ସନ୍ଧ୍ୟାରେ ଇସ୍ତଫା, ଆଜି ଶପଥ

25

ବିହାର ରାଜନୀତିରେ ନାଟକୀୟ ମୋଡ଼
ପାଟନା, ୨୬ା୭(ବୁ୍ୟରୋ): ବିହାର ରାଜନୀତି ନାଟକୀୟ ମୋଡ଼ ନେଇଛି । ଦୁଇବର୍ଷ ତଳେ ଗଠିତ ଆର୍ଜେଡି, ଜେଡିୟୁୂ ଓ କଂଗ୍ରେସ ମହାମେଣ୍ଟରେ ବିଭାଜନ ଘଟିଛି । ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରଙ୍କ ଦୁର୍ନୀତିକୁ କେନ୍ଦ୍ରକରି କୁହୁଳୁଥିବା ନିଆଁ ବିସ୍ଫୋରଣର ରୂପ ନେଇଛି । ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଆଜି ସନ୍ଧ୍ୟାରେ ଅଚାନକ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ଭେଟିଲା ପରେ ନୀତିଶ ତାଙ୍କ ଇସ୍ତଫା ସଂପର୍କରେ ଘୋଷଣା କରିବା ସହିତ ରାଜ୍ୟପାଳ ଏହାକୁ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି । ନୀତିଶ ଇସ୍ତଫା ଦେଇଥିଲେ ବି ତାଙ୍କୁ ସମର୍ଥନ ପାଇଁ ଆଗେଇ ଆସିଛି ବିଜେପି । ପୁଣି ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଜେଡିୟୁ-ବିଜେପି ସରକାର ଚାଲିବ । ବିଜେପି ନିଜଆଡ଼ୁ ସମର୍ଥନ ଘୋଷଣା କରିଛି । ନୀତିଶଙ୍କ ବାସଭବନରେ ଆଜି ବିଜେପି ଏବଂ ଜେଡିୟୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ନୀତିଶଙ୍କୁ ନେତାମାନି ବିଜେପି ସରକାରରେ ସାମିଲ ହେବ ବୋଲି ଲିଖିତ ଭାବେ ରାଜ୍ୟପାଳଙ୍କୁ ଜଣାଇଛି । ଆସନ୍ତାକାଲି ପୁଣି ଉଭୟ ଦଳ ବିଧାୟକଙ୍କ ବୈଠକ ବସିବ ଏବଂ ଅପରାହ୍ଣ ୫ଟାରେ ନୀତିଶ କୁମାର ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସୂଚନାଯୋଗ୍ୟ, ଆର୍ଜେଡି ସୁପି୍ରମୋ ଲାଲୁପ୍ରସାଦ ଯାଦବଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦୁର୍ନୀତି ମାମଲାରେ ଫସିବା ଏବଂ ତାଙ୍କ ମାଲିକାନାରେ ଥିବା ବିଭିନ୍ନ ସଂସ୍ଥା ଉପରେ ସିବିଆଇ ଚଢ଼ାଉ କରିବା ପରେ ତାଙ୍କୁ ଇସ୍ତଫା ଦେବାଲାଗି ନୀତିଶ ପ୍ରସ୍ତାବ ଦେଇଥିଲେ । ବାରମ୍ବାର ଚାପ ସତ୍ତ୍ୱେ ଆର୍ଜେଡି ପକ୍ଷରୁ ଏହାକୁ ଗ୍ରହଣ କରାଯାଇନଥିଲା । ନିଜେ ଲାଲୁ ପ୍ରସାଦ ଯାଦବ ମଧ୍ୟ ଆଜି ଦଳୀୟ ବିଧାୟକଙ୍କ ବୈଠକ ଡାକି ଇସ୍ତଫା ଦାବିକୁ ଗ୍ରହଣ କରିନଥିଲେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଦୁଇଦିନ ତଳେ ମହାମେଣ୍ଟର ଅନ୍ୟତମ ଅଂଶୀଦାର ସୋନିଆ ଗାନ୍ଧି ଏବଂ ରାହୁଲଙ୍କ ସହିତ ଲାଲୁଙ୍କ ଜିଦ୍ଖୋର ମନୋଭାବ ବିଷୟରେ ଆଲୋଚନା କରିଥିଲେ । ଏହା ସତ୍ତ୍ୱେ କୌଣସି ମୀମାଂସା ହୋଇପାରିନଥିଲା । ନୀତିଶ ସ୍ୱଚ୍ଛ ଭାବମୂର୍ତ୍ତିକୁ ବଜାୟ ରଖିବା ଲାଗି ଇସ୍ତଫା ଦେଇଥିବା ଆଲୋଚନା ହେଉଛି । ନୀତିଶଙ୍କ ଇସ୍ତଫା ପରେ ମାତ୍ର ଦୁଇବର୍ଷ ତଳେ ଗଠିତ ମହାମେଣ୍ଟ ସଂକଟଗ୍ରସ୍ତ ହୋଇଛି । ଚଳିତ ମାସ ୭ ତାରିଖରେ ସିବିଆଇ ପକ୍ଷରୁ ତେଜସ୍ୱୀଙ୍କ ବାସଭବନ, ତାଙ୍କର ବିିଭିନ୍ନ ସଂସ୍ଥା, ଲାଲୁଙ୍କ କନ୍ୟା ମୀଶା ଭାରତୀଙ୍କ ଫାର୍ମହାଉସ୍ ସମେତ ତାଙ୍କ ମାଲିକାନାରେ ଥିବା ପ୍ରତିଷ୍ଠାନରେ ଚଢ଼ାଉ କରାଯାଇ ମାମଲା ରୁଜୁ ହୋଇଥିଲା । ଏହାକୁ କେନ୍ଦ୍ରକରି ଉଭୟ ଦଳ ମଧ୍ୟରେ ଫାଙ୍କ ବଢ଼ିବାରେ ଲାଗିଥିଲା । ରାଷ୍ଟ୍ରପତି ନିର୍ବାଚନରେ ଏହି ଫାଟ ଗଭୀର ହୋଇଥିଲା । ମହାମେଣ୍ଟର ନିଷ୍ପତ୍ତି ବିରୋଧରେ ଯାଇ ନୀତିଶ କୁମାର ଏନ୍ଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ । ଫାଟ ବଢ଼ୁଥିବାବେଳେ ୨୮ ତାରିଖ ସୁଦ୍ଧା ତେଜସ୍ୱୀ ଇସ୍ତଫା ଦେବାକୁ ନୀତିଶ କୁମାର ସମୟ ସୀମା ଧାର୍ଯ୍ୟ କରିଥିଲେ । ଇସ୍ତଫା ପରେ ନୀତିଶ କୁମାର କହିଛନ୍ତି ଯେ ମୁଁ କାହାକୁ ଇସ୍ତଫା ଦେବାକୁ କହିନାହିଁ । କେବଳ ଆସିଥିବା ଅଭିଯୋଗ ସଂପର୍କରେ ସଠିକ୍ ସ୍ପଷ୍ଟୀକରଣ ମାଗିଥିଲି । ମାତ୍ର ତାହା ମିଳିନଥିଲା । ଏଭଳି ପରିବେଶରେ ମୋ ପାଇଁ କାର୍ଯ୍ୟ କରିବା ସମ୍ଭବ ନୁହେଁ । ଯାହା ହେବାର ଥିଲା ହେଲା । ଏଣିକି କ’ଣ ହେବ ସମୟ କହିବ । ଅପରପକ୍ଷରେ ଲାଲୁ ପ୍ରସାଦ ଯାଦବ ନୀତିଶଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ସବୁ ବ୍ୟବସ୍ଥା କରି ନୀତିଶ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଆଲୋଚନା କରିଛନ୍ତି । ମୋଦିଙ୍କର ବିମୁଦ୍ରୀକରଣ ଓ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରି ନୀତିଶ ଏନ୍ଡିଏ ପ୍ରତି ସହାନୁଭୂତି ପ୍ରଦର୍ଶନ କରିଥିଲେ । ଆଜି ସେ ଇସ୍ତଫା ଦେଉ ଦେଉ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ଏହାର ପ୍ରମାଣ କରୁଛି । ତେଜସ୍ୱୀଙ୍କଠାରୁ ନୀତିଶଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି । ୨୦୦୯ରେ ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ରହିଛି । ଏହା ପ୍ରମାଣିତ ହେଲେ ନୀତିଶଙ୍କୁ ଫାଶୀ ହେବ ।
ଇସ୍ତଫା ଦେବା ପରେ ବିଜେପି ପକ୍ଷରୁ ନୀତିଶ କୁମାରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତିଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନରେନ୍ଦ୍ର ମୋଦି ଉଲ୍ଲେଖ କରିଛନ୍ତି ଯେ ଭ୍ରଷ୍ଟାଚାରକୁ ବିରୋଧ କରି ସ୍ୱଚ୍ଛତା ପ୍ରତି ନୀତିଶ ତାଙ୍କ ପ୍ରତିବଦ୍ଧତା ପ୍ରମାଣ କରିଛନ୍ତି । ବିଜେପି ବିହାର ମୁଖ୍ୟ ସୁଶିଲ ମୋଦି ନୀତିଶଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଉ, ବିଜେପି ଚାହେଁନାହିଁ । ଦଳ ପକ୍ଷରୁ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ତିନିଜଣିଆ ଟିମ୍କୁ ରିପୋର୍ଟ ପ୍ରସ୍ତୁତି ପାଇଁ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, ୨୦୧୫ ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟକୁ ବିପୁଳ ଜନସମର୍ଥନ ପାଇଥିଲା । ଜେଡିୟୁ ୭୧, ଆର୍ଜେଡି ୮୦ ଓ କଂଗ୍ରେସକୁ ୩୯ ଆସନ ମିଳିଥିଲା । ବିଜେପି ମାତ୍ର ୫୩ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ମହାମେଣ୍ଟର ମୁଖିଆ ଭାବେ ସେହିବର୍ଷ ନଭେମ୍ବର ୨୦ରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ରହିଛି । ୧୨୨ ବିଧାୟକଙ୍କ ସମର୍ଥନ ହେଲେ ସରକାର ଗଠନ ହେବ । ବିଜେପି, ଜେଡିୟୁ ବିଧାୟକଙ୍କ ସଂଖ୍ୟା ୧୨୪ । ତେଣୁ ସରକାର ଗଢ଼ିବା ନେଇ କୌଣସି ସନେ୍ଦହ ନାହିଁ ।




Powered by odothemes.com