ଭଳି ବିସ୍ତୀର୍ଣ୍ଣ ବେଳାଭୂମି ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ । ପର୍ଯ୍ୟଟକମାନେ ପ୍ରତ୍ୟୁଷରେ ସୂର୍ଯେ୍ୟାଦୟ ଦେଖିବା ସହ ସମୁଦ୍ରରେ ସ୍ନାନକରି ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ କିଛି ସମୟ ବାଲୁକା ଶଯ୍ୟାରେ ବସିବାକୁ ଭଲପାଇଥାନ୍ତି । କିନ୍ତୁ ଏବେ ସ୍ୱର୍ଗଦ୍ୱାର ସମ୍ମୁଖସ୍ଥ ବାଲୁକାଶଯ୍ୟା ଜବରଦଖଲକାରୀଙ୍କ କବଳରେ ରହିଛି । ବାଲୁକା ଶଯ୍ୟାରେ ଶହଶହ ଦୋକାନ ଖୋଲାଯାଇଥିବାରୁ ପର୍ଯ୍ୟଟକମାନେ ଟିକେ ଶାନ୍ତିରେ ବସିବା ପାଇଁ ସୁଯୋଗ ପାଉନଥିବା ଅଭିଯୋଗ ହୋଇଛି । ବେଳାଭୂମିରେ ଘୋଡ଼ା ଓ ଓଟ ପ୍ରଭୃତି ବୁଲିବା ନିଷେଦ୍ଧ ଥିଲେ ମଧ୍ୟ ଏସବୁ ପଶୁ ବେଶ୍ ନିର୍ବିଘ୍ନରେ ବେପାର କରୁଛନ୍ତି । ବୁଲାବିକାଳୀ ଓ ଉଠାଦୋକାନୀ ବେଳାଭୂମିରେ ପ୍ଲାଷ୍ଟିକ୍ ଗ୍ଲାସ୍, ପ୍ଲେଟ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଫିଙ୍ଗୁଥିବା ଯୋଗୁଁ ପରିବେଶ ଦୂଷିତ ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ସମସ୍ତ ବିଷୟ ଦେଖୁଥିଲେ ମଧ୍ୟ ଏହାର ପ୍ରତିକାର ଦିଗରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କୁହାଯାଉଛି । ସେହିପରି ବେଳାଭୂମିରେ ରଙ୍ଗବେରଙ୍ଗର ଛତା ପକାଇବା ଓ ଚୌକି ପକେଇବା ଦ୍ୱାରା ରାସ୍ତା ଉପରୁ ପର୍ଯ୍ୟଟକମାନେ ସୌନ୍ଦର୍ଯ୍ୟ ଉପଭୋଗ କରିବାରୁ ବଞ୍ଚôତ ହେଉଛନ୍ତି । ବେଳାଭୂମି ନିକଟବର୍ତ୍ତୀ ରାସ୍ତା କଡ଼ରେ ବିଭିନ୍ନ ଉଠାଦୋକାନରେ ଆମିଷ ଖାଦ୍ୟ ବିକ୍ରି ହେବାଦ୍ୱାରା ବାୟୁମଣ୍ଡଳ ଦୂଷିତ ହେଉଥିବାରୁ ଏହାର ପ୍ରତିକାର କରିବାକୁ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com