କାନ୍ଧରେ ବୁହାହେଲେ ପ୍ରସୂତି

33

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ
ଉମରକୋଟ,୨୬ା୭(ଆପ୍ର) : ନବରଙ୍ଗପୁର ଉମରକୋଟରେ ଜନନୀ ସୁରକ୍ଷା ଯୋଜନା ପୁଣି ଫେଲ୍ ମାରିଛି । ଲୋକେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଭଲ ରାସ୍ତାଟିଏ ନଥିବାରୁ ଯାନାବାହନ ଗାଁ ମଧ୍ୟକୁ ଯିବା ସମ୍ଭବପର ହୋଇପାରୁନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉମରକୋଟ ବ୍ଲକ୍ର ପାନହାରିକୁମୁଡା ଗ୍ରାମରେ । ଗତକାଲି ବିଳମ୍ବିତ ବର୍ଷା ରାତିରେ ରାଜୁୁ ସାନ୍ତାଙ୍କ ପତ୍ନୀ କଳାବତୀ ସାନ୍ତାଙ୍କର ପ୍ରସବ ପୀଡା ହେବାରୁ ତୁରନ୍ତ ୧୦୨-ଆମ୍ବୁଲାନ୍ସକୁ ଡକାଯାଇଥିଲା । କିନ୍ତୁ ରାସ୍ତା ଠିକ୍ ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା । ଘରଠାରୁ ୪କିମି ଦୂରରେ ଆମ୍ବୁଲାନ୍ସ ଅଟକି ଥିଲା । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଥିଲା । ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଅତ୍ୟନ୍ତ ଖରାପ ହୋଇଯାଇଥିଲା । କାଦୁଅ ରାସ୍ତାରେ ଗାଡିଟି ଆସି ନପାରି ୪କିଲୋମିଟର ଦୂରରେ ରହିଥିଲା । ତେଣୁ କଳାବତୀଙ୍କ ପରିବାର ସଦସ୍ୟମାନେ ତାଙ୍କ ଉପରେ ପଲିଥିନ ଘୋଡାଇ ତାଙ୍କୁ ୪କିମି ପର୍ଯ୍ୟନ୍ତ କାନ୍ଧରେ ବୋହି ନେଇଥିଲେ । କିନ୍ତୁ ଅଧାବାଟରେ ସନ୍ତାନ ପ୍ରସବ ପରେ ତାଙ୍କୁ ପୁଣି କାନ୍ଧରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା । ଆମ୍ବୁଲାନ୍ସରେ ଉମରକୋଟ ହସ୍ପିଟାଲ ପର୍ଯ୍ୟନ୍ତ ଆସିଥିଲେ କଳାବତୀ । ବର୍ତ୍ତମାନ ମା’ ଓ ଶିଶୁ ସୁରକ୍ଷିତ ଥିବା ଜଣାପଡିଛି । ତେବେ ପୂର୍ବରୁ କଲ୍ୟାଣସିଂହପୁର, ଲାଞ୍ଜିଗଡ୍ ପ୍ରଭୃତି ଗାଁରେ ଏଇଭଳି ଘଟଣାମାନ ବାରମ୍ବାର ସାମ୍ନାକୁ ଆସୁଥିବାବେଳେ ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com