ନାମଲେଖା ଫି ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି

28

କେନ୍ଦ୍ରାପଡ଼ା (ଆପ୍ର): କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନାମଲେଖା ଫି ଅହେତୁକ ବୃଦ୍ଧି କରାଯାଇଥିବାରୁ ଛାତ୍ର ଅସନ୍ତୋଷ ଲାଗିରହିଛି । ତୁରନ୍ତ ବର୍ଦ୍ଧିତ ଫି ପୂର୍ବ ମୁତାବକ ରଖିବା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି ହୋଇଛି । ଏନେଇ ଛାତ୍ର ସଂଗଠନ ପକ୍ଷରୁ କେନ୍ଦ୍ରାପଡ଼ା ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ନିରବ ରହିଥବାରୁ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶପାଇଛି । ଏଥିସହ ବିଧାୟକ ତୁରନ୍ତ ଏହି ବର୍ଦ୍ଧିତ ଫି ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଏବିଭିପି ପକ୍ଷରୁ ଦାବି କରାଯାଇଛି । ଏବିଭିପିର ମିଡିଆ ସେଲ୍ ପ୍ରମୁଖ ସତ୍ୟରଂଜନ ସାହୁ ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ଦାସଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ସେହିଭଳି ଛାତ୍ର ସଂସଦ ପକ୍ଷରୁ ପ୍ରଶନ୍ନଜିତ୍ କୁଣ୍ଡୁଙ୍କ ନେତୃତ୍ୱରେ ଛାତ୍ରମାନେ କଲେଜ ମୁଖ୍ୟ ବିଲଡିଂ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉତ୍ତ୍ୟକ୍ତ ଛାତ୍ରମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ରି-ଆଡମିଶନି ନାରାବାଜି କରିଥିଲେ । ମୁଖ୍ୟ ବିଲଡିଂରେ ଲାଗିଥିବା ସିସି ଟିଭି କ୍ୟାମେରା ସହ ଅନ୍ୟ କେତେକ ଆସବାବପତ୍ର ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଯୁକ୍ତ ୩ କଳା ଦ୍ୱିତୀୟ ବର୍ଷରେ ରି-ଆଡମିଶନ ଫିସ୍ ୨୪୦୦ ଟଙ୍କା ଥିବା ବେଳେ ଏହା ବୃଦ୍ଧି ପାଇ ୩୦୯୦ ଟଙ୍କା, ତୃତୀୟ ବର୍ଷର ୨୪୬୦ରୁ ରି-ଆଡମିଶନ ଫିସ୍ ବୃଦ୍ଧି ପାଇ ୩୩୭୦ ଟଙ୍କା , ବାଣିଜ୍ୟ ଦ୍ୱିତୀୟ ବର୍ଷ ୨୪୦୦ରୁ ୩୧୬୫ ଟଙ୍କା, ବିଜ୍ଞାନରେ ୩୧୪୭ରୁ ୪୬୪୩ ଟଙ୍କା ଓ ଆଟିରେ ୫ ହଜାରରୁ ୧୦ ହଜାର ଟଙ୍କା ବୃଦ୍ଧି ପାଇଛି ବୋଲି ଛାତ୍ରମାନେ ସୂଚନା ଦେଇଥିବା ବେଳେ କଲେଜ ଅଧ୍ୟକ୍ଷ କୌଣସି ଫି ବୃଦ୍ଧି ପାଇନାହିଁ ବୋଲି କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com