ବସନ୍ତଙ୍କ ଗଡ଼ରେ ବିଜେଡିର ବାଜିମାତ୍

basanta-panda

ଭୁବନେଶ୍ୱର, ୨୦ ।୭ (ବୁ୍ୟରୋ): ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିଜ ଜିଲ୍ଲା ନୂଆପଡ଼ାର କୋମନା ବ୍ଲକ୍ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବହୁ ଭୋଟ୍ରେ ବିଜୟୀ ହୋଇଛନ୍ତି । ଶ୍ରୀ ପଣ୍ଡାଙ୍କ ପାଇଁ ଏହା ଝଟ୍କା ସଦୃଶ ହୋଇଛି । ବିଜେଡି ପ୍ରାର୍ଥୀଙ୍କ ବିଜୟ ନେଇ ଦଳ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ, ବିଜେପି ହିଂସାର ଜବାବ ଲୋକେ ଭୋଟ୍ ମାଧ୍ୟମରେ ଦେଲେ । ଅପରପକ୍ଷରେ ଅର୍ଥ, ବାହୁ ଓ ପ୍ରଶାସନିକ କଳର ଅପବ୍ୟବହାର ଯୋଗୁଁ ବିଜେପି ହାରିଲା ବୋଲି ଶ୍ରୀ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । କୋମନା ବ୍ଲକ୍ରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାମନେଶ ଅନ୍ଦିର୍ ୮୧୧୪ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେଡି ପଛକୁ କଂଗ୍ରେସ ରହିଛି । ବିଜେପି ମାତ୍ର ୪୫୩୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛି । ନିକଟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ପାଖାପାଖି ୩ ଶହ ଜିଲ୍ଲା ପରିଷଦ ଜୋନ୍ରେ ବିଜୟୀ ହୋଇଥିଲା । ହେଲେ ନୂଆପଡ଼ା ଜିଲ୍ଲାରେ ଦଳର ପ୍ରଦର୍ଶନ ମଧ୍ୟ ଭଲ ନଥିଲା । ଇତିମଧ୍ୟରେ ପଞ୍ଚାୟତ ନିର୍ବାଚନ ସରିବାର ବହୁଦିନ ବିତିଗଲାଣି । ବିଜେପି ପକ୍ଷରୁ ମୋ ବୁଥ୍ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମ ରାଜ୍ୟବ୍ୟାପି ଆରମ୍ଭ କରାଯାଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ମଧ୍ୟ ଆସି ୩ ଦିନ ରହି ଫେରିଯାଇଛନ୍ତି । ଓଡ଼ିଶା ଗସ୍ତରେ ଆସିଥିଲାବେଳେ ଶ୍ରୀ ଶାହା ୨୦୧୯ ନିର୍ବାଚନରେ ବିଜେପି ଏଠି ୧୨୦ ବିଧାନସଭା ଆସନ ଜିତି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ମାତ୍ର ଶ୍ରୀ ଶାହାଙ୍କ ଗସ୍ତର କିଛିଦିନ ପରେ ନୂଆପଡ଼ା ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଗୋଟିଏ ଜିଲ୍ଲା ପରିଷଦ ଆସନରେ ବିଜେପି ତା’ର ପ୍ରାର୍ଥୀକୁ ଜିତାଇବାରେ ସକ୍ଷମ ହୋଇନାହିଁ । ପଶ୍ଚିମ ଓଡ଼ିଶାକୁ ନିଜର ଗଡ଼ ବୋଲି ବିଜେପି ଘୋଷଣା କରୁଛି । ତେବେ ସଦ୍ୟସମାପ୍ତ ଜିଲ୍ଲା ପରିଷଦ ନିର୍ବାଚନରେ ଗୋଟିଏ ଆସନ ବି ନ ଜିତିବା ଦଳର ସ୍ଥିତିକୁ ବୟାନ କରୁଛି । ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭୋଟ୍କୁ ହାତେଇ ବିଜେପି ଜିଲ୍ଲା ପରିଷଦ ନିର୍ବାଚନରେ ସଫଳତା ପାଇଥିଲା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ବିଜେଡି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ କରାଯାଇଥିଲା । ହେଲେ ବିଜେପି ଏବେ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି ବୋଲି ବିଜେପି ନେତାମାନେ ବାହାସ୍ଫୋଟ ମାରୁଥିଲେ । ନୂଆପଡ଼ା ଜିଲ୍ଲାରେ କଂଗ୍ରେସ ଭୋଟ୍ ଏକଜୁଟ୍ ହେବାରୁ ବିଜେପି ପୁଣି ତୃତୀୟ ସ୍ଥାନକୁ ଫେରିଛି । ଏହି ଜିଲ୍ଲାରେ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ବିଜେପି ବିଧାୟକ ପ୍ରାର୍ଥୀମାନେ ଏଠୁ ଜିତିଥିଲେ । ମାତ୍ର ପଞ୍ଚାୟତ ନିର୍ବାଚନରେ ଫଳ ଓଲଟା ଦେଖିବାକୁ ମିଳିଛି ।
ବିଜେଡି ବିଜୟ ଉପରେ ପ୍ରତିକ୍ରିୟା ରଖି ଦଳର ସଂପାଦକ ବିଜୟ ନାୟକ କହିଛନ୍ତି ଯେ, ପୂର୍ବରୁ ବିଜେଡି ପ୍ରାର୍ଥୀ ଶ୍ରୀ ଅହିରଙ୍କ ଉପରେ ବିଜେପି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କର ଏହି ବିଜୟ ହେଉଛି ହିଂସା ବିରୋଧରେ ସାଧାରଣ ଲୋକଙ୍କର ବିଜୟ । ବିଜେପିର ରାଜନୀତି ହିଂସାଭିତ୍ତିକ । ହିଂସାଭିତ୍ତିକ ରାଜନୀତିକୁ ଓଡ଼ିଶାର ଲୋକମାନେ ଗ୍ରହଣ କରନ୍ତି ନାହିଁ, ଏହା ବିଜେପି ବୁଝିବା ଦରକାର । ନୂଆପଡ଼ା ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ ବିଜେପି ପାଇଁ ଏକ ସତର୍କ ଘଣ୍ଟି । ଏହି ନିର୍ବାଚନରେ କଳେବଳେ କୌଶଳେ ଜିତି ଖାତା ଖୋଲିବା ପାଇଁ ବିଜେପି ଯେଉଁ ଆଶା କରିଥିଲା ତାହା ପୁଣି ନିରାଶାରେ ପରିଣତ ହୋଇଛି । କୋମନା ଜୋନ୍‌-୨ର ଉଲ୍ଲେଖନୀୟ ବିଜୟ ପାଇଁ ଜିଲ୍ଲା ପରିଷଦ ଜୋନ୍‌ର ସମସ୍ତ ଭୋଟର ଭାଇଭଉଣୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଜୁ ଜନତା ଦଳର ସମସ୍ତ ନେତୃମଣ୍ଡଳୀ ଓ କର୍ମୀମାନଙ୍କର ସଫଳତା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷରେ ଶ୍ରୀ ପଣ୍ଡା ପ୍ରଶାସନିକର ଦୁରୁପଯୋଗ ହେଲା ବୋଲି ମନ୍ତବ୍ୟ ଦେଇଛନ୍ତି । ଏଥିପାଇଁ ସେ ଖୋଲା ବିତର୍କ ହେଉ ବୋଲି ସେ ଆହ୍ୱାନ ଦେଇଛନ୍ତି ।