ଲୋକଙ୍କୁ ମୌଳିକ ସୁବିଧା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ: ମୁଖ୍ୟମନ୍ତ୍ରୀ

6-hinjilicut - cm visit

ଶେରଗଡ଼/ହିଞ୍ଜିଳିକାଟୁ,୨୯ା୪(ଆପ୍ର): ଜନସାଧାରଣ ଯେପରି ଶିକ୍ଷା, ସ୍ୱାସ୍ଥ୍ୟ ଆଦି ମୌଳିକ ସୁବିଧାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ଜନସାଧାରଣଙ୍କ ସାଧାରଣ ଜୀବନଧାରଣମାନରେ ଉନ୍ନତି ହିଁ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ଓ ମୂଳ ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ ଓ କର୍ତ୍ତବ୍ୟ ସମ୍ପାଦନ ପାଇଁ ଓଡ଼ିଶା ସରକାର ସର୍ବଦା ତପିର । ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଶେରଗଡ଼ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମର୍ମରେ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଶେରଗଡ଼ ମହାତ୍ମା ଗାନ୍ଧୀ ଉଚ୍ଚବିଦ୍ୟାଳୟ ଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼୍ରେ ଅବତରଣ କରିବା ପରେ ସେଠାରୁ ସେ ଚାରିଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ନୂତନ ଭାବେ ସ୍ଥାପିତ ହେବାକୁ ଥିବା ବିଶ୍ୱସ୍ତରର ଶିଳ୍ପ ତାଲିମ କେନ୍ଦ୍ର ନିମନ୍ତେ ଶିଳାନ୍ୟାସ କରିବା ସହ ବିଭିନ୍ନ ଯୋଜନାରେ ହିତାଧିକାରୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ସହାୟତା ରାଶି ସ୍ୱରୂପ ଆର୍ଥିକ ଚେକ୍ ସମେତ ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ । ଏହାପରେ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଆସନ୍ତା ମେ ମାସ ଠାରୁ ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ କରାଯିବ । ମାଗଣା ଔଷଧ ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲାର ଚିକିତ୍ସାଳୟରେ ଉପଲବ୍ଧ ହେବ । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ନୂତନ କରି ରାସ୍ତା ନିର୍ମାଣ କରାଯିବା ସହ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି କରଣ କରାଯିବ । ଏଥି ସହ ଗାଁ ଗାଁକୁ ପାଇପ୍ ଜଳ ଯୋଗାଣର ବ୍ୟବସ୍ଥା ତ୍ୱରାନ୍ୱିତ ହେବ । ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ଶଙ୍କର ନେତ୍ରାଳୟ ବିଶ୍ୱସ୍ତରୀୟ ସେବା ଓ ସୁବିଧା ଯୋଗାଇ ଦେବ ।
ଶେରଗଡ଼ ବ୍ଳକ୍ର ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ହିଞ୍ଜିଳିକାଟୁ ବ୍ଳକ୍ ଅଞ୍ଚଳରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟ ସମୟରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମରଝୋଳ ଠାରେ ପହଞ୍ଚି ଶଙ୍କର ନେତ୍ରାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପ୍ରାୟ ୪.୫ ଏକର ଜମିରେ ନିର୍ମିତ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ପାଇଁ ୪୨.୩କୋଟି ଟଙ୍କା ବ୍ୟୟ ହେବ । ଏହା ତାମିଲନାଡ଼ୁସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାର ଅତ୍ୟାଧୁନିକ ଢ଼ାଞ୍ଚାରେ ନିର୍ମାଣ ହେବା ସହ ଉଚ୍ଚ ପ୍ରଶିକ୍ଷଣ ପ୍ରାପ୍ତ ଡ଼ାକ୍ତର ଏଠାରେ ରହିବେ । ଏଥିରେ ସଂପୂର୍ଣ୍ଣ ଭାବେ ଟାଟାଷ୍ଟିଲ୍ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଥିବା ବେଳେ ଏହି ଅବସରରେ ୬.୭କୋଟି ଟଙ୍କାର ଏକ ଚେକ୍କୁ ଟାଟା କଂପାନୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ ।
ଏହାପରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ବ୍ଲକ ଓ ଏନ୍ଏସିର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭିତ୍ତିି ପ୍ରସ୍ତର ସ୍ଥାପନ କରିଥିଲେ । ମକରଝୋଳ, ରାଳବ, ଦୁର୍ବନ୍ଧ, ଖରିଡ଼ା, ନନ୍ଦିକ, ଚାନ୍ଦୁଲି, ସାହାପୁର, ଦୟାପଲ୍ଲୀ ଗ୍ରାମରେ ଅତିରିକ୍ତ ଶ୍ରେଣୀ ଗୃହର ନିର୍ମାଣ ନିମନ୍ତେ ପ୍ରତ୍ୟେକ ୮ଲକ୍ଷ ଟଙ୍କାର ଭିତ୍ତି ପ୍ରସ୍ତର, ଶିକିର ଗ୍ରାମରେ ୫ଲକ୍ଷ ଟଙ୍କା ବ୍ୟୟରେ ଉନ୍ନୟନ ଯୋଜନାର ଭିତ୍ତିପ୍ରସ୍ତର ଏବଂ ପିତଳ-ତହଁର ଓ କାଞ୍ଜିଆମ୍ମା ରାସ୍ତାର ଉନ୍ନତିକରଣ ନିମନ୍ତେ ୩୮୬ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସମରଝୋଳ ଠାରେ ସ୍ଥାପନ କରିଥିଲେ । ପରେ ଚାନ୍ଦୁଲି ପଞ୍ଚାୟତର ଖଣ୍ଡରା ଗ୍ରାମର ଶିବଶଙ୍କର ପରିବା ଉପିାଦକ ସଂଘ (ମହିଳା ସ୍ୱୟଂ ସହାୟକ ଗୋଷ୍ଠି) ଉଦ୍ୟାନ ବିଭାଗ ପକ୍ଷରୁ ୮ ମେଟି୍ରକ୍ ଟନ୍ କ୍ଷମତା ବିଶିଷ୍ଟ ଶିତଳ ଭଣ୍ଡାରର ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ଉଦ୍ୟାନ ବିଭାଗ ପକ୍ଷରୁ ରାଳବ ଗ୍ରାମପଞ୍ଚାୟତର ଜୟସିଂହ ବୋର୍ଡ଼ଙ୍କୁୁ ସୁଷମ ଖାଦ୍ୟ ସୁଖାଇବା ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଜୁ ପକ୍କା ଘର ଯୋଜନାରେ ୨୦୧୫-୧୬ ବର୍ଷ ସକାଶେ ପାଟପୁରର ଉଦୟ ସାହୁ ଓ ସୁଦେଷ୍ଣା ବେହେରାଙ୍କୁ ଅଗ୍ରୀମ ୭୫ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିଥିଲେ । ବିଜୁ ପକ୍କା ଘର ଯୋଜନାରେ ଶିକିିରିର ଗୀତା ଦାଶ ଓ କଂଚୁରୁର ବି. କାଳିସିମାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜାତୀୟ ପରିବାର ମଙ୍ଗଳ ଯୋଜନାରେ ପଲ୍ଲୀ ପଦ୍ମନାଭପୁର ଗ୍ରାମର ଝୁନୁ ନାହାକ ଓ ଗଣ୍ଡଳା ଗ୍ରାମର ସୁଦଷ୍ଣା ଦାଶଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । ୪ଟି ସ୍ୱୟ ସହାୟିକା ଗୋଷ୍ଠିଙ୍କୁ ୧୦ହଜାର ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫ଜଣ ହିତାଧିକାରୀଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଚେକ୍ ବଣ୍ଟନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ପିଡ଼ି ଆଶିଷ ଥାକରେ, ବିଡ଼ିଓ ମନୋଜ କୁମାର ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପ୍ରଧାନ, ଏନ୍ଏସି ଅଧ୍ୟକ୍ଷା ଗୌରୀ ପାଣିଗ୍ରାହୀ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ସୁରେନ୍ଦ୍ର ପ୍ରଧାନ, ଏନ୍. ରଘୁନାଥ, ଭାସ୍କର ପଣ୍ଡା, ସଂଜୟ ପଣ୍ଡା, ପବିତ୍ର ପାଣିଗ୍ରାହୀ, ନୀଳମଣି ପଟ୍ଟନାୟକ, ହୃଦୟାନନ୍ଦ ମହାପାତ୍ର, ମନୋଜ ସାବତ ପ୍ରମୁଖଙ୍କ ସହ ବିଜେଡ଼ିର ବହୁ ନେତା, କର୍ମୀ, ସରକାରୀ ପଦସ୍ଥ ଅଧିକାରୀଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।