pp6

ନମ୍ର ସେବକ ହୋଇ କାର୍ଯ୍ୟ କରିଛି: ମୁଖାର୍ଜୀ

44

ନୂଆଦିଲ୍ଲୀ, ୨୩ା୭: ରାଷ୍ଟ୍ରପତିଭାବେ ସମ୍ବିଧାନକୁ ସୁରକ୍ଷିତ କରିବା ସହ ଏହାର ମର୍ଯ୍ୟାଦାକୁ ରକ୍ଷା କରିବା ଲାଗି କଥାରେ ନୁହେଁ କାର୍ଯ୍ୟରେ କରିବାକୁ ଯଥାସମ୍ଭବ ଉଦ୍ୟମ କରିଛି । ଏଥିଲାଗି ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଲାଲ୍କୃଷ୍ଣ ଆଡ୍ଭାନୀ ଅନେକ ସହଯୋଗ କରିଛନ୍ତି । ଦେଶବାସୀଙ୍କର ନମ୍ର ସେବକଭାବେ କାର୍ଯ୍ୟ କରି ଆଜି ମୁଁ ଏହି ପଦବୀରୁ ଅବସର ନେଉଛି ବୋଲି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଂସଦର କେନ୍ଦ୍ରୀୟ ହଲ୍ରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଭାବବିହ୍ୱଳ ହୋଇ କହିଛନ୍ତି । ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ଦୀର୍ଘ ୩୭ ବର୍ଷ ଧରି ସେ ସାଂସଦଭାବେ କାର୍ଯ୍ୟ କରିଛନ୍ତି । ରାଷ୍ଟ୍ରପତି ପଦରୁ ଅବସର ନେଲାପରେ ତାଙ୍କର ସଂସଦ ସହ ଥିବା ସଂଶ୍ଳିଷ୍ଟର ଅନ୍ତ ଘଟିବ । ଯାହା ତାଙ୍କ ସ୍ମୃତିରେ ଇନ୍ଦ୍ରଧନୁ ଭଳି ସାଇତି ହୋଇ ରହିବ ବୋଲି ସେ କହିଛନ୍ତି । ୧୩ତମ ରାଷ୍ଟ୍ରପତିଭାବେ ଅବସର ନେବା ପୂର୍ବରୁ ଶ୍ରୀ ମୁଖାର୍ଜୀଙ୍କ ସମ୍ମାନାର୍ଥେ ଆଜି ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ଓ ଉପରାଷ୍ଟ୍ରପତି ହମିଦ୍ ଅନ୍ସାରୀ ଯୋଗଦେଇଥିଲେ । ଉଭୟ ଶ୍ରୀ ମୁଖାର୍ଜୀଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ବର୍ଣ୍ଣନା କରିବା ସହ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ବାଚସ୍ପତି ଶ୍ରୀମତୀ ମହାଜନ ତାଙ୍କୁ ଏକ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଉପସ୍ଥିତ ଥିଲେ । ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୁଖାର୍ଜୀ କହିଥିଲେ ଯେ ତାଙ୍କର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସମ୍ବିଧାନକୁ ସୁରକ୍ଷା ଦେବା ଲାଗି ସେ ଅଭିଭାବକଭାବେ କାର୍ଯ୍ୟ କରିଛନ୍ତି । ଯାହା ତାଙ୍କର ପ୍ରମୁଖ ଦାୟିତ୍ୱ ଥିଲା । ପ୍ରତି ମୁହୂର୍ତ୍ତରେ ଏଥିଲାଗି ତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କଠାରୁ ସହଯୋଗ ମିଳିଛି । ଶ୍ରୀ ମୋଦିଙ୍କ ସହ ତାଙ୍କର ବିତି