jaydeb-bhewan-thre-income-tax-day--celibretion(31)

ଆୟକର ଆଦାୟରେ ସହଯୋଗ ଲୋଡ଼ା

41

ଭୁବନେଶ୍ୱର, (ବୁ୍ୟରୋ): ଏକ ସମୃଦ୍ଧ ଦେଶର ଗଠନ ପାଇଁ ଟିକସ ଅପରିହାର୍ଯ୍ୟ । ଆୟକର ଆଦାୟ କରିବା ଯେପରି ସରକାରଙ୍କ ଦାୟିତ୍ୱ, ଠିକ୍‌ ସମୟରେ ଆୟକର ଦାଖଲ କରିବା ଜନସାଧାରଣଙ୍କ କର୍ତ୍ତବ୍ୟ । ଏଥିରେ ସମନ୍ୱୟର ଅଭାବ ହେଲେ ବିକାଶ ପ୍ରକ୍ରିୟା ଗୁରୁତର ବାଧାପ୍ରାପ୍ତ ହେବ । ତେଣୁ ଜନସାଧାରଣ ଆୟକରକୁ ଭୟ ନକରି ସହଯୋଗ କରିବା ଆବଶ୍ୟକ । ଏହା ଫଳରେ ସେମାନେ ଆଇନରେ ଥିବା ଅନେକ ସୁବିଧା ପାଇପାରିବେ ବୋଲି ମତପ୍ରକାଶ ପାଇଛି । ସୋମବାର ସ୍ଥାନୀୟ ଜୟଦେବ ଭବନରେ ଆୟକର ଓଡ଼ିଶା କ୍ଷେତ୍ରର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ବିଧୁ ଶେଖର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆୟକର ଦିବସ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ ଅର୍ଥନିତୀଜ୍ଞ ଅରୁଣ କୁମାର ସାବତ କହିଥିଲେ, ନିଜ ଆୟ ସମ୍ପର୍କରେ ଖୋଲାଖୋଲି ସୂଚନା ଦେବାକୁ ଅନେକ ଲୋକ ପଛଘୁଞ୍ଚା ଦେଇଥାନ୍ତି । କିନ୍ତୁ ଏପରି କରିବା ଫଳରେ ସେମାନେ ଦେଶର ବିକାଶରେ ଗୁରୁତର ବାଧା ସୃଷ୍ଟି କରୁଛନ୍ତି । ଏହା ଏକ ଅପରାଧ । କିନ୍ତୁ ଜନସାଧାରଣ ଯଦି ନିଜ ଆୟକର ସମ୍ପର୍କରେ ସଠିକ୍‌ ଯୋଜନା ପ୍ରସ୍ତୁତ କରନ୍ତି ତେବେ ସେମାନେ ଏଥିରେ ଥିବା ଅନେକ ନିୟମ ଅନୁସାରେ ଟିକସରେ ରିହାତି ପାଇପାରିବେ । ସେହିପରି ଯଦି ନିକଟରେ ଲାଗୁ ହୋଇଥିବା ଜିଏସ୍‌ଟି ସଫଳ ହୁଏ ତେବେ ଆୟକର ରିଆତି ପରିମାଣ ବୃଦ୍ଧି ପାଇବ ଏବଂ ଜନସାଧାରଣ ଉପକୃତ ହେବେ । ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ସିଂ କରଦାତାଙ୍କୁ ସୁହାଇଲା ଭଳି ଆୟକର ବିଭାଗ ପକ୍ଷରୁ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ, ଯୋଜନା ଓ ସେବା ସମ୍ପର୍କରେ ସୂଚନା ଦେଇଥିଲେ । ଇମ୍ଫା ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ତଥା ଫିକିର ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ଶୁଭକାନ୍ତ ପଣ୍ଡା, ୟୁସିସିଆଇ ସଦସ୍ୟ ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଅଶୋକ ଚିଞ୍ଚେଲା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଅସିତ୍‌ ମହାନ୍ତି ଆୟକର ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଯୁଗ୍ମ ଆୟୁକ୍ତ ଅସୀମ କୁମାର ଚକ୍ରବର୍ତ୍ତୀଙ୍କ ଦ୍ୱାରା ପରିଚାଳିତ ଏହି ସଭାରେ ପଦ୍ମଶ୍ରୀ ଡ଼ ରମାକାନ୍ତ ରଥ, ଡ଼ ସୀତାକାନ୍ତ ମହାପାତ୍ର, ବିଭୂତି ପଟ୍ଟନାୟକ, କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଅଭିନେତା ବିଜୟ ମହାନ୍ତି, ମିହିର ଦାସ, ଶିଶିର ଦାସ, କୁନା ତି୍ରପାଠୀ, ଅର୍ଚ୍ଚିତା ସାହୁ, ସଙ୍ଗୀତକାର ପ୍ରେମ ଆନନ୍ଦ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟକର ଆୟୁକ୍ତ ତଥା ପରିଚାଳନା ସମିତି ଅଧ୍ୟକ୍ଷ ଶରତ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସରୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com