ଉନ୍ନତ ହେବ ସ୍ୱୟଂଚାଳିତ ସୂଚନା ପ୍ରଦାନକାରୀ ଯନ୍ତ୍ର | ସର୍ବସାଧାରଣ ଖବରକାଗଜ
AWOS-Bhubaneswar-airport-750x430

ଉନ୍ନତ ହେବ ସ୍ୱୟଂଚାଳିତ ସୂଚନା ପ୍ରଦାନକାରୀ ଯନ୍ତ୍ର

21

ଖରାପ ପାଗରେ ଏୟାରପୋର୍ଟରେ ଅବତରଣ କରିବ ବିମାନ
ଭୁବନେଶ୍ୱର,(ବୁ୍ୟରୋ): ଖରାପ ପାଗରେ ବି ସମସ୍ତ ବିମାନ ଅବତରଣ କରିପାରିବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲାଗିଥିବା ସ୍ୱୟଂଚାଳିତ ଜଳବାୟୁ ସୂଚନା ପ୍ରଦାନକାରୀ ଯନ୍ତ୍ର ଏବେ ଅଧିକ ଉନ୍ନତ ହୋଇଛି । ପୂର୍ବରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ଯନ୍ତ୍ର ବିମାନବନ୍ଦରରେ ଲାଗିଥିଲେ ମଧ୍ୟ ଆଧୁନିକ ବ୍ୟବସ୍ଥା ଅଭାବରୁ ପାଣି ପାଗ ସମ୍ପର୍କିତ ସୂଚନା ମାନୁଆଲ୍‌ ଉପାୟରେ ସଂଗ୍ରହ କରିବାକୁ ପଡୁଥିଲା । ତେବେ ଏହାର ଅତ୍ୟାଧୁନିକ ସଂସ୍କରଣ କାର୍ଯ୍ୟକ୍ଷମ ହେବା ଦ୍ୱାରା ବିମାନବନ୍ଦରର ଆଖପାଖ ଅଞ୍ଚଳରେ ପାଣିପାଗ ସମ୍ପର୍କିତ ସମସ୍ତ ସୂଚନା ସ୍ୱୟଂଚାଳିତ ପଦ୍ଧତ୍ତିରେ ମିଳି ପାରିବ । ସୂଚନା ଅନୁସାରେ, ବିମାନ ଉଡ଼ାଣ ଆରମ୍ଭ କରିବା ସମୟରେ କିମ୍ବା ଅବତରଣ କରିବା ସମୟରେ ବାୟୁ ପ୍ରବାହ, ପବନର ଦିଗ, ପାଣିପାଗ ବଳଦିବାର ସୂଚନା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ପାଣିପାଗର ସଠିକ୍‌ ସୂଚନା ମିଳିଲେ ଯାଇ କୌଣସି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦେଇ ହେବ । ପାଣିପାଗର ସଠିକ୍‌ ଅବସ୍ଥାକୁ ଦେଖି ବିମାନ ଉଡ଼ାଣ ସମ୍ପର୍କିତ ନିର୍ଦେଶ ପାଇଲଟ୍‌କୁ ଦିଆଯାଇ ଥାଏ । ପୂର୍ବରୁ ଏହି ସୂଚନା ପାଇବା ପାଇଁ ବିମାନବନ୍ଦରର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର୍‌ (ଏଟିସି) ଆଞ୍ଚଳିକ ପାଣିପାଗ ବିଭାଗ ଉପରେ ନିର୍ଭର କରୁଥିଲା । କିନ୍ତୁ ବିଭାଗ ପକ୍ଷରୁ ୨୦୧୫ ମସିହା ନଭେମ୍ବର ମାସରେ ବିମାନବନ୍ଦରରେ କରେଣ୍ଟ ୱେଦର୍‌ ସିଷ୍ଟମ୍‌ ଲଗାଯାଇ ଥିଲା । ତେବେ ଏଥିରେ ଅତ୍ୟାଧୁନିକ ଜ୍ଞାନକୌଷଳର ଅଭାବ ରହିଥିଲା । ତେଣୁ ପାଣିପାଗ ବିଭାଗ ପକ୍ଷରୁ ଏହାର ଏକ ନୂଆ ସଂସ୍କରଣ ବିମାନବନ୍ଦରରେ ସ୍ଥାପନ କରାଯାଇଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ପୂର୍ବରୁ ଥିବା ଏହି ବ୍ୟବସ୍ଥାରେ ଆମକୁ ପାରମ୍ପାରିକ ପଦ୍ଧତ୍ତି ଅବଲମ୍ବନ କରିବାକୁ ହେଉଥିଲା । କିନ୍ତୁ ଏବେ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ପ୍ରଦାନକାରୀ ଯନ୍ତ୍ର ଆଧୁନିକ ଉପାୟରେ ପ୍ରସ୍ତୁତ କରାଯାଇଛି ଏବଂ ଏହା ଦ୍ୱାରା ଆମେ କମ୍ପୁ୍ୟଟର୍‌ରେ ପାଣିପାଗ ସମ୍ପର୍କିତ ସମସ୍ତ ସୂଚନା ପାଇ ପାରିବୁ ।




Powered by odothemes.com