ଥିବା ସମୟ ଅତ୍ୟନ୍ତ ସ୍ମରଣୀୟ । ଅତୀତକୁ ମନେ ପକାଇ ଶ୍ରୀ ମୁଖାର୍ଜୀ କହିଥିଲେ ଯେ ୩୪ ବର୍ଷ ବୟସରେ ସେ ଦେଶ ସେବା ପାଇଁ ସୁଯୋଗ ପାଇଥିଲେ । ଜୀବନର ୩୭ ବର୍ଷ ସେ ସାଂସଦଭାବେ କାର୍ଯ୍ୟ କରିଛନ୍ତି । ଗଣତନ୍ତ୍ରର ଏହି ମନ୍ଦିରରେ ରାଜନୈତିକ ଦୂରଦୃଷ୍ଟିକୁ ସେ ଗୁରୁତ୍ୱ ଦେଇଛନ୍ତି । ତାଙ୍କର ଏହି ଦୀର୍ଘ ରାଜନୈତିକ ଜୀବନ ବେଶ୍ ଶିକ୍ଷଣୀୟ ହୋଇଛି । ଜଣେ ସାଂସଦଭାବେ ସେ ବିତର୍କ ଓ ଆଲୋଚନାର ପ୍ରକୃତ ମୂଲ୍ୟକୁ ଉପଲବ୍ଧି କରିପାରିଛନ୍ତି । ଭାରତୀୟ ସମ୍ବିଧାନ ହେଉଛି ପ୍ରଶାସନ ଲାଗି କେବଳ ଏକ ଆଇନର ଫର୍ଦ୍ଦ ନୁହେଁ । ଏହା ସାମାଜିକ, ଅର୍ଥନୈତିକ ଜୀବନର ପ୍ରତିଫଳନ । ଦେଶର କୋଟି କୋଟି ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଭାରତୀୟ ସମ୍ବିଧାନ ପ୍ରତିନିଧିତ୍ୱ କରିଥାଏ । ଜୁଲାଇ ପହିଲାରେ ସମଗ୍ର ଦେଶରେ ଲାଗୁ ହୋଇଥିବା ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ହେଉଛି ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥାର ଏକ ଜ୍ୱଳନ୍ତ ଉଦାହରଣ । ଏହି ନୂତନ ବିଧେୟକଟି ଅନେକ ଆଲୋଚନା ଓ ତର୍ଜମା ପରେ ସଂସଦର ଉଭୟ ଗୃହରେ ପାରିତ ହୋଇଛି । ଯଦି ସଂସଦ ଆଇନ ପ୍ରଣୟନ ଦିଗରେ ତାର ଭୂମିକା ନିର୍ବାହ କରିବାରେ ବିଫଳ ହୁଏ, ତାହେଲେ ଜନସାଧାରଣଙ୍କ ବିଶ୍ୱାସ ତୁଟିଯିବ ବୋଲି ସେ କହିଥିଲେ ।
ଶ୍ରୀ ମୁଖାର୍ଜୀ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପ୍ରଶଂସା କରିବାକୁ ମଧ୍ୟ ତାଙ୍କର ଏହି ୨୦ ମିନିଟିଆ ଅଭିଭାଷଣରେ ଭୂଲି ନଥିଲେ । ସ୍ୱର୍ଗତ ଗାନ୍ଧିଙ୍କୁ ଏକ ଉତ୍ତଙ୍ଗ ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିବା ସହ କହିଥିଲେ ଯେ ଜରୁରୀକାଳୀନ ପରିସ୍ଥିତିରୁ କ’ଣ ଲାଭ ମିଳିଲା ବୋଲି ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରକୁ ସେ ଏଭଳି ସ୍ୱାଭାବିକ ଓ ସୁଲଳିତଭାବରେ କହିଥିଲେ, ଯାହାପରେ ସମସ୍ତେ ନୀରବ ହୋଇଯାଇଥିଲେ । ଏହାପରେ ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିନଥିଲେ । ଲୋକସଭା ଓ ରାଜ୍ୟସଭା ସାଂସଦଭାବେ ସେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ୍ ଜଣାଉଛନ୍ତି ।




Powered by odothemes.com