naveen

ନବୀନଙ୍କୁ ଭେଟିଲେ ମାନେକା

34

ଅଙ୍ଗନୱାଡ଼ି ଲାଗି ୨୫୦ କୋଟି ଦିଅ
ନୂଆଦିଲ୍ଲୀ, ୨୧ା୭ (ବୁ୍ୟରୋ): କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ଆଜି ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଦିବାସୀ ବହୁଳ ଅଞ୍ଚଳରେ ଅନ୍ତତଃ ପକ୍ଷେ ପ୍ରତି ଜନବସତିରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ବା କ୍ଷୁଦ୍ର ଅଙ୍ଗନବାଡ଼ି କେନ୍ଦ୍ର କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ଅଙ୍ଗନବାଡ଼ି କର୍ମୀ ଓ ସହାୟକମାନଙ୍କର ଭତ୍ତା ବୃଦ୍ଧି କରିବା ଲାଗି ମଧ୍ୟ ଦାବି କରିଛନ୍ତି । ପାଞ୍ଚଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଓଡ଼ିଶା ଭବନରେ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ କହିଛନ୍ତି ଯେ ଗତ ୧୦ ବର୍ଷ ଭିତରେ ଅପପୁଷ୍ଟି ଓ ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ରେ ମାତୃ ମୃତୁ୍ୟହାର, କମ୍ ଓଜନ ଶିଶୁ, ସ୍ତନ୍ୟପାନ ଆଦି କ୍ଷେତ୍ରରେ ଓଡ଼ିଶାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ସେହିଭଳି ସମନ୍ୱିତ ଶିଶୁ ବିକାଶ ସେବା ଯୋଜନାରେ ଓଡ଼ିଶାର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି । ରାଜ୍ୟରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଭତ୍ତା ବୃଦ୍ଧି କରିବା, ୧୫୦ରୁ କମ୍ ଲୋକ ଥିବା ପଡ଼ାଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା, ୩୩୮୫ ଅଙ୍ଗବାଡ଼ି କେନ୍ଦ୍ରର ଗୃହ ନିର୍ମାଣ ଆଦି ବିଷୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି । ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୨୫୦ କୋଟି ଟଙ୍କା ଦାବି କରିଛନ୍ତି । ଏହାଛଡ଼ା ସମନ୍ୱିତ ଶିଶୁ ବିକାଶ ଯୋଜନାରେ କେନ୍ଦ୍ର ସରକାରଙ୍କ ଅଂଶକୁ ଯଥା ସମୟରେ ପ୍ରଦାନ କରିବା ପାଇଁ କହିଛନ୍ତି । ଏଥିରେ ବିଳମ୍ବ ହେବାରୁ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ଗୁଡ଼ିକ ପଞ୍ଚାୟତ ଓ ବ୍ଲକ୍ସ୍ତରରେ କାର୍ଯ୍ୟ କରୁଛି । ବାଳ ଅପରାଧ ସୁଧାର ଆଇନ୍କୁ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ କରିବାରେ ଅସୁବିଧା ସୃଷ୍ଟିହେଉଛି । ବାଳ ଅପରାଧ ରୋକିବା ଲାଗି ଆସୁଥିବା ବିଭିନ୍ନ ଆର୍ଥିକ ସହାୟତାକୁ ଆୟକର ମୁକ୍ତ କରିବା ସହ ଭାରତ ସରକାର ଅଧିକରୁ ଅଧିକ ଅର୍ଥ ଦେବା ଉଚିତ । କେନ୍ଦ୍ର ସରକାର ଓଡ଼ିଶାରେ ଏକଜୁଭେନାଇଲ୍ ଜଷ୍ଟିସ୍ ଏକାଡେମୀ ପ୍ରତିଷ୍ଠା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ମାନେକା ମୁଁ ଦାବି କରିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ସକାରାତ୍ମକ ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ନିକଟରେ ଏହି ସବୁ ସମସ୍ୟା ପ୍ରତି ଧ୍ୟାନଦେଇ ସମାଧାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